ବିକ୍ରି ହେବ ହୋଟେଲ କଳିଙ୍ଗ ଅଶୋକ !

66

କନକ ବ୍ୟୁରୋ : ଭୁବନେଶ୍ୱରର ହୋଟେଲ୍ କଳିଙ୍ଗ ଅଶୋକ ବିକ୍ରି ହେବ । ରାଜ୍ୟରେ ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ- ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ବା ଆଇଟିଡିସିର ଏହା ଏକମାତ୍ର ହୋଟେଲ ଥିଲା । ତେବେ ଏହାର ବିକ୍ରି କିଭଳି ହେବ ଓ ଏହାର ଅଂଶଧନକୁ ରାଜ୍ୟ ସରକାର କିମ୍ବା ଅନ୍ୟ କେହି କେତେ ପରିମାଣରେ କିଣିବେ ସେ ନେଇ ଏବେ ଆଇନ ବିଭାଗର ପରାମର୍ଶ ଲୋଡ଼ାଯାଇଛି ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଇନ ବିଭାଗକୁ ପଠାଇ ଦେଇଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ ଥିବା ଆଇଟିଡିସି ହୋଟେଲରୁ ୭ଟିକୁ ବିକ୍ରି କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତିି । କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଆସାମ, ଅରୁଣାଚଳ ପ୍ରଦେଶ, ପୁଡୁଚେରୀ, ବିହାର ସରକାର ତାଙ୍କ ରାଜ୍ୟରେ ଥିବା ଆଇଟିଡିସିର ଏଭଳି ହୋଟେଲ୍ କିଣିବା ପାଇଁ ରାଜି ହୋଇଯାଇଛନ୍ତି । ତେବେ ଓଡ଼ିଶା ସରକାର ଏଥିରେ ଅଳ୍ପ କିଛି ଅଂଶଧନ ରଖି ତୃତୀୟ ପକ୍ଷକୁ ଅଂଶୀଦାର ରଖିବା ନେଇ ମଧ୍ୟ ଚିନ୍ତା କରୁଥିବା ଜଣାପଡ଼ିଛି ।

ଭୁବନେଶ୍ୱରର ହୋଟେଲ କଳିଙ୍ଗ ଅଶୋକ କେବଳ ୨୦୧୫-୧୬ରେ ୧୭୩.୭୭ କୋଟି ଟଙ୍କା କ୍ଷତି କରିଥିବା ତତ୍କାଳୀନ କେନ୍ଦ୍ର ସଂସ୍କୃ୍ତି ମନ୍ତ୍ରୀ ମହେଶ ଶର୍ମା ଡିସେମ୍ବର ମାସରେ ସଂସଦରେ ଉତ୍ତର ଦେଇଥିଲେ । ଓଡ଼ିଶା ସରକାର ହୋଟେଲ କଳିଙ୍ଗ ଅଶୋକର ଅଂଶଧନ କିଣିବା ପାଇଁ ବିଭିନ୍ନ ମଡେଲ୍ ଉପରେ ବର୍ତମାନ ବିଚାର କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ।