ଦିଲ୍ଲୀ ବିମାନବନ୍ଦରରେ ଉପରେ ୟୁଏଫଓ ଦେଖାଗଲେ ଗୁଳିକରି ଖସାଇ ଦିଅ ! NSG କମାଣ୍ଡୋଙ୍କୁ ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ

35

ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ଆକାଶରେ ଉଡ଼ୁଥିବା ଯେ କୌଣସି ଅନଆଇଡ଼େଣ୍ଟିଫାଏଡ ପ୍ଲାଇଙ୍ଗ ଅବେଜେକ୍ଟ( ୟୁଏଫଓ)ବା ଅଜଣା ଉଡ଼ନ୍ତା ବସ୍ତୁକୁ ବିନା କୌଣସି ସତର୍କ ସୂଚନା ଦେଇ ଗୁଳି କରି ଖସାଇଦେବାକୁ ଗୃହ ବିଭାଗ ସିଆଇଏସଏଫ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ( ଏନଏସଜି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ଡ୍ରୋନ ହେଉ ଅଥବା କୌଣସି ଗବେଷଣା ପାଇଁ ବ୍ୟବହୃତ ବେଲୁନ, କୌଣସି ପରିସ୍ଥିତିରେ ଯେପରି ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ନ ହୁଏ ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏକ କମିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୟୁଏଫଓ ସାଧାଣରତଃ ଏଲିୟନ ଏୟାରକଆଫ୍ଟ ପାଇଁ ବ୍ୟବହାର ହୋଇଥାଏ, ମାତ୍ର ଏ କ୍ଷେତ୍ରରେ ଯେ କୌଣସି ଅଜଣା ଉଡ଼ନ୍ତା ବସ୍ତୁକୁ ୟୁଏଫଓ ବୋଲି ଇଙ୍ଗିତ କରାଯାଇ ଗୁଳି କରି ତଳକୁ ଖସାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ସିଆଇଏସଏଫର ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ନେଇ ସମୀକ୍ଷା କରାଯାଇଥିଲା। ଏଥିରେ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟର ଅଧିକାରୀ,ଡିଜିସିଏ. ଦିଲ୍ଲୀ ପୁଲିସ, ସିଆଇଏସଏଫ ଓ ଏନଏସଜିର ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ଗତ କିଛି ବର୍ଷ ହେବ ଦିଲ୍ଲୀ ବିମାନବନ୍ଦର ଆକାଶରେ ଦେଖାଦେଉଥିବା ଏହି ଅଜଣା ଉଡ଼ନ୍ତା ବସ୍ତୁଗୁଡ଼ିକୁ କିପରି ମୁକାବିଲା କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଶେଷରେ ଏହାକୁ ଗୁଳି କରି ଖସାଇଦେବାକୁ ଗୃହମନ୍ତ୍ରଣାଳୟ ଅନୁମତି ଦେଇଛି। ବିଶେଷ କରି ଯେଉଁ ଉଡନ୍ତା ବସ୍ତୁ ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ପ୍ରତି ବିପଦ ବୋଲି ଅଧିକାରୀମାନେ ଆଶଙ୍କ କରିବେ ତାକୁ ଗୁଳି କରି ଖସାଇ ଦେବାକୁ ଅନୁମତି ମିଳିଛି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ଏହି ପରି ଏକ ଉଡ଼ନ୍ତା ବସ୍ତୁ ପାଇଁ ଦିଲ୍ଲୀ ବିମାନବନ୍ଦରର ୧୫ଟି ବିମାନର ଉଡ଼ାଣ ବାଧାପ୍ରାପ୍ତ ହୋଇଥିଲା। ଯଦିଓ ଏହା ବିମାନବନ୍ଦରର ରାଡାରରେ ଧରାପଡ଼ିଥିଲା, ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହାକୁ ଟ୍ରାକ୍ କରାଯାଇ ପାରି ନ ଥିଲା। ସେହିପରି ଏକ ବେଲୁନ ଦିଲ୍ଲୀ ଶ୍ରୀନଗର ବିମାନର ଇଞ୍ଜିନରେ ଲାଗିଯିବାରୁ ବିମାନରୁ ଜରୁରି ଅବତରଣ କରିବାକୁ ପଡ଼ିଥିଲା।ତେବେ ଏହା ଏକ ଡ୍ରୋନ ହୋଇଥିଲେ ବିମାନର ବହୁ କ୍ଷତି ହୋଇଥାନ୍ତା ବୋଲି ଚର୍ଚ୍ଚା ହୋଇଥିଲା। କେବଳ ସେତିକି ନୁହେଁ ଅଧିକାଂଶ ସମୟରେ ବିମାନର ପାଇଲଟମାନେ ଏହିପରି ଉଡ଼ନ୍ତାବସ୍ତୁ ନେଇ ଏୟାର ଟ୍ରାଫିକ କଂଣ୍ଟ୍ରୋଲକୁ ରିପୋର୍ଟ କରିଥିବାର ନଜିର ଥିବାର ଗୃହ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି।