ମୃତ୍ୟୁ ପାଇଁ ଅପରେସନ ? ଜୀବନ ଜିଇଁବା ଆଗରୁ ଅପରେସନ ଟେବୁଲରେ ଚାଲିଗଲା କୁମାରୀ ମା’ର ଜୀବନ, ୭ ମାସର ଗର୍ଭବତୀ ଝିଅକୁ ପର କରିଦେଲା ପରିବାର

42

କନକ ବ୍ୟୁରୋ : କୁମାରୀ ମାଆକୁ ମାରିଦେଲେ । ଜଗତସିଂହପୁର ଧଳତଙ୍ଗଗଡ ଜଙ୍ଗଲରୁ ମିଳିଥିବା ମୃତଦେହ ପଛରେ ଥିବା ରହସ୍ୟ ଖୋଲିଛି ପୁଲିସ । ୭ ମାସର ଗର୍ଭବତୀ ଝିଅର ଅବୈଧ ଗର୍ଭନଷ୍ଟ କରିବା ଯୋଗୁଁ ଅପରେସନ ଟେବୁଲରେ ହିଁ ତାଙ୍କର ମୃ୍ତ୍ୟୁ ହୋଇଥିଲା । ଏହା ପରେ ମୃତଦେହକୁ ଘରକୁ ନନେଇ ହାତଗୋଡ ବାନ୍ଧି ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିଲା । ଡାକ୍ତର, ଦୁଇ ଜଣ ନର୍ସ, ଅଟୋ ଡ୍ରାଇଭର ଓ ମୃତ ଯୁବତୀଙ୍କ ବାପାଙ୍କ ବିରୋଧରେ ୩୦୨ ଦଫା ଭଳି ମର୍ଡର ଚାର୍ଜ ଲଗାଇ କୋର୍ଟ ଚାଲଣ କରିଛି ପୁଲିସ ।

murderସିକୁ ସୁତାର । ବୟସ ମାତ୍ର ୨୪ ବର୍ଷ । ଜୀବନକୁ ଭରପୂର ଜିଇଁବା ପୂର୍ବରୁ ଚାଲିଗଲା ଜୀବନ । ଅବୈଧ ଗର୍ଭପାତ ଯୋଗୁଁ ହେଲା ମୃତ୍ୟୁ । ଜଗତସିଂହପୁର ଧଳତଙ୍ଗଗଡ ଜଙ୍ଗଲରୁ ମିଳିଥିବା ସିକୁ ସୁତାରଙ୍କ ମୃତଦେହ ପଛରେ ଥିବା ରହସ୍ୟ ଖୋଲିଛି ପୁଲିସ । ଲୋକ ଲଜ୍ଜାରୁ ବର୍ତିବା ପାଇଁ ୭ ମାସର ଗର୍ଭବତୀ କୁମାରୀ ଝିଅକୁ ବେଆଇନ ଭାବେ ଗର୍ଭପାତ କରି ମୃତ୍ୟୁମୁଖକୁ ଠେଲି ଦେଇଥିଲା ପରିବାର ।

ଏହି କାହାଣୀ ଯେତିକି ଦୁଃଖଦାୟକ, ସେତିକି ରହସ୍ୟମୟ । ଯାହା ଅନର୍ କିଲିଂର ଏକ ଭିନ୍ନ ରୂପ । ଯେତେବେଳେ କୁମାରୀ ଝିଅ ଗର୍ଭବତୀ ହୋଇଥିବା ଜଣାପଡିଲା, ଗର୍ଭପାତ କରାଇ ସାମାଜିକ ସମ୍ମାନ ରକ୍ଷା ପାଇଁ ଲାଗିପଡିଥିଲା ପରିବାର । ଆଉ ବେଆଇନ ଭାବେ ୭ ମାସ ଗର୍ଭ ନଷ୍ଟ ପାଇଁ ସହଯୋଗର ହାତ ବଢାଇଥିଲା ମମତା କ୍ଲିନିକର ଡାକ୍ତର ହାରାମଣୀ ମହାରଣା । ମାତ୍ର ଅପରେସନ୍ ଟେବୁଲରେ ପ୍ରାଣ ହରାଇଥିଲା ସିକୁ । ଏହା ପରେ ମୃତଦେହକୁ ଘରକୁ ନନେଇ ହାତଗୋଡ ବନ୍ଧି ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିଲା । ଡାକ୍ତର, ଦୁଇ ଜଣ ନର୍ସ, ଅଟୋ ଡ୍ରାଇଭର ଓ ମୃତ ଯୁବତୀଙ୍କ ବାପାଙ୍କ ବିରୋଧରେ ୩୦୨ ଦଫା ସହ ୫ ଟି ସଂଗୀନ ଦଫା ଲଗାଇ ଗିରଫ କରିଛି ରଘୁନାଥପୁର ପୁଲିସ ।

ରଘୁନାଥପୁର ଥାନା ଅନ୍ତର୍ଗତ ଅନୋଲି ପାଟଣାର ଝିଅ ସିକୁ ସୁତାରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଅବୈଧ ଗର୍ଭପାତ କରିଥିବା ଡାକ୍ତର, ନା ମିଛ ସମ୍ମାନ ପାଇଁ ଗର୍ଭନଷ୍ଟ କରାଇବାକୁ କ୍ଲିନିକ୍ ନେଇଥିବା ବାପା? ଏହାରି ଭିତରେ ଆଉ ଏକ ପ୍ରଶ୍ନ ମଧ୍ୟ ସାଧାରଣରେ ଆନ୍ଦୋଳିତ କରିଛି । ସିକୁଙ୍କୁ ଗର୍ଭବତୀ କରିଥିବା ସଇତାନ ଗଲା କୁଆଡେ? ସୂଚନା ମିଳୁଛି ସିକୁଙ୍କ ନିକଟ ସଂପର୍କୀୟ ହିଁ ଏଥିପାଇଁ ଦାୟୀ । ଆଖିକୁ ଏହା ଅବୈଧ ଗର୍ଭପାତ ଜନିତ ମୃତ୍ୟୁ ଭଳି ଦେଖାଯାଉଥିବା ବେଳେ ବାସ୍ତବରେ ଏହା ଅନର୍ କିଲିଙ୍ଗର ଭୟାନକ ପରିଣାମ । ଡାକ୍ତର, ପରିବାର ଲୋକ ଏବଂ ଏଥିରେ ସହଯୋଗ କରିଥିବା ସମସ୍ତେ ମିଳିମିଶି ନେଇ ଯାଇଛନ୍ତିି ଜଣେ କୁମାରୀ ମାଆର ଜୀବନ ।