ଦେଶରେ ହୋଲିର ଧୁମ ! ସୀମାରେ ରଂଗ ଖେଳିଲେ ବିଏସଏଫ୍ ଓ ଆଇଟିବିପିର ଯବାନ୍

60

କନକ ବ୍ୟୁରୋ : ସୀମା ସୁରକ୍ଷା ବଳ ଓ ଇଣ୍ଡୋ ତିବତ୍ ବର୍ଡରରେ ପୁଲିସର ହୋଲି ପର୍ବ ପାଳନ । ଦେଶ ମାତୃକାର ସେବାରେ ସୀମାରେ ସବୁବେଳେ ସତର୍କ ପ୍ରହରୀ ପରି ସଜାଗ ରହିଥିବା ବିଏସଏଫ୍ ଓ ଆଇଟିବିପି ଯବାନ ଧୁମଧାମରେ ହୋଲି ପାଳନ କରିଛନ୍ତି । ଜାମ୍ମୁ କାଶ୍ମୀର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ବିଏସଏଫ୍ ଯବାନ ଆଜି ହୋଲି ଖେଳି ଥିଲା ବେଳେ ଆଇଟିବିପି ଯବାନ ଲୁଧିଆନାରେ ହୋଲି ପାଳିଥିଲେ । ଏହି ଅବସରରେ ଉତ୍ସବର ମାହୋଲ ଖୁବ ଜମିଥିଲା । ନାଚଗୀତ ମଧ୍ୟରେ ଯବାନ ପରସ୍ପରକୁ ରଂଗ ଲଗାଇ ହୋଲି ପାଳିଥିଲେ । ଏହାକୁ ନେଇ ଯବାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ହୋଲି ପାଳିଲେ ଗୃହମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ନିଜ ବାସଗୃହରେ ଧୁମଧାମରେ ରଂଗର ପର୍ବକୁ ପାଳନ କରିଛନ୍ତି । ହୋଲି ଅବସରରେ ଆଜି ରାଜନାଥଙ୍କ ବାସଭବନରେ ବିଜେପି ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ରଂଗଅବିର ବୋଳାବୋଳି ଓ ନାଚଗୀତର ଆସର ମଧ୍ୟରେ ସମସ୍ତେ ହୋଲି ପର୍ବକୁ ପାଳନ କରି ଥିଲେ । କର୍ମୀ ଓ ନେତା ପରସ୍ପରକୁ ମିଠା ଖୁଆଇବାର ମଧ୍ୟ ଦେଖିବାକୁ ମିଳିଥିଲା ।

ହୋଲିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁରରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯୋଗୀ ପ୍ରଥମେ ଗୋରକ୍ଷଧାମ ମନ୍ଦିର ଦର୍ଶନ କରିଥିଲେ । ଏହାପରେ ଜନତା ଦରବାରରେ ସେ ଲୋକଙ୍କ ଅଭାବ ଅଭିଯୋଗ କଥା ବୁଝିଥିଲେ । ଏହାପରେ ହୋଲି ପାଇଁ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ହଜାର ହଜାର ଲୋକଙ୍କୁ ସମ୍ବୋଧନ କରିଥିଲେ ।

ସେପଟେ ଦିଲ୍ଲୀ ବାସଭବନରେ ଆଜି ବେଶ ଜମିଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ହୋଲି । ହୋଲିରେ ଅନେକ ବରିଷ୍ଠ ବିଜେପି ନେତାଙ୍କୁ ତାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ରଂଗର ପର୍ବକୁ ମନଭରି ଉପଭୋଗ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ । ବିଜେପି ନେତା ଓ କର୍ମୀଙ୍କ ଭିଡ଼ ମଧ୍ୟ ଜମିଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ବାସଭବନରେ ।