‘ତିତଲି’ ଛାଡିଯାଇଛି ଦୁଃଖ ! ଖୋଲା ଆକାଶ ତଳେ ଜୀବନ ପାଇଁ ଚାଲିଛି ସଂଘର୍ଷ ।

75

‘ସବୁ କିଛି ଉଜୁଡ଼ିଯାଇଛି । ନା ଅଛି ଜୀବିକା ନା ମୁଣ୍ତ ଗୁ˚ଜିବାକୁ ବାସ ଖଣ୍ତିକ ଅଛି । ‘ତିତଲି’ର ତାଣ୍ତବ ସବୁ କିଛି ପୋଛି ନେଇଛି । ଆଜି ବି ଆଖିରୁ ଲୁହ ଶୁଖିନି ବାବୁ। ପିଲା ଛୁଆଙ୍କୁ ଧରି ଏମିତି ମୁକୁଳା ଘରେ ପଡ଼ି ରହିଛି । କଲେକ୍ଟର, ତହସିଲଦାର ଆଉ କୋଉ ବାବୁଙ୍କ ଦେଖା ନାହିଁ । କିଛି ବାବୁ ପଚାରିକି ସବୁ ଲେଖିକି ନେଲେ । ସାହାଯ୍ୟ କରିବୁ ବୋଲି କହିଲେ । ହେଲେ ଆମ ଭଳି ଗରିବ ଆଦିବାସୀଙ୍କୁ କେବଳ ଭଗବାନ ସାହା । ଏମିତି ଦାଣ୍ତ ପିଣ୍ତାରେ ରାନ୍ଧୁଛୁ। ରାତିରେ ଶୀତ କାକରରେ ଶୋଉଛୁ । କେବଳ ପାଲ ଖଣ୍ତିଏ ଆମ ପାଇଁ ସାହା । ଭାଗ୍ୟକୁ ଆଦରି ଏମିତି ପଡ଼ି ରହିଛୁ’ ।

ଏହି କୋହଭରା ନିବେଦନ ହେଉଛି, ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ପାତ୍ରପୁର ବ୍ଲକ ଦୁର୍ଗମ ଆଙ୍କୁଲି ଓ ବୁରାତାଲ୍ ପଞ୍ଚାୟତର । ଦେଖୁ ଦେଖୁ ତିତଲି ବାତ୍ୟାକୁ ଆଜି ମାସେ ପୂରିଛି । ଆଉ ଏହାର କ୍ଷତିଭରଣା ପାଇଁ କେଉଁଠି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି ମାନେ ରିଲିଫ୍ ଅର୍ଥ ବାଣ୍ଟୁଛନ୍ତି ତ ଆଉ କେଉଁଠି ପୁନରୁଦ୍ଧାର କାମ ପାଇଁ ପ୍ରସ୍ତୁତି ସରିଛି । ହେଲେ କ୍ଷତିଗ୍ରସ୍ତ ଗ˚ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଦୁର୍ଗମ ଆଙ୍କୁଲି, ବୁରାତାଲ ଓ ତୁମ୍ବା ପଞ୍ଚାୟତର ସ୍ଥିତି ଯେମିତିକୁ ସେମିତି । ତିତଲି ବାତ୍ୟା ପାହାଡ଼ ଉପରେ ରହୁଥିବା ଆଦିବାସୀଙ୍କ ମେରୁଦଣ୍ତ ଭାଙ୍ଗି ଦେଇଥିବା ବେଳେ ପ୍ରଶାସନ କି ଜନପ୍ରତିନିଧି କାହରି ବି ଦେଖା ନାହିଁ, କି ନିଘା ନାହିଁ ।

ଚରିଆବାଡ଼ିରେ ଆଦିବାସୀ ମାନେ ତିତଲି ବାତ୍ୟାର ଛାତିଭରା ଦୃଶ୍ୟକୁ ବଖାଣିଛନ୍ତି । ଜୀବନକୁ ପାଣି ଛଡ଼ାଇ ଗୋଟିଏ ପୁରୁଣା ଭଙ୍ଗା ଛାତ ତଳେ ସେମାନେ କିଭଳି ସମୟ କାଟି ଥିଲେ ଏହି ଅନୁଭୂତିକୁ ସେମାନେ ଲୁହ ଛଳ ଛଳ ଆଖିରେ କହିଥିଲେ । ଗ୍ରାମରେ ପ୍ରାୟ ୧୫ ପରିବାର ରହୁଥିବା ବେଳେ ସେମାନଙ୍କ ଘର ଭାଙ୍ଗିଯାଇଥିବା ସହ ଉପରେ ପାଲ ପକାଇ ଭଙ୍ଗା କାନ୍ଥ ଆବଦ୍ଧରେ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଦେଖିବାକୁ ମିଳିଥିଲା । ରାଇଖାଲ ଗ୍ରାମର ଚିତ୍ର ଅତି ହୃଦୟବିଦାରକ ଥିଲା । ଗାଁରେ ୫୬ ପରିବାର ରହୁଥିବା ବେଳେ ଏହା ସ˚ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଆଙ୍କୁଲି ପଞ୍ଚାୟତରେ ୪୮ଟି ଗ୍ରାମ ରହିଥିବା ବେଳେ ଦୁଇ ଚାରିଟି ଗ୍ରାମକୁ ଛାଡ଼ିଦେଲେ ଅନ୍ୟ ସବୁ ଗ୍ରାମ ସମ୍ପୁର୍ଣ୍ଣ ଧ୍ବସ˚ ହୋଇଯାଇଥିଲେ ମଧ୍ୟ ଦୁଇହଜାର ଟଙ୍କା ଓ ପାଲ ଖଣ୍ତିକରେ ସନ୍ତୁଷ୍ଟ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଥିଲେ ।

ବୁରାତାଲ ପଞ୍ଚାୟତର କୁରୁଗୁଡ଼ ଗ୍ରାମରେ ସବୁ ମାଟିଘର ଧରାଶାୟୀ ପାଲଟିଥିବା ବେଳେ ୩୯ଟି ପରିବାର ସାହାଯ୍ୟ ପାଇଁ ଜଳକା ପରି ଚାହିଁ ବସିଥିବା ଦେଖିବାକୁ ମିଳିଥିଲା । ସେହିପରି ଏ.ଗାଇଡ଼ା, ଧୁବାଲିଙ୍ଗି, ବାଦୁଆ ଗ୍ରାମରେ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ, ତିତଲି ପ୍ରଭାବରେ ମକାଚାଷ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ଜୀବିକା ଉଜୁଡ଼ିଥିବା କହିଥିଲେ । ବୁରାତାଲରେ ବିଦ୍ୟାଳୟ ଘର ସହ ବହୁ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ରାସ୍ତାରେ ପଡ଼ି ରହିଥିବା ବଡ଼ଗଛକୁ ହଟାଇବାକୁ ଓଡ୍ରାଫ୍ ଟିମ୍ ଆଜି ସୁଦ୍ଧା ଆସି ନଥିବା ଗ୍ରାମବାସୀ କହିଥିଲେ । ବନ୍ୟଜାତ ଦ୍ରବ୍ୟ, ଫଳ, ସୂଆଁ, ଜନା, ମାଣ୍ତିଆ ଓ ଧାନ ଫସଲ ଉଜୁଡ଼ିଯାଇଥିବା କହିଥିଲେ ।