କନକ ବ୍ୟୁରୋ : କେଉଁଠି ଥିଲେ ହନିପ୍ରୀତ ? ୩୮ ଯାଏଁ କେଉଁଠି ଲୁଚିଥିଲେ ବାବାଙ୍କ ଲାଡଲି । ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ଗିରଫ ହେବା ପରେ ହରିୟାଣା ପୁଲିସ ପାଇଁ ସବୁଠୁ ବଡ଼ ଚାଲେଂଜ୍ ପାଲଟିଛି ତାଙ୍କ ଲୁଚିଥିବା ଠିକଣା ପାଇବା । ରାମରହିମ୍ ଜେଲ ଯିବାର ୩୮ ଦିନ ପର୍ଯ୍ୟନ୍ତ ପୁଲିସ ଆଖିରେ ଧୂଳି ଦେଇ ଲୁଚିବା କିପରି ହେଲା ସମ୍ଭବ ? ଏବେ ଉତ୍ତର ଖୋଜିବା ଆରମ୍ଭ କରିଛି ପୁଲିସ ।

honeypritବାବା ରାମରହିମ୍ ଜେଲକୁ ଯିବା ବେଳେ ଶେଷଥର ପାଇଁ ନଜର ଆସିଥିଲେ ଝିଅ ହନିପ୍ରୀତ୍ ଇନସାନ୍ । ଏହାପରେ ଆରମ୍ଭ ହୋଇଥିଲା ହରିଆଣା ପୁଲିସ ଓ ହନିପ୍ରୀତଙ୍କ ଲୁଚକାଳି ଖେଳ । ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ଅଗଷ୍ଟ ୨୭ ଓ ୨୮ ତାରିଖ ଦିନ ହନିପ୍ରୀତ ଲୁଚିଥିଲେ ହନୁମାନଗଡ଼ ନିଜ ସଂପର୍କୀୟଙ୍କ ଘରେ । ଅଗଷ୍ଟ ୨୯ରେ ପୁଲିସ୍ ସେଠାରେ ପହଂଚିବା ପୂର୍ବରୁ ସେ ଗାୟବ ହୋଇସାରିଥିଲେ ହନୁମାନଗଡ଼ରୁ ।

ଅଗଷ୍ଟ ୩୦ ତାରିଖରେ ସେ ଲୁଚିଥିଲେ ରାଜସ୍ତାନର ସଂଗରିଆର ଡେରା ପ୍ରେମୀଙ୍କ ଘରେ । ସେପ୍ଟେମ୍ବର ୨ ତାରିଖରେ ହନିପ୍ରୀତଙ୍କୁ ଦେଖିବାକୁ ମିଳିଥିଲା ଉଦୟପୁରର ଏକ ସପିଙ୍ଗ୍ ମଲରେ । ତେବେ ପୁଲିସ ପହଂଚିବା ପୂର୍ବରୁ ଯାଇସାରିଥିଲେ ହନିପ୍ରୀତ । ୟା ଭିତରେ ସେ ନେପାଳରେ ଥିବାର ଖବର ଆସିଥିଲା । ନେପାଳ ଓ ହରିଆଣା ପୁଲିସର ମିଳିତ ଟିମର ବ୍ୟାପକ ଚଢ଼ାଉ ସତ୍ୱେ ମିଳିନଥିଲା ହନିପ୍ରୀତଙ୍କ ସୁରାକ୍ ।

honey-preet-exclusive-647_100317092341ଠିକଣା ବଦଳାଇବାରେ ମାହିର ହନିପ୍ରୀତଙ୍କୁ ଏହାପରେ ପୁଲିସ୍ ଠାବ କରିଥିଲା ବାବାଙ୍କ ଗାଁ ଗୁରୁସର୍ ମୋଦିୟାରେ । ତେବେ ସେଠି ବି ପୁଲିସକୁ ଚକମା ଦେବାରେ ସଫଳ ହୋଇଥିଲେ ହନିପ୍ରୀତ । ସେପ୍ଟେମ୍ବର ୨୫ରେ ଦିଲ୍ଲୀ ଲଜପତ ନଗରରେ ନିଜ ଓକିଲଙ୍କ ଘରେ ହନିପ୍ରୀତ ରହିଥିଲେ ୨ ଘଂଟା । ତେବେ ସିସିଟିଭି ଫୁଟେଜ୍ ଯାଂଚ କରିବାରେ ସମୟ ବିତିଗଲା ବେଳେ ପୁଣି ଗାୟବ ହୋଇସାରିଥିଲେ ହନିପ୍ରୀତ ।

୩୮ ଦିନର ବ୍ୟବଧାନ ପରେ ଶେଷ ହୋଇଥିଲା ହନିପ୍ରୀତ ଓ ହରିଆଣା ପୁଲିସର ଲୁଚକାଳି ଖେଳ । ପୂର୍ବରୁ ପୁଲିସକୁ ସୂଚନା ମିଳିଥିଲା ଜୀରକପୁର-ପଟିଆଲା ରୋଡ ଦେଇ ଚଣ୍ଡୀଗଡ଼ ଆଡକୁ ଯାଉଛି ହନିପ୍ରୀତଙ୍କ କାର । ଏହି ଖବର ପାଇବା ପରେ ତାଙ୍କୁ ପିଛା କରିଥିଲା ହରିୟାଣା ପୁଲିସର ସ୍ୱତନ୍ତ୍ର ଟିମ୍ । ବାରମ୍ବାର ବେଶ ବଦଳାଇ ପୁଲିସକୁ ଚକମା ଦେଉଥିବା ହନିପ୍ରୀତଙ୍କ ପାଇଁ ଏଥରକ ସବୁ ରାସ୍ତା ବନ୍ଦ ହୋଇଯାଇଥିଲା ।

honeypreet-after-arrest-650_650x400_51507051202ହାଇକୋର୍ଟରେ ସରେଣ୍ଡର କରିବା ପୂର୍ବରୁ ପୁଲିସ ପଂଝାରେ ପଡିଥିଲେ ହନିପ୍ରୀତ । ପୂର୍ବରୁ ହନିପ୍ରୀତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ସରେଣ୍ଡର କରିବାକୁ ପରାମର୍ଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହା ପରେ ହନିପ୍ରୀତ ପଂଜାବ-ହରିୟାଣା ହାଇକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ସମର୍ପଣ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା ଓ ଲୁଚକାଳି ଖେଳରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ ।