ଉପସ୍ଥାପିତ ହେଲା ଗୃହ ବିଭାଗ ଶ୍ୱେତପତ୍ର : ଅସୁରକ୍ଷିତ ଓଡିଶା, ୪ ବର୍ଷରେ ୨ ଗୁଣ ହୋଇଛି ଧର୍ଷଣ ମାମଲା

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅସୁରକ୍ଷିତ ଓଡିଶା । ଅସୁରକ୍ଷିତ ନାରୀ । ବଢୁଛି ଧର୍ଷଣ ସଂଖ୍ୟା । ଗୃହ ବିଭାଗର ଶ୍ୱେତପତ୍ର ଏହି ଭୟଙ୍କର ବାସ୍ତବତା ସାମ୍ନାକୁ ଆଣିଛି । ଗତ କିଛି ବର୍ଷ ଧରି ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମର ସଂଖ୍ୟା । ତଥ୍ୟ ଅନୁସାରେ, ଗତ ୪ ବର୍ଷ ଭିତରେ ଦୁଇ ଗୁଣିତ ହୋଇଛି ବଳାତ୍କାର ପୀଡିତାଙ୍କ ସଖ୍ୟା ।

୨୦୧୧ରେ ୧୧୧୨ ଜଣ ଧର୍ଷଣ ମାମଲା ପଂଜୀକୃତ ହୋଇଥିବା ବେଳେ ୨୦୧୨ରେ ସଂଖ୍ୟା ବଢି ହେଲା ୧୪୫୮ । ଅର୍ଥାତ ବର୍ଷକ ଭିତରେ ବଳାତ୍କାର ବଢିଲା ୩୧.୧୨% । ୨୦୧୨ ତୁଳନାରେ ୨୦୧୩ରେ ବଢିଲା ବଳାତ୍କାର ଅଭିଯୋଗ ସଂଖ୍ୟା । ବିଭିନ୍ନ ଥାନାରେ ୧୮୩୨ ମାମଲା ରୁଜ୍ଜୁ ହେଲା । ବଢିଲା ୨୫.୬୫% । ୨୦୧୪ରେ ୨୦୧୧ ମାମଲା ରୁଜ୍ଜୁ ହେଲା, ବଢିଲା ୯.୭୮% । ତେବେ ଭୟଙ୍କର ବାସ୍ତବତା ହେଉଛି, ୨୦୧୫ରେ ୨୨୮୬ ଧର୍ଷଣ ମାମଲା ଦାୟର ହେଲା । ଯାହା ଗତ ବର୍ଷ ତୁଳନାରେ ୧୩.୬୭% ଅଧିକ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୧ ତୁଳନାରେ ୨୦୧୫ରେ ବଳାତ୍କାର ଅଭିଯୋଗ ସଂଖ୍ୟାରେ ୧୦୪.୬୮% ବୃଦ୍ଧି ଘଟିଛି ।

୨୦୧୨ ନିର୍ଭୟା ବଳାତ୍କାର ଘଟଣା ପରେ ସାରା ଦେଶରେ ମୁହିମ ଆରମ୍ଭ ହୋଇଥିଲା । ଶକ୍ତ ଆଇନ ବଳରେ ଅପରାଧୀ ଏବଂ ଏଭଳି ମନୋଭାବ ରଖୁଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଯାଇ ପାରିବ ବୋଲି ଦୃଢ ଦାବି ବି ଉଠିଥିଲା । ହେଲେ ରାଜ୍ୟ ଗୃହ ବିଭାଗ ଉପସ୍ଥାପନ କରିଥିବା ଶ୍ୱେତପତ୍ର ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛି ତାହା ଚିନ୍ତା କରିବାକୁ ବାଧ୍ୟ କରୁଛି । ରାଜ୍ୟରେ ଯେଉଁଭଳି ଭାବେ ମହିଳାଙ୍କ ବିରୋଧରେ ଅପରାଧ ପ୍ରବଣତା ବଢୁଛି, ଆଉ ମହିଳା ଧର୍ଷଣର ଶିକାର ହେଉଛନ୍ତି, ତାହା ସ୍ପଷ୍ଟ ପ୍ରମାଣିତ କରୁଛି, ଯେ ରାଜ୍ୟରେ ମହିଳା ଅସୁରକ୍ଷିତ ।