ବୋଝ ଉପରେ ନଳିତା ବିଡା: ଫନି ଉଡାଇ ନେଇଥିଲା, ବର୍ଷା ଭାଙ୍ଗିଦେଲା । ଘର ନଥିବାରୁ ପର ପିଣ୍ଡାରେ ପାଞ୍ଚ ଜୀବନ

201

କନକ ବ୍ୟୁରୋ: ଭାଙ୍ଗି ଯାଇଛି ଘର, ଉଡି ଯାଇଛି ଛପର । ଆଉ ଦରଭଙ୍ଗା ଅବସ୍ଥାରେ ଦୋହଲୁଛି ମାଟିର କାନ୍ଥ, ଘରର କବାଟ । ଫନି ପରେ ପରେ ଦୀର୍ଘ ୪ ମାସ ହେବ ୟାରି ଭିତରେ ବିତୁଛି ଜୀବନ । କେତେବେଳେ କିଛି ବି ହୋଇପାରେ, ଭଙ୍ଗା କାନ୍ଥ ଭୁଷୁଡିପାରେ, ନଇଁପଡିଥିବା ଛପର ଖସିପାରେ ଆଉ ଅକାଳରେ ଚାଲିଯାଇପାରେ ପାଞ୍ଚ ପାଞ୍ଚଟି ଜୀବନ । ସେଇ ଆଶଙ୍କରେ ଭଙ୍ଗା ଘରେ ନରହି ପର ପିଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ପାଞ୍ଚପ୍ରାଣୀ କୁଟୁମ୍ବ । ଆଜି ୟା ପିଣ୍ଡାରେ ତ କାଲି ପଞ୍ଚାୟତ ବାରଣ୍ଡାରେ ଯାଯାବର ଭଳି ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ନିତ୍ୟାନନ୍ଦ ଓ ତାଙ୍କ ପରିବାର ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂ ଗାଁର ନିତ୍ୟାନନ୍ଦ ଦାସ । ଛୋଟ ଚାଳଘରେ ଛୋଟ ପରିବାର ସହ ହସଖୁସିରେ ରହୁଥିଲେ । ହେଲେ ଫନିର ପ୍ରଳୟଙ୍କରୀ ପବନରେ ସବୁକିଛି ଉଜୁଡିଯିବା ପରେ ଏବେ ନିତ୍ୟାନନ୍ଦଙ୍କ କାନ୍ଧରେ ଦୁଃଖ ନାଉ ହୋଇ ବୁଲୁଛି । କାହାଠୁ ପଲିଥିନଟିଏ ମାଗିଆଣି ଭଙ୍ଗା ଛପରକୁ ଢାଙ୍କି ଥାମା କରି ଦିନ କାଟୁଥିଲେ । ହେଲେ ଲଗାଣ ବର୍ଷା ପରେ ପରିସ୍ଥିତି ସାଙ୍ଘାତିକ ହୋଇଛି । ଘରେ ପାଣି ପଶିବା କାରଣରୁ କାନ୍ଥ ଭାଙ୍ଗିଛି, ଘର କାଦୁଅ ହୋଇଛି ଆଉ ଜୀବନ ଜଇଁବା ଦୁର୍ବିସହ ହୋଇଛି ।

ବର୍ଷା ପାଣି ଚୁଲିରେ ପଶିଯିବା ପରେ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟରେ ଓଦାକନା ପଡିଛି । ସେପଟେ ଘରର ଏକମାତ୍ର ରୋଜଗାରିଆ ଲୋକ ନିତ୍ୟାନନ୍ଦ ଗୋଡହାତ ବାନ୍ଧି ବସିଛନ୍ତି । କାରଣ ନିତ୍ୟାନନ୍ଦଙ୍କୁ ୫ ମାସ ହେବ ଜଣ୍ଡିସ ହୋଇଛି । ରୋଗ ପାଇଁ ନିତ୍ୟାନନ୍ଦ କାମଧନ୍ଦାକୁ ଯାଇପାରୁନଥିବାରୁ ଘରେ ଚୁଲି ଜଳିବା ବି ମୁସ୍କିଲ ହୋଇପଡିଛି । ଆଉ ପିଲାଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଛି ।
ତେବେ ଏଭଳି ପରିସ୍ଥିତିରେ ସରକାରୀ ସହୟତା ପାଇଁ ନିତ୍ୟାନନ୍ଦଙ୍କ ପରିବାର ଗୁହାରୀ କରିବା ସହ ପଡୋଶୀ ମଧ୍ୟ ସାହାଯ୍ୟ ଦାବି କରିଛନ୍ତି ।