ମୁହଁରେ ଦାଢି, ମୁଣ୍ଡରେ ପଗଡି । ଚେହେରା ବଦଳିବାକୁ ଲାଗୁଥିଲା ୨ ଘଣ୍ଟା, ଦେଖନ୍ତୁ କେମିତି ଅନୁପମ ଖେର ପାଲଟି ଯାଉଥିଲେ ମନମୋହନ ସିଂ? 

213

ବଲିଉଡ ଫିଲ୍ମ ‘The Accidental Prime Minister’ର ଟ୍ରେଲର ରିଲିଜ ହେବା ପରେ ଏବେ ଏହାକୁ ନେଇ ଜୋରଦାର ବିବାଦ ଦେଖିବାକୁ ମିଳିଛି । ଏପରିିକି ଏହି ଫିଲ୍ମର ଟ୍ରେଲର ଉପରେ ରୋକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା । ତେବେ ଏହି ଟ୍ରେଲର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାୟର କରାଯାଇଥିବା ଯାଚିକାକୁ ଖାରିଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଏହି ଫିଲ୍ମ ଦ୍ୱାରା ଏକ ନିଦ୍ଦିଷ୍ଟ ରାଜନୈତିକ ଦଳକୁ ଆଗାମୀ ନିର୍ବାଚନରେ ଫାଇଦା ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଆଗାମୀ ଜାନୁଆରୀ ୧୧ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଏହାର ପ୍ରମୋଶନ ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ପ୍ରଡକ୍ସନ ଟିମ୍ । ତେବେ ରାଜନୈତିକ କାହାଣୀକୁ ନେଇ ଏହି ନିର୍ମିତ ହୋଇଥିବା ଏହି ଫିଲ୍ମର ଭିତିରି କଥା ଜାଣିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ଖାସକରି ଅନୁପମ ଖେରଙ୍କ ମନମୋହନ ସିଂ ଲୁକ୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଟ୍ରେଲରରେ ପୂରା ନିଚ୍ଛକ ମନମୋହନ ସିଂଙ୍କ ଲୁକରେ ନଜର ଆସିଛନ୍ତି ଅନୁପମ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଷ୍ଟାଇଲ ଠାରୁ ଆରମ୍ଭ କରି କଥା କହିବା ଶୈଳୀ ପ୍ରତ୍ୟେକ କ୍ଷେତ୍ରରେ ମନମୋହନଙ୍କ ଛାପ ଛାଡିବାକୁ ପ୍ରୟାସ କରିଛନ୍ତି ଅନୁପମ ।

ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଲୁକରେ ନଜର ଆସିବାକୁ ଅନୁପମଙ୍କୁ ଢେର ପରିଶ୍ରମ କରିବାକୁ ପଡିଥିଲା । ପୂରା ମନମୋହନ ସିଂଙ୍କ ଭଳି ଦେଖାଯିବାକୁ ଅନୁପମ ଖେରଙ୍କୁ ୨ ଘଣ୍ଟା ମେକଅପ ନେବାକୁ ପଡୁଥିଲା । ଯାହାର ଭିଡିଓ ଏବେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଅନୁପମ । ଭିଡିଓରେ ପ୍ରଥମେ ତାଙ୍କର ଦାଢି ରଙ୍ଗ କରାଯାଉଥିଲା । ପରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ତ୍ୱଚା ଭଳି ଦେଖାଯିବାକୁ ଅନୁପମଙ୍କ ତ୍ୱଚାକୁ ମେକଅପ ଦିଆଯାଉଛି । ଶେଷରେ ଅନୁପମଙ୍କ ମୁଣ୍ଡରେ ପଗଡି ବନ୍ଧାଯାଉଛି ।  ଭିଡିଓ ଶେଷରେ ଅନୁପମ ସମ୍ପୂର୍ଣ୍ଣ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଭଳି ନଜର ଆସୁଛନ୍ତି ।

୧୧ ଜାନୁଆରୀରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ଅନୁପମ ଖେର ଓ ଅକ୍ଷୟ ଖାନ୍ନା ଲିଡ୍ ରୋଲରେ ନଜର ଆସିଛନ୍ତି । ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ୬ କୋଟିରୁ ଅଧିକ ଦର୍ଶକ ଦେଖି ସାରିଲେଣି ।