ତଳତଳିଆ କର୍ମଚାରୀଙ୍କୁ ଆଣ୍ଠେଇ ଦେଲେ ବଡ଼ ପୋଲିସ ବାବୁ ! ସାମାନ୍ୟ ଭୁଲ୍ ପାଇଁ ସର୍ବସମ୍ମୁଖରେ ବେଇଜତ କଲେ ଅଫିସର

35

କନକ ବ୍ୟୁରୋ : ତଳିଆ କର୍ମଚାରୀଙ୍କ ସମ୍ମାନକୁ ଆଂଚ ଆସିଲା ଭଳି ଦଣ୍ଡ । ବଡ ବାବୁଙ୍କ ବିଲୁଆ ବିଚାର । ମହିଳାଙ୍କ ସମେତ ୪ଜଣ ହୋମଗାର୍ଡଙ୍କୁ ଆଣ୍ଠେଇ ଦେଲେ ଉପରିସ୍ଥ ଅଧିକାରୀ । କେବଳ ୟୁନିଫର୍ମ ପିନ୍ଧିନଥିବାରୁ ରଥ ଡ୍ୟୁଟିରେ ଆସିଥିବା କର୍ମଚାରୀଙ୍କ ଉପରେ ଶୃଙ୍ଖଳା ଆଳରେ କଡ଼ା କାର୍ଯ୍ୟାନୁଷ୍ଠାନ । ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ଜବାବ ତଲବ କଲେ ହୋମଗାର୍ଡ ଆଇଜି ।

ଅଫିସ ବାହାରେ ଆଣ୍ଠେଇଛନ୍ତି ୪ଜଣ ହୋମଗାର୍ଡ । ଏମାନଙ୍କ ଭିତରେ ଜଣେ ମହିଳା ହୋମଗାର୍ଡ ବି ଅଛନ୍ତି । ଏମାନଙ୍କ ଭୁଲ୍ ହେଉଛି ଯେ, ଡ୍ୟୁଟିକୁ ଆସିବା ସମୟରେ ଠିକରେ ୟୁନିଫର୍ମ ପିନ୍ଧିନଥିଲେ । ରଥଯାତ୍ରା ଡ୍ୟୁଟିରେ ଯୋଗ ଦେବାକୁ ଆସି ଏମାନେ ଡ୍ରେସକୋର୍ଡ ମାନିନଥିବାରୁ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରିଜର୍ଭ ଇନସ୍ପେକ୍ଟର ଅଶୋକ କୁମାର ସେଠୀ ।  ଗତ ୨୪ ତାରିଖର ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଥା ପ୍ରଘଟ ହୋଇଛି । ତଳିଆ କର୍ମଚାରୀଙ୍କ ସାମାନ୍ୟ ଭୁଲþ ପାଇଁ ସର୍ବସାଧାରଣରେ ଆଣ୍ଠେଇବା ଭଳି ଦଣ୍ଡ ଦିଆଯାଇଛି । ଆଉ ଅଫିସରଙ୍କ ଆଦେଶ ମାନି ଏଭଳି ସର୍ବସମ୍ମୁଖରେ ଆଣ୍ଠେଇବାକୁ ବାଧ୍ୟ ହୋଇଛନ୍ତି ଜଣେ ମହିଳାଙ୍କ ସମେତ ୪ଜଣ ହୋମଗାର୍ଡ ।

ପ୍ରଶ୍ନ ଉଠୁଛି , ୧- ସର୍ବସାଧାରଣରେ ଆଣ୍ଠେଇବାକୁ ବାଧ୍ୟ କରିବା କି ପ୍ରକାର ଦଣ୍ଡବିଧାନ?, ୨- ତଳିଆ କର୍ମଚାରୀ ବୋଲି ବଡ଼ବାବୁ ଏମାନଙ୍କ ସ୍ୱାଭିମାନକୁ ମାଡିମକଚି ଦେଲେ କି?,୩- ମହିଳା ହୋମଗାର୍ଡଙ୍କୁ ଆଣ୍ଠେଇ ଠିକ୍ କରିଛନ୍ତି କି ବଡ଼ବାବୁ?

ସେପଟେ ହୋମଗାର୍ଡ ଡିଜି ବିନୟ ବେହେରା ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ରିପୋର୍ଟ ତଲବ କରିଛନ୍ତି । ତେବେ ଏହି ତଳତଳିଆ କର୍ମଚାରୀଙ୍କ ସ୍ୱାଭିମାନ ଓ ସମ୍ମାନବୋଧ ପ୍ରତି ଅତି ନିଷ୍ଠୁର ବ୍ୟବହାର କରିଥିବା ଅଫିସରଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା ଉପରେ ସମସ୍ତଙ୍କ ନଜର ।