ପଞ୍ଚକୁଳା ହିଂସା ପାଇଁ ହନିପ୍ରୀତ ଦେଇଥିଲେ ୧.୨୫ କୋଟି

41

କନକ ବ୍ୟୁରୋ: ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ବାବା ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଗିରଫ ହେବାପରେ ଏବେ ୬ ଦିନିଆ ପୁଲିସ ରିମାଣ୍ଡରେ ଅଛନ୍ତି । ତେବେ ହନିପ୍ରୀତଙ୍କୁ ରିମାଣ୍ଡରେ ନେବାର ଗୋଟିଏ ଦିନ ପରେ ପଞ୍ଚକୁଳା ପୁଲିସ ଦାବି କରିଛି ଯେ ପଞ୍ଚକୁଳା ହିଂସାକାଣ୍ଡର ସେ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ ।

ହିଂସାକାଣ୍ଡ ଘଟାଇବାପାଇଁ ସିର୍ସା ମୁଖ୍ୟ କାର୍ଯ୍ୟାଳୟ ଡେରାରେ ସେ ହିଁ ସମର୍ଥକମାନଙ୍କ ମଧ୍ୟରେ ଟଙ୍କା ବାଣ୍ଟିଥିଲେ । ଏପରିକି ଡେରା ମୁଖ୍ୟଙ୍କ ପରିବାର ସଦସ୍ୟ ମଧ୍ୟ ହନିପ୍ରୀତଙ୍କ ଦୟାରେ ରହିଥିଲେ ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି । ଅଗଷ୍ଟ ୨୫ ତାରିଖରେ ବାବା ରାମ ରହିମ ଦୁଷ୍କର୍ମ ମାମଲାରେ ଦୋଷି ସାବ୍ୟସ୍ତ ହେଲେ ପଞ୍ଚକୁଳାରେ ହିଂସାକାଣ୍ଡ ଘଟାଇବାପାଇଁ ସେ ହିଁ କିଛି ଡେରା ସମର୍ଥକଙ୍କ ମଧ୍ୟରେ ୧.୨୫ କୋଟି ଟଙ୍କା ବାଣ୍ଟିଥିଲେ ।

ପୁଲିସ କମିସନର ଏଏସ ଚାଓ୍ଵଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଥିନେଇ ସେମାନଙ୍କ ନିକଟରେ ବଳିଷ୍ଠ ପ୍ରମାଣ ରହିଛି । ଏପରିକି ଜଣେ ଡେରା ସମର୍ଥକଙ୍କଠାରୁ ଉଦ୍ଧାର କରାଯାଇଥିବା ୨୪ ଲକ୍ଷ ଟଙ୍କା ସ୍ପଷ୍ଟ କରିଦେଉଛି ଯେ ହନିପ୍ରୀତଙ୍କ ମାଧ୍ୟମରେ ହିଁ ହିଂସା ଘଟାଇବାପାଇଁ ଟଙ୍କା ବଣ୍ଟା ଯାଇଥିଲା । ସେମାନଙ୍କ ଯୋଜନା ଥିଲା ଯଦି ବାବା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଅମ୍ବାଲା ରାସ୍ତାରୁ ଖସାଇ ଦେବା । କାରଣ ସେମାନଙ୍କ ନିକଟରେ ଖବର ଥିଲା ଯେ ବାବା ଅମ୍ବାଲା ଜେଲକୁ ଯିବେ ।