ଦୋଷ ମାନିଲେ ବାବା ରାମରହିମଙ୍କ ଲାଡଲୀ ! ପଂଚକୁଲା ହିଂସା ପଛରେ ହାତ ଥିବା ସ୍ୱୀକାର କଲେ ହନିପ୍ରୀତ, ସତ ଓଗାଳିଲା ହରିଆଣା ପୁଲିସର ସ୍ୱତନ୍ତ୍ର ଟିମ୍

29

କନକ ବ୍ୟୁରୋ : ଦୋଷ ସ୍ୱୀକାର କଲେ ହନିପ୍ରୀତ । ଅଗଷ୍ଟ ୨୫ ତାରିଖରେ ପଂଚକୁଲାରେ ଘଟିଥିବା ହିଂସାରେ ତାଙ୍କର ହାତ ଥିବା ନେଇ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ବାବା ରାମରହିମଙ୍କ ଲାଡଲୀ ହନିପ୍ରୀତ । ପୋଲିସ ଲଗାତାର ତାଙ୍କ ପଚରାଉଚରା କରୁଥିବା ବେଳେ ପ୍ରଥମରୁ ସେ ମୁହଁ ଖୋଲୁନଥିଲେ । କିନ୍ତୁ ଶେଷରେ ହିଂସା କାଣ୍ଡ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ରାମ ରହିମଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଅଗଷ୍ଟ ୧୭ ତାରିଖରେ ଡେରାରେ ଏକ ବୈଠକ ହୋଇଥିଲା ।

honeypreetଏହି ବୈଠକରେ ହିଁ ହିଂସାର ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଥିଲା ବୋଲି ହନିପ୍ରୀତ କହିଥିବା ସୂଚନା ମିଳିଛି । ହରିଆଣା ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ନିକଟରେ ହନିପ୍ରୀତ ହିଂସା ସୃଷ୍ଟି କରିବା ପାଇଁ କରିଥିବା ସମସ୍ତ ଯୋଜନାର ଖୁଲାସା କରିଛନ୍ତି । ଡେରାରେ ହୋଇଥିବା ବୈଠକରେ କିଏ କେଉଁ ଅଂଚଳକୁ ଯିବେ, କେଉଁ ଅଂଚଳରେ ହିଂସା ସୃଷ୍ଟି କରାଯିବ, ତାହା ଯୋଜନାବଦ୍ଧ ଭାବେ କରାଯାଇଥିଲା । ଏଥିପାଇଁ ପୂର୍ବରୁ ଏକ ମ୍ୟାପ ମଧ୍ୟ ତିଆରି ହୋଇଥିବା ହିନିପ୍ରୀତ ଏସଆଇଟିକୁ କହିଛନ୍ତି । ହନିପ୍ରୀତଙ୍କ ଗୁପ୍ତ ଡାଏରୀ ଓ ଲାପଟପରେ ଏହି ସମସ୍ତ ଘଟଣାର ତଥ୍ୟ ରହିଥିବା ପୋଲିସ ସୂଚନା ଦେଇଛି ।

ଏହା ସହ ଡେରା ସଚ୍ଚା ସୌଦାର କଳାଧନ୍ଦାର ସମସ୍ତ ତଥ୍ୟ ହନିପ୍ରୀତ ପାଖରେ ରହିଛି ବୋଲି ଜଣାପଡିଛି । ଅନ୍ୟପଟେ ହିନିପ୍ରୀତଙ୍କ ମୋବାଇଲକୁ ଖୋଜୁଛି ପୋଲିସ । ଏହା ଉତ୍ତରପ୍ରଦେଶର ବିଜନୌରରେ ଥିବା ତାଙ୍କର ଜଣେ ସଂପର୍କୀୟ ଘରେ ରହିଥିବା ଜଣାପଡିଛି । ରାମ ରହିମଙ୍କୁ ଅଗଷ୍ଟ ୨୫ ତାରିଖରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ପଂଚକୁଲା ସମେତ ଅନ୍ୟ କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ୩୮ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏହା ସହ ଶତାଧିକ ଲୋକ ଆହତ ହୋଇଥିଲେ । ଏହି ହିଂସା ଘଟଣାରେ ମୋଟ ୯୨୬ ଜଣଙ୍କୁ ଗିରଫ କରାଯାଇଛି ।