ଆସିବ କି ଲକଡାଉନ୍ ୫.୦? ନବୀନ ପଟ୍ଟନାୟକ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଲୋଚନା । ମତାମତ ଆଧାରରେ କେନ୍ଦ୍ର ସରକାର ନେଇପାରନ୍ତି ନିଷ୍ପତ୍ତି !

1,016

କନକ ବ୍ୟୁରୋ: ବଢିବ କି ଲକଡାଉନ୍ ଅବଧି । ତିନି ଦିନ ପରେ ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଆଉ ଏହା ଶେଷ ହେବା ପୂର୍ବରୁ ଲକଡାଉନ ଅବଧି ଆଗକୁ ବଢ଼ିବ ନାଁ ସମ୍ପୂର୍ଣ୍ଣ ଭାବେ ହଠାଇ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ଭିତରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ।

ବର୍ତମାନ ରାଜ୍ୟରେ କରୋନାର ସ୍ଥିତି କେମିତି ରହିଛି ଓ ଲକଡାଉନ ଅବଧି ବୃଦ୍ଧି ନେଇ କଣ ରହିଛି ଓଡିଶାର ଆଭିମୁଖ୍ୟ ଏନେଇ ନବୀନଙ୍କ ମତାମତ ନେଇଛନ୍ତି ଶାହା । ଏଥିସହ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଆଲୋଚନା କରିଛନ୍ତି । ସେମାନଙ୍କ ରାଜ୍ୟରେ ଲକଡାଉନ-୪କୁ ନେଇ ବର୍ତମାନର ସ୍ଥିତି କଣ ରହିଛି ଓ ମେ ୩୧ ତାରିଖ ପରେ କଣ କରିବାକୁ ଚିନ୍ତା କରୁଛନ୍ତି ସେନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ପଚାରି ବୁଝିଛନ୍ତି ଶାହା ।

ମେ ୩୧ରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଶେଷ ହେବ । ଏହା ପରେ ସରକାର ଆଗକୁ ଲକ୍ଡାଉନ୍ ଅବଧି ବୃଦ୍ଧି କରିବେ କି ନାହିଁ ତାଉପରେ ସାରା ଦେଶର ନଜର ରହିଛି । ତାଲାବନ୍ଦ କଟକଣା କୋହଳ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ି ଚାଲିଛି । ଆଉ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଆଧାରରେ କେନ୍ଦ୍ର ସରକାର ନିଷ୍ପତି ନେଇପାରନ୍ତି ବୋଲି କୁହାଯାଉଛି ।