ଶସ୍ତା ହେଲା ଘର । ନୋଟବନ୍ଦୀ ଓ ଜିଏସଟି ଗ୍ରାହକଙ୍କୁ ଦେଲା ଉପହାର । ଉଚିତ ମୂଲ୍ୟରେ ପାଇପାରିବେ ଘର  

56

କନକ ବ୍ୟୁରୋ : ନୋଟ ବନ୍ଦୀ, ଜିଏସଟି ଓ ନୂଆ ରେରା ଆଇନ କାର୍ଯ୍ୟକାରୀ ହେବା ଯୋଗୁଁ ଦେଶରେ ଘର ଦାମ ଶସ୍ତା ହେବାରେ ଲାଗିଛି । ସାରା ଦେଶରେ ଗତବର୍ଷ ଘର ଦାମ ହାରାହାରି ୩ ପ୍ରତିଶତ କମିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ରିଅଲ ଇଷ୍ଟେଟ କନସଲଟାନସି ଫାର୍ମ “ନାଇଟ ଫ୍ରାଙ୍କ’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ୨୦୧୬ ତୁଳନାରେ ୨୦୧୭ ମସିହାରେ ଘର ଦାମ ଏଭଳି କମିଥିବା ପରିଲକ୍ଷିତ ହୋଇଛି ।

ପୁନେରେ ଘର ଦାମ ସର୍ବାଧିକ ୭ ପ୍ରତିଶତ କମିଥିବା ବଳେ ମୁମ୍ବାଇରେ ୫ ପ୍ରତିଶତ କମିଯାଇଛି । ଚାହିଦା କମିଥିବାରୁ ଘର ବିକ୍ରି ସଂଖ୍ୟା ବି କମିଛି । ବେଙ୍ଗାଲୁରୁରେ ବିକ୍ରିର ଚାହିଦା ସର୍ବାଧିକ ୨୬ ପ୍ରତିଶତ କମିଯାଇଛି । ସେହଭଳି ଦିଲ୍ଲୀରେ ବିକ୍ରି ୬ପ୍ରତିଶତ ଓ ଚେନ୍ନାଇ ୨୦ ପ୍ରତିଶତ ଚାହିଦା କମିଛି । ତେବେ ମହାରାଷ୍ଟ୍ର ଭଳି ଯେଉଁ ରାଜ୍ୟରେ ରେରା ଆଇନକୁ କଡ଼ାକଡ଼ି କରାଯାଇଛି, ସେଠାରେ ଗ୍ରାହକଙ୍କ ବିଶ୍ୱାସ ବଢ଼ିଛି ଓ ନୂଆ ଘର ବିକ୍ରି ବି ବଢ଼ିଛି ।

ମୁମ୍ବାଇରେ ବିକ୍ରି ୩ ପ୍ରତିଶତ ବଢ଼ିଥିବା ବେଳେ ପୁନେରେ ବିକ୍ରି ୫ ପ୍ରତିଶତ ବଢ଼ିଯାଇଛି । ତେବେ ୫୦ ଲକ୍ଷ ଟଙ୍କା ତଳକୁ ବଜେଟ୍ ଭିତରେ ଥିବା ଫ୍ଲାଟ୍ ଓ ଘରର ବିକ୍ରି ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ସବ୍ସିଡି କାରଣରୁ ଏଭଳି ଚାହିଦା ବଢ଼ିଥିବା କୁହାଯାଉଛି ।