ଗଞ୍ଜାମରେ ଅନର୍ କିଲିଂ : ବିବାହରେ ରାଜି ନହେବାରୁ ଝିଅକୁ ମାରିଦେଲେ ବାପା ମା’

20

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଅନର୍ କିଲିଂ । ବାପାମାଆ ଠିକ୍ କରିଥିବା ବିବାହରେ ରାଜି ନହୋଇ ନିଜେ ଭଲ ପାଉଥିବା ଯୁବକଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ ଝିଅର ଗଳାକାଟି ମା ବାପା ହତ୍ୟା କରିଛନ୍ତି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗାଁରେ ।

ଘଟଣାରେ ପୋଲିସ ଅଭିଯୁକ୍ତ ମା ରେଣୁ ଜେନା ଓ ବାପା ସୌର ଜେନାଙ୍କୁ ଗିରଫ କରିଛି । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଗଷ୍ଟ ୪ ତାରିଖ ଅପରାହ୍ନରେ କୁକୁଡାଖଣ୍ଡି ନିକଟସ୍ଥ କାଉଖତ କେନାଲରୁ ଜଣେ ଯୁବତୀଙ୍କ ଗଳିତ ଶବ ପୋଲିସ ଜବତ କରିଥିଲା । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ଜଣାପଡିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଅଗଷ୍ଟ ୭ ତାରିଖରେ ପୋଲିସ ଗୌତମୀ ଗ୍ରାମର ସୌର ଓ ରେଣୁଙ୍କ ଝିଅ ସନ୍ତୋଷୀନୀ ଜେନା ବୋଲି ପରିଚୟ ପାଇଥିଲା । ୮ ତାରିଖରେ ପୋଲିସ ଜେରା ଆରମ୍ଭ କରିଥିଲା । ପ୍ରଥମେ ଅରାଜି ହେଉଥିବା ବାପାମା ପରେ ଦୋଷ ସ୍ୱୀକାର କରିବା ସହ ସମସ୍ତ ଘଟଣା ପୋଲିସକୁ କହିଥିଲେ।