ରଙ୍ଗରେ ଭିଜିଲା ଭାରତ ! ମତୁଆଲ ନେତା ଜନତା, କେଉଁଠି ଅବିର, କେଉଁଠି ଟମାଟୋ, ଗୋଲାପ ପାଖୁଡାରେ ଜମିଲା ହୋଲି ଖେଳ ।

83

କନକ ବ୍ୟୁରୋ : ଭାରତରେ ହୋଲିର ଧୁମ । ରଙ୍ଗ ଅବିରରେ ରଙ୍ଗୀନ ହୋଇପଡିଛି ସମଗ୍ର ଉତ୍ତର ଭାରତ । ହୋଲି ଏକ ଭାଇଚାରାର ପର୍ବ, ଲୋକଙ୍କ ସହ ଲୋକଙ୍କୁ ଯୋଡିବାର ଉତ୍ସବ । ଆଉ ଏବେ ଦେଶରେ ରହିଛି ନିର୍ବାଚନୀ ମାହୋଲ । ହୋଲି ଖେଳି କର୍ମୀ ସମର୍ଥକ ଓ ଜନତାଙ୍କ ନିକଟତର ହେବାର ଉଦ୍ୟମ କରିଛନ୍ତି ନେତା । ଜାତି, ଧର୍ମ ନିର୍ବିଶେଷରେ ହୋଲିର ରଙ୍ଗରେ ସମସ୍ତେ ରଙ୍ଗେଇ ହୋଇଛନ୍ତି ।

ରାଜନେତାଙ୍କ ହୋଲି ଖେଳ । ହୋଲିରେ ମସଗୁଲ ରାଜନେତା । ଗୋରଖପୁରରେ ଆରଏସଏସ ପକ୍ଷରୁ ଧୁମଧାମରେ ହୋଲି ପାଳନ କରାଯାଇଛି । ଏଥିରେ ସାମିଲ ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହଜାର ହଜାର ସଂଘର କର୍ମକର୍ତା ଓ ଜନତାଙ୍କ ଗହଣରେ ହୋଲି ପାଳିଛନ୍ତି ଯୋଗୀ । ଏହି ଅବସରରେ ସେ ଦେଶକୁ ହୋଲିର ଶୁଭକାମନା ଜଣାଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକଭୀଙ୍କ ବାସଭବନରେ ହୋଲିର ମସ୍ତି ଦେଖିବାକୁ ମିଳିଛି । ରଙ୍ଗ ବେରଙ୍ଗର ଅବିର ବୋଳି କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ସେ ମଧ୍ୟ ହୋଲିର ଶୁଭକାମନା ଜଣାଇଛନ୍ତି ।

ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟୀବର୍ଗୀୟ ମଧ୍ୟ ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି । ରଙ୍ଗ ବେରଙ୍ଗର ଫଗୁର ଆସ୍ତରଣ ଯୋଗୁଁ କୈଳାସଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଛି । ସେପଟେ ମଥୁରା ବୃନ୍ଦାବନରେ ହୋଲି ପାଳିଛନ୍ତି ଅଭିନେତ୍ରୀ ହେମାମାଳିନୀ । ଦ୍ୱରାକାଧିଶ ମନ୍ଦିରରେ ଦେଶ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ହୋଲି ଖେଳିବା ସହ ପ୍ରସାଦ ଗ୍ରହଣ କରିଛନ୍ତି । ଶ୍ରଦ୍ଧାଳୁଙ୍କ ସହ ହୋଲି ଖେଳି ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ହେମାମାଳିନୀ । ସେପଟେ ୟୁପିର ସୈଫେଇରେ ଧୁମଧାମରେ ହୋଲି ପାଳନ କରିଛନ୍ତି ସମାଜବାଦୀ ପାର୍ଟିର ମୁଖିଆ ତଥା ଯାଦବ ପରିବାର । ଅଖିଳେଶ ଯାଦବ ଓ ମୁଲାୟମ ସିଂ ଯାଦବ ଗୋଲାପ ପାଖୁଡାରେ କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ସହ ହୋଲି ଖେଳିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ହୋଲି ଖେଳର ମଜା ନେଇଛନ୍ତି । ସଂପର୍କୀୟ, ଦଳୀୟ କର୍ମୀଙ୍କ ଗହଣରେ ଏହି ବରିଷ୍ଠ ନେତା ଗଣପର୍ବ ହୋଲିର ମଜା ନେଇଛନ୍ତି । ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟାଙ୍କ ବାସଭବନରେ ହୋଲିର ଧୁମ ଦେଖିବାକୁ ମିଳିଛି । ଲୋକଙ୍କ ସହ ମନଭରି ଅବିର ଖେଳିଛନ୍ତି ସିସୋଦୀୟା । ଆପ ସାଂସଦ ସଂଜୟ ସିଂ ଓ ଆପର ବରିଷ୍ଠ ନେତା କୁମାର ବିଶ୍ୱାସ ମଧ୍ୟ ହୋଲି ଖେଳି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅହମ୍ମଦାବାଦରେ ନିଆରା ଢଙ୍ଗରେ ଖେଳାଯାଇଛି ହୋଲି । ରଙ୍ଗ ଅବିର ବଦଳରେ ଟମାଟୋରେ ହୋଲି ଖେଳିଛନ୍ତି ଲୋକେ । ଏହାକୁ ସେଠାରେ ଟମାଟୋ ପର୍ବ ବୋଲି ନାଁ ଦିଆଯାଇଛି । ନିଆରା ଢଙ୍ଗରେ ହୋଲି ପାଳନକୁ ସେଠାରେ ଯୁବକଯୁବତୀଙ୍କ ମଧ୍ୟରେ ବେଶ କ୍ରେଜ ଦେଖିବାକୁ ମିଳିଛି ।