ପୁଣି ସାମ୍ନାକୁ ଆସିଲା ଅନର କିଲିଂ ଘଟଣା । ୨୦ ବର୍ଷିୟ ପ୍ରେମିକ ଓ ୧୫ ବର୍ଷର ଝିଅକୁ ହତ୍ୟା କଲେ ପରିବାର ଲୋକେ, ପୂରା ଘଟଣା ଉପରୁ ପରଦା ଉଠାଇଲା ପୋଲିସ

42

କନକ ବ୍ୟୁରୋ : ସମ୍ମାନ ଆଗରେ ହାର ମାନିଲା ପ୍ରେମ । ମହଙ୍ଗା ପଡିଲା କୋମଳ ବୟସରେ ପ୍ରେମ କରିବା । ବିବାହ ପାଇଁ ଘରେ ମିଳିଲା ନାହିଁ ଅନୁମତି । ସମ୍ମାନ ପାଇଁ ପ୍ରେମୀ ଯୁଗଳଙ୍କୁ ହତ୍ୟା କଲା ପରିବାର । ଏଭଳି ଏକ ଲୋମହର୍ଷକାରୀ ଅନର କିଲିଂ ଉପରୁ ପରଦା ଉଠାଇଛି ବୋରିଗୁମା ପୋଲିସ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପ୍ରେମ ପାଇଁ ଝିଅକୁ ହତ୍ୟାକଲା ଜନ୍ମ ବାପା । ପ୍ରେମ କରିବା ମହଙ୍ଗା ପଡ଼ିଲା, ବାରଣ ସତ୍ୱେ ନଶୁଣିବାରୁ ପ୍ରେମୀ ଯୁଗଳକୁ ହତ୍ୟା କଲେ ପରିବାର । ସମ୍ମାନ ଆଗରେ ହାର ମାନିଲା ପ୍ରେମ । ଏଭଳି ଏକ ଘଟଣା ଘଟିବାର ଏକ ମାସ ପରେ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ମାସ ୨୦ ତାରିଖରେ କୋରାପୁଟ ଜିଲ୍ଳା କୁସୁମି ନିକଟ ରେଳ ଲାଇନରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରେମରେ ଅସଫଳ ହୋଇଥିବା ଯୋଗୁଁ ଆତ୍ମହତ୍ୟା କଲେ ବୋଲି ପ୍ରଚାର ହେଲା । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରିରଖିଥିଲା ।

କିନ୍ତୁ ରେଳ ଲାଇନରେ ମୃତ ଦେହ ପଡ଼ିଥିବା ଅବସ୍ଥାରେ କୌଣସି ରକ୍ତର ଚିହ୍ନ ଦେଖିବାକୁ ମିଳିନଥିଲା, ଯାହାକୁ ନେଇ ପୁଅ ଘର ଲୋକ କେହି ହତ୍ୟା କରିଥିବା ସନ୍ଦେହ କରି ଅଭିଯୋଗ କରିଥିଲେ । ପରେ ପୋଲିସର ତଦନ୍ତ ଆଗକୁ ବଢିଥିଲା । ଆଉ ଦୀର୍ଘ ଏକ ମାସ ପରେ ପୋଲିସକୁ ମିଳିଛି ଅନର କିଲିଂ ଚେର । ମୁଖ୍ୟ ଆସାମୀ ଝିଅର ବାପା ମେଟା ମୁଦୁଲି , ଭାଇ ଓ ସର୍ମ୍ପକୀୟ ମାନେ ମିଶି ପ୍ରେମୀ ଯୁଗଳଙ୍କୁ ମାରିଥିବା ତଦନ୍ତରେ ଜଣା ପଡିବା ପରେ ଏମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । ଆଉ ଏହି ଅନର କିଲିଂର ପୂରା କାହାଣୀ ଉପରୁ ପରଦା ଉଠାଇବା ପରେ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ କୋରାପୁଟ ଏସପି ଜଣାଇଛନ୍ତି ।

କୁସୁମି ପଚାଂୟତର ମୁଣ୍ଡିପଦର ଗ୍ରାମର ପର୍ଶୁରାମ ମୁଦୁଲି ଓ ସେହି ଗ୍ରାମର ଧନମତି ମୁଦୁଲି ଗୋଟିଏ ସ୍କୁଲରେ ପାଠ ପଢୁଥିବା ବେଳେ ପରସ୍ପରକୁ ମନ ଦେଇ ବସିଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କ ଦେଢ଼ବର୍ଷ ହେଲା ଗଢି଼ି ଉଠିଥିଲା । ଉଭୟ ଗାଁ ଓ ସ୍କୁଲରେ ମିଶି ବୁଲିବାର ଗାଁ ଠାରୁ ବିଦ୍ୟାଳୟ ସମସ୍ତେ ଜାଣିଥିଲେ । ହଠାତ ଗାଁ ନିକଟ ଏକ ସାପ୍ତାହିକ ହାଟକୁ ଯିବାକୁ କହି ଆଉ ଫେରି ନଥିଲେ ପ୍ରେମୀ ଯୁଗଳ । ପରେ ସେମାନଙ୍କ ମୃତ ଦେହ କୁସୁମି ନିକଟ ଚିକାପାଲି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ମଧ୍ୟ ତଦନ୍ତ ପରେ ଏହା ଅନରକିଲିଂ ବୋଲି ଜଣା ପଡିଥିଲା ।