ଅଦିନିଆ ବର୍ଷା ଯୋଗୁଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ! ଶନିବାର-ରବିବାର ୨ ଦିନର ଛୁଟି ବାତିଲ କଲେ ସରକାର

50

କନକ ବ୍ୟୁରୋ : ଅଦିନିଆ ବର୍ଷା ଓ ଫସଲହାନି ଯୋଗୁଁ ଶନିବାର ଓ ରବିବାର ଛୁଟି ବାତିଲ । ଉପକୂଳବର୍ତ୍ତି ୧୫ଟି ଜିଲ୍ଲାର ରାଜସ୍ୱ ଓ କୃଷି କ୍ଷେତ୍ର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି । ତାହା ସହିତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ କରାଯାଇଛି । କ୍ଷେତ୍ର କର୍ମଚାରୀମାନେ ଚାଷୀଙ୍କ ନିକଟକୁ ଯାଇ କ୍ଷୟକ୍ଷତି ଆକଳନ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ଗୋପାଳପୁର ଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଏହା ଉତ୍ତର, ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ମେଘୁଆ ପାଗ ଥିବା ବେଳେ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାର ମଧ୍ୟ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଇଏମଡି ସୂଚନା ଦେଇଛି ।

ତେବେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ପ୍ରଥମେ ମରୁଡ଼ି ସ୍ଥିତି, ପରେ ଚକଡ଼ା ପୋକ ଆଉ ଏବେ ଲଘୁଚାପ ବର୍ଷା । ଗୋଟିଏ ପରେ ଗୋଟିଏ ସଂକଟ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଉଛି । ଲଘୁଚାପ ବର୍ଷାରେ ବିଲରେ ଭିଜୁଛି ଚାଷୀର ସ୍ୱପ୍ନ । ମରୁଡି ଏବଂ ଚକଡ଼ା ପୋକ ପରେ ଚାଷୀଙ୍କ ଅଂଟାକୁ ଭାଙ୍ଗି ଦେଇଛି ଲଘୁଚାପ ବର୍ଷା । ଲଗାତର ଦୁଇ ଦିନର ବର୍ଷାରେ ଚାଷୀ ସାମ୍ନାରେ ବିଲରେ ଭାସୁଛି ଫସଲ ।