ବିଜେପି ଭୟରେ ଲୁଚିଲେ ୧୧୩ ବିଧାୟକ ! ପୂରା ଦେଶର ନଜର କେମିତି ବହୁମତ ସାବ୍ୟସ୍ତ କରିବ ବିଜେପି

27

କନକ ବ୍ୟୁରୋ : କର୍ଣ୍ଣାଟକ ନାଟକ କେଉଁ ମୋଡ଼ ନେବ, ତାହା ଉପରେ ରହିଛି ସାରା ଦେଶର ନଜର । ସଂଖ୍ୟା ଖେଳରେ ବିଜେପି ବାଜିମାତ କରିବ ନା’ ଗୋଟିଏ ଦିନର ସରକାର ଭାଙ୍ଗିବ ତାହା ଉପରେ ସମସ୍ତଙ୍କ ନଜର । ଆଉ ଏସବୁ ଭିତରେ ସରକାର ଗଢ଼ିବା ପାଇଁ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟପାଳ ବଜୁଭାଇ ବାଲାଙ୍କ ୧୫ ଦିନର ମହଲତକୁ ଖାରଜ କରି ସୁପ୍ରିମକୋର୍ଟ ମାତ୍ର ଗୋଟିଏ ଦିନ ସମୟ ଦେଇଛନ୍ତି ବିଜେପିକୁ । ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଶନିବାର ଦିନ ଦେବେ ଅଗ୍ନିପରୀକ୍ଷା । ତେବେ ବହୁମତ ଠାରୁ ଦୂରରେ ଥିବା ୟେଦ୍ୟୁରପ୍ପା କିପରି ଏହି ନମ୍ବର ଗେମରେ ବିଜୟୀ ଏ ନେଇ ଚାଲିଛି ଅଙ୍କକଷା ।

କର୍ଣ୍ଣାଟକ ବିଧାନସଭାରେ ବହୁମତ ପାଇଁ ୧୧୨ ସଦସ୍ୟ ଆବଶ୍ୟକ । ବିଜେପି ଜିତିଛି ୧୦୪ଟି ଆସନ, କଂଗ୍ରେସ ୭୮, ଜେଡିଏସ୍ ଖାତାରେ ରହିଛି ୩୭ ସିଟ୍ । ସେହିପରି ଅନ୍ୟ ଖାତାକୁ ଯାଇଛି ୩ଟି ଆସନ । ତେବେ ଜେଡିଏସର କୁମାରସ୍ୱାମୀ ୨ଟି ସିଟରୁ ଜିତିଛନ୍ତି । ତେଣୁ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିବ । ତେଣୁ କର୍ଣ୍ଣାଟକରେ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବେ ୨୨୧ ସଦସ୍ୟ । ଏହି ହିସାବ ଅନୁସାରେ ବହୁମତ ମତ ସାବ୍ୟସ୍ତ କରିବାକୁ ହେଲେ ବିଜେପିକୁ ଆବଶ୍ୟକ ପଡ଼ିବ ୧୧୧ ସଦସ୍ୟଙ୍କ ସମର୍ଥନ । ଅର୍ଥାତ ୟେଦ୍ୟୁରପ୍ପାଙ୍କୁ ଆବଶ୍ୟକ ଆଉ ୭ ଜଣ ସଦସ୍ୟଙ୍କ ସମର୍ଥନ । ତେଣୁ ଯୋଡ଼ ତୋଡ଼ ରାଜନୀତି ବ୍ୟତୀତ ଅନ୍ୟ ଚାରା ନାହିଁ ବିଜେପି ପାଖରେ । କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ସମର୍ଥନ ବିନା ୟେଦ୍ୟୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ସାକାର ହେବନାହିଁ ।
ତେବେ ବିଜେପି ଦାବି କରୁଛି ସରକାର ଗଢିବା ପାଇଁ ଦଳ ନିକଟରେ ବହୁମତ ରହିଛି । ଏଠି ପ୍ରଶ୍ନ ଉଠୁଛି କିପରି ସମର୍ଥନ ଯୋଗାଡ଼ କରିବ ବିଜେପି?

କ’ଣ ରହିଛି ବିକଳ୍ପ?
ପ୍ରଥମ ବିକଳ୍ପ – କଂଗ୍ରେସ କିମ୍ବା ଜେଡିଏସର କିଛି ବିଧାୟକ ଭୋଟିଂ ବେଳେ ଅନୁପସ୍ଥିତ ରହିବେ । ତାହା ମଧ୍ୟ ଅତି କମରେ ୧୪ ଜଣ ବିଧାୟକ । କାରଣ ଏପରି ହେଲେ ବିଧାନସଭାରେ ଉପସ୍ଥିତ ସଦସ୍ୟଙ୍କ ସଂଖ୍ୟା ୨୦୭ରେ ପହଁଚିଯିବ । ଏହି ଆଧାରରେ ବିଜେପିକୁ ମିଳିଯିବ ବହୁମତ ।

ଦ୍ୱିତୀୟ ବିକଳ୍ପ – ବିଧାନସଭାରେ ମ୍ୟାଜିକ ନମ୍ବର ହାସଲ ପାଇଁ ବିଜେପିର ନଜର ରହିଛି କଂଗ୍ରେସ, ଜେଡିଏସର କିଛି ନିର୍ବାଚିତ ସଦସ୍ୟଙ୍କ ଉପରେ । ବିଶେଷ କରି କଂଗ୍ରେସ ଟିକେଟରୁ ଲିଙ୍ଗାୟତ କମ୍ୟୁନିଟିର ୭ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଲିଙ୍ଗାୟତ ଓ ବୋକାଲିଗା ସମୁଦାୟ ମଧ୍ୟରେ ବିବାଦ ବହୁ ପୁରୁଣା । କୁମାରସ୍ୱାମୀ ବୋକାଲିଗା ସମୁଦାୟର ହୋଇଥିବାରୁ ଏହି ବିଧାୟକଙ୍କ ମଧ୍ୟରେ ରହିଛି ଅସନ୍ତୋଷ । ଏହି ଅସନ୍ତୋଷର ଫାଇଦା ଉଠାଇବାକୁ ଚାହୁଁଛି ବିଜେପି ।

ତୃତୀୟ ବିକଳ୍ପ – ଅନ୍ୟାନ୍ୟ ଖାତାରେ ଥିବା ୩ ଆସନ ମଧ୍ୟରୁ ବିଏସପି ହାତରେ ଗୋଟିଏ ଆସନ ଥିବା ବେଳେ ଜଣେ ସ୍ୱାଧୀନ ଓ ଜଣେ କର୍ଣ୍ଣାଟକ ପ୍ରଜ୍ଞାବତ ଜନତା ପାର୍ଟି ସଦସ୍ୟ । ସେମାନଙ୍କ ସହ ସହ ଆଲୋଚନା ଚଳାଇଛି ବିଜେପି । ହେଲେ ସେମାନେ କଂଗ୍ରେସ-ଜେଡିଏସ୍ ମେଂଟକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି ।

yeddyurappaକିନ୍ତୁ କଂଗ୍ରେସ-ଜେଡିଏସ ସଦସ୍ୟ ବିଜେପି ସରକାରକୁ ସମର୍ଥନ କଲେ ଦଳ ବଦଳ ନିରୋଧ ଆଇନ ଅନୁସାରେ ସେମାନଙ୍କ ସଭ୍ୟ ପଦ ଚାଲିଯିବ । ସେପଟେ କଂଗ୍ରେସ-ଜେଡିଏସ ସଦସ୍ୟମାନଙ୍କୁ ହାଇଦ୍ରାବାଦର ଏକ ରିସର୍ଟରେ ରଖାଯାଇଛି । ତେବେ କଂଗ୍ରେସ ସଦସ୍ୟ ଆନନ୍ଦ ସିଂହ ଦଳୀୟ ସଦସ୍ୟଙ୍କ ସହ ଯିବା ପାଇଁ ମନା କରିଥିବା ବେଳେ ରାଜଶେଖର ପାଟିଲ ଅସୁସ୍ଥତା ଦର୍ଶାଇ ଫେରି ଆସିଛନ୍ତି । ସବୁ କଥାକୁ ବିଚାରକୁ ନେଲେ କର୍ଣ୍ଣାଟକ ନାଟକ ଏବେ ପୂରା ରୋମାଂଚକର ସ୍ଥିତିରେ ପହଁଚିଯାଇଛି ।