ଡାକ୍ତରଖାନାରେ ପାଣି ବଦଳରେ ମିଳିଲା ଏସିଡ୍ ! କର୍ମଚାରୀଙ୍କ ଭୂଲ ଯୋଗୁଁ ଏସିଡ୍ ପିଇ ଆଖି ବୁଜିଲେ ୬୦ ବର୍ଷୀୟ ମହିଳା

45

ପାଣି ବଦଳରେ ମିଳିଲା ଏସିଡ୍ । ଆଉ ଏହି ଏସିଡକୁ ପାଣି ଭାବି ପିଇବା ଦ୍ୱାରା ପ୍ରାଣ ହରାଇଲେ ମହିଳା । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଡାକ୍ତରଖାନା କର୍ମଚାରୀଙ୍କ ଭୂଲ ଯୋଗୁଁ ଚାଲି ଯାଇଛି ଜରେ ମହିଳା ରୋଗୀଙ୍କ ଜୀବନ । ମୁଜାଫରପୁରର ଏକ ଘରୋଇ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଦ୍ୱାରିକାପୁରା ଅଞ୍ଚଳର ୬୦ ବର୍ଷୀୟ ଶ୍ୟାମଳୀ ଦେବୀ ଆଖି ଅପରେସନ ପାଇଁ ମୁଜାଫରପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାଞ୍ଚ ପରେ ଆଖି ଅପରେସନ ମଧ୍ୟ କରାଯାଇଥିଲା । ଅପରେସନ ପରେ ମହିଳା ଜଣଙ୍କୁ ଔଷଧ ଖାଇବାକୁ ଦିଆଯାଇଥିଲା । ତେବେ ଔଷଧ ଖାଇବା ପାଇଁ ଶ୍ୟାମଳୀ ଦେବୀ ପାଣି ମାଗିବାରୁ ହସ୍ପିଟାଲ କର୍ମଚାରୀ ପାଣି ବଦଳରେ ଭୂଲ ବସତଃ ଏସିଡ ବୋତଲ ଦେଇଥିଲେ । ତେବେ ଏହାକୁ ପିଇବା ପରେ ତାଙ୍କ ଗଳା, ପାଟି ଓ ତଣ୍ଟି ପୋଡିଯାଇଥିଲା । ମହିଳା ଜଣଙ୍କ ଜୋରରେ ଚିକ୍ରାର କରିବା ଯୋଗୁଁ ପାଣି ବୋତଲ ଦେଇଥିବା କର୍ମଚାରୀ ନିଜ ଭୂଲ ବୁଝି ପାରି ତୁରନ୍ତ ଅପରେସନ୍ କରିଥିବା ଡାକ୍ତରଙ୍କୁ ଡାକିଥିଲେ। ତୁରନ୍ତ ଶ୍ୟାମଳୀ ଦେବୀଙ୍କୁ ନିକଟସ୍ଥ ଏକ ନର୍ସିଙ୍ଗହୋମକୁ ନିଆଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ହୋଇ ଯାଇଛି।

ଏସିଡ ପିଇବା ପରେ କଥା କହିବା ପରିସ୍ଥିତିରେ ନ ଥିବାରୁ ପୁଲିସ ତାଙ୍କ ଠାରୁ ବୟାନ ରେକର୍ଡ କରି ପାରି ନାହିଁ ବୋଲି କହିଛି। ସେ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ ଏତଲା ଦାଏର୍ ହୋଇଛି। ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଆଖିରେ ଅସ୍ତ୍ରୋପଚାର କରି ରଙ୍ଗୀନ ଦୁନିଆକୁ ଦେଖିବାକୁ ଚାହୁଁଥିଲେ ୬୦ ବର୍ଷୀୟ ଶ୍ୟାମଳୀ ଦେବୀ । କିନ୍ତୁ ରଙ୍ଗୀନ ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ଶ୍ୟାମଳୀ ଦେବୀ ।