ସ୍ମାର୍ଟ ସିଟିର ବିକଳ ଚିତ୍ର ! ରାଜଧାନୀର କେନ୍ଦ୍ରସ୍ଥଳ ଇସ୍କନ ମନ୍ଦିର ଆଗରେ ବର୍ଷା ପାଣିରେ ଭାସିଲା କାର, ଭୁବନେଶ୍ୱରରେ ସୃଷ୍ଟି ହେଲା ବନ୍ୟାର ଭ୍ରମ

54

କନକ ବ୍ୟୁରୋ: କାର ଭାସିଲା ଭୁବନେଶ୍ୱରରେ । ସ୍ମାର୍ଟ ସିଟିର ଦୟନୀୟ ସ୍ଥିତି । ରାଜଧାନୀର ରାଜରାସ୍ତାରେ ବର୍ଷା ପାଣିରେ ବୁଡ଼ିଲା କାର । ଆଜି ଆଉ ସେଠାରେ ପାଣି ନାହିଁ କିନ୍ତୁ ଏହାର ରାଜଧାନୀରେ ବନ୍ୟାର ଭ୍ରମ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ସ୍ମାର୍ଟସିଟିରେ ଏଭଳି ଅବ୍ୟବସ୍ଥା କାହିଁକି । ମଝି ରାସ୍ତାରେ ପାଣିରେ ବୁଡ଼ିରହିଛି କାର୍ । ତେବେ କାରରେ ବୁଡ଼ି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି ।

ଏ ଚିତ୍ର ସେହି ବ୍ୟବସ୍ଥା ଓ ପ୍ରଶାସନ ଉପରେ ଆଙ୍ଗୁଳି ଉଠାଇଛି ଯେଉଁମାନଙ୍କ ହାତରେ ରହିଛି ବର୍ଷା ବିପର୍ଯ୍ୟୟ ପ୍ରଶମନ ଦାୟିତ୍ୱ । ସାମାନ୍ୟ ବର୍ଷା ହେଲେ କିଭଳି ଅସହାୟ ହୋଇପଡ଼େ ରାଜଧାନୀର ରାଜରାସ୍ତା ତାହା ଏ ଚିତ୍ର ସ୍ପଷ୍ଟ ବୟାନ କରୁଛି ।

ଇସ୍କନ ମନ୍ଦିର ସମ୍ମୁଖରେ ଏଭଳି ଚିତ୍ର କେବଳ ଏହି ବର୍ଷାର ନୁହେଁ । ବର୍ଷା ହେଲେ ବର୍ଷ ବର୍ଷ ଧରି ମନ୍ଦିର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୁଏ । ତେବେ ପ୍ରତିବର୍ଷ ବର୍ଷା ଆସେ, ପାଣି ଜମେ ଆଉ ଭୁଲିଯାଏ ପ୍ରଶାସନ । ଆଜି ସମାନ ଧରଣର ପରିସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ରାଜରାସ୍ତାରେ ସୃଷ୍ଟି ହୋଇଛି ବନ୍ୟାର ଭ୍ରମ । ଇସ୍କନ୍ ମନ୍ଦିର ପରି ରାଜଧାନୀର ପ୍ରମୁଖ ସ୍ଥାନରେ ରାସ୍ତା ଉପରେ ଚାଲିଛି ପାଣି । ତେବେ ପ୍ରଶ୍ନ ଉଠେ ରାଜଧାନୀର ରାସ୍ତାକୁ ଜାଣି ନଥିବା ବାହାରର କେହି ଇସ୍କନ୍ ମନ୍ଦିରକୁ ଆସିଲେ କଣ ହେବ ସ୍ଥିତି ?

ମୌସୁମୀ ବର୍ଷା ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରର ଏଭଳି ଅବସ୍ଥା ସୃଷ୍ଟି ହେବା ନିଶ୍ଚିତ ଭାବେ ଚିନ୍ତାଜନକ । ଖାସ୍ କରି ସେତେବେଳେ ଯେତେବେଳେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ତାଲିକାର ଶୀର୍ଷକୁ ନେବା ପାଇଁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର ।