ସରିଲା ୩୮ ଦିନର ଲୁଚକାଳି ଖେଳ : ପୋଲିସ ହାତରେ ଧରା ପଡିଲେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ

73

କନକ ବ୍ୟୁରୋ : ପଂଜାବର ଜିରକପୁର-ପାଟିଆଲା ରୋଡ ମଝିରେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତକୁ ଗିରଫ କରିଛି ହରିୟାଣା ପୁଲିସ । ବୁଧବାର ଦିନ ପଂଚକୁଲା କୋର୍ଟରେ ହନିପ୍ରୀତକୁ ହାଜର 30-5କରାଯିବ । ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ଓ ଦଙ୍ଗା ପାଇଁ ଷଡଯନ୍ତ୍ର ଭଳି ସଂଗୀନ ମାମାଲା ରହିଛି । ପୂର୍ବରୁ ହନିପ୍ରୀତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ସରେଣ୍ଡର କରିବାକୁ ପରାମର୍ଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହା ପରେ ହନିପ୍ରୀତ, ପଂଜାବ-ହରିୟାଣା ହାଇକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ସରେଣ୍ଡର କରିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି ।

ପୁଲିସକୁ ସୂଚନା ମିଳିଥିଲା ଜୀରକପୁର-ପଟିଆଲା ରୋଡ ଦେଇ ଚଣ୍ଡୀଗଡ଼ ଆଡକୁ ଯାଉଛି ହନିପ୍ରୀତଙ୍କ କାର । ଏହି ଖବର ପାଇବା ପରେ ତାଙ୍କୁ ପିଛା କରିଥିଲା ହରିୟାଣା ପୁଲିସର ସ୍ୱତନ୍ତ୍ର ଟିମ୍ । ବାରମ୍ବାର ବେଶ ବଦଳାଇ ପୁଲିସକୁ ଚକମା ଦେଉଥିବା ହନିପ୍ରୀତଙ୍କ ପାଇଁ ଏଥର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା । ହାଇକୋର୍ଟରେ ସରେଣ୍ଡର କରିବା ପୂର୍ବରୁ ପୁଲିସ ପଂଝାରେ ପଡିଥିଲେ ହନିପ୍ରୀତ ।

ଗତ ଅଗଷ୍ଟ ୨୫ ତାରିଖ ଦିନ ପଂଚକୁଳା ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେହି ଦିନ ରାମରହିମଙ୍କ ସହ କୋର୍ଟ ଏବଂ ପରେ ରୋହତକ ଜେଲ ପର୍ଯ୍ୟନ୍ତ ଯାଇଥିଲେ ହନିପ୍ରୀତ । ହେଲେ ଏହାପରଠାରୁ ପୁଲିସ ଆଖିରେ ଧୂଳି ଦେଇ ସେ ଫେରାର ହୋଇ ଯାଇଥିଲେ । ହରିୟାଣା ପୁଲିସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ, ମାତ୍ର ହନିପ୍ରୀତଙ୍କ ପତ୍ତା ମିଳିନଥିଲା । ନେପାଳକୁ ଖସି ପଳାଇ ଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସରେଣ୍ଡର କରିବା ଛଡା ତାଙ୍କ ନିକଟରେ ଆଉ କିଛି ଚାରା ନଥିଲା । ଗିରଫ କରିବା ପରେ ଅଗଷ୍ଟ ୨୫ ତାରିଖ ଦିନ ପଂଚକୁଳା ଦଙ୍ଗା ନେଇ ହନିପ୍ରୀତଙ୍କୁ ପଚରାଉଚରା କରୁଛି ପୁଲିସ ।