ବରଷକେ ଥରେ ଆସିଛି ହୋଲି ! ଆଜି ରଙ୍ଗ ଓ ଅବିରରେ ଜମିବ ଆସର, ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଭଙ୍ଗା ଖେଳ

89

କନକ ବ୍ୟୁରୋ: କୁହୁତାନରେ କୋଇଲି କେବେଠୁ ଦେଇ ସାରିଲାଣି ବସନ୍ତର ବାର୍ତା । ତନୁମନକୁ ରୋମାଞ୍ଚିତ କଲାଣି ମଳୟର ମୃଦୁ ମୃଦୁ ପରଶ । ଗାଁ ଗାଁ ବୁଲିଲାଣି ଦୋଳ ବିମାନ । ଫଗୁ ଲାଗି ହେବା ସହ ଭୋଗ ଖାଇଲେଣି ରାଧାବିନୋଦ । ହୋଲି ପାଇଁ ପ୍ରସ୍ତୁତ ହୋଇଗଲେଣି ସମସ୍ତେ। ସେଥିରୁ ରାଜଧାନୀ ବା ବାଦ୍ ପଡ଼ନ୍ତା କେମିତି । ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର । ସହରର ବିଭିନ୍ନ ମନ୍ଦିରରେ ଦୋଳ ପୂର୍ଣ୍ଣମା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ।

ସବୁଠି ମେଳିଛି ରଂଗର ପସରା । ଏହି ରଂଗ, ଧୋଇଦେଉଛି ସବୁ ବିଦ୍ୱେଷ, ଭରି ଦେଉଛି ଜୀବନରେ ପ୍ରେମର ରଙ୍ଗ । ସଫା କରିଦେଇଛି ଘୃଣା ଆଉ ହିଂସା । ସୃଷ୍ଟି କରିଛି ବନ୍ଧୁତା ଓ ଭାଇଚାର।। ଫଗୁଣରେ ରଂଗର ସମ୍ଭାର ନେଇ ଆସିଛି ହୋଲି । ଫଗୁଣର ରଙ୍ଗର ଛିଟା ନେଇ ଆସିଥିବା ହୋଲି ସଂପର୍କକୁ ରଙ୍ଗୀନ କରିଦେଇଛି । ହୋଲି ପାଇଁ ସମସ୍ତଙ୍କ ମନ ବେଶ୍ ଆନନ୍ଦିତ । ହୋଲି ଖେଳିବା ସହ ଜମିଛି ନାଚଗୀତ ଆସର । ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସଭିଏଁ ମସଗୁଲ । ଛୋଟ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ରଙ୍ଗର ପର୍ବ ହୋଲିକୁ ନିଜ ନିଜ ଅନ୍ଦାଜରେ ମନାଉଛନ୍ତି । ହୋଲିରେ ସମସ୍ତେ ରାଗ ଓ ଦ୍ୱେଷ ଭୁଲି ଅବୀର ଲଗାଇ ହୋଲି ଉତ୍ସବରେ ସାମିଲ ହେଉଛନ୍ତି ।

ଅନ୍ୟପକ୍ଷରେ ହୋଲିର ଦୁଇ ଦିନ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛୁଟି ପଡ଼ି ଯାଉଥିବାରୁ ଧୁମଧାମରେ ହୋଇସାରିଲାଣି ହୋଲି ସେଲିବ୍ରେସନ । ‘ବୁରା ନା ମାନୋ ହୋଲି ହୈ’ ଶବ୍ଦରେ ଫାଟି ପଡ଼ୁଥିଲା ଗଗନ ପବନ । ଛାତ୍ରଛାତ୍ରୀମାନେ ପରସ୍ପରକୁ ଅବିର ବୋଳି ହୋଲିକୁ ଆଗୁଆ ସ୍ୱାଗତ କରୁଥିଲେ । ଗୁରୁବାର ମଧ୍ୟ କିଛି ସ୍ଥାନରେ ରଙ୍ଗ ଖେଳ ହୋଇଛି । ତେବେ ଅସଲ ହୋଲି ଜମିବ ଆଜି ।

ଆକାଶରେ ହେବ ରଙ୍ଗର ହୋଲି

କପିଳେଶ୍ୱର ମନ୍ଦିର ନିକଟ ମଣିକର୍ଣ୍ଣିକା ପୁଷ୍କରିଣୀ ନିକଟରେ ବିଭିନ୍ନ ଆତସବାଜିରେ ଦୋଳ ପୂର୍ଣ୍ଣିମା ରାତିରେ ଆକାଶ ରଙ୍ଗିନ ହୋଇଛି । ଏହି ଅବସରରେ ସେଠାରେ ରାତ୍ରି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗ୍ରାମର ୫ଟି ସାହି ମଧ୍ୟରେ ବିଭିନ୍ନ ଆତସବାଜୀ ପ୍ରଦର୍ଶନ କରାଯିବ । ଆସମାନ ରକେଟ୍, ରକେଟ୍, ଆସମାନ ଗୁଳା, କାରଗିଲ ରକେଟ୍, ପାଣିକୁଆ, ପାଣି ଫୋଟକା, ଆସମାନ ଦୀପ, ଚନ୍ଦ୍ରଦୀପ, ଗଛ, ଚେଙ୍ଗା ଭଳି ୫୦କିସମର ବାଣ ଆକାଶରେ ଝଲସିଛି ।

ଦୋଳ ପୂର୍ଣ୍ଣିମାରେ କମ୍ପିଲା ଏକାମ୍ର କ୍ଷେତ୍ର

ଦୋଳ ପୂର୍ଣ୍ଣିମା ତିଥିରେ ରଥଖଳାଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ପାର୍ବତୀ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇଛନ୍ତି । ମନ୍ଦିରରେ ଭୋଗ ମଣ୍ଡପ ନୀତି ବେଳେ ପାଲିଙ୍କି ଓ ବିମାନରେ ଦେବାଦେବୀ ମହାଖଳାକୁ ଯାତ୍ରା କରିଛନ୍ତି । ରାସ୍ତାର ଗୋଟିଏ ପାର୍ଶ୍ୱ ଝୁଲଣରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା ପାର୍ବତୀ, ମା ରୁକିମଣୀ ଦୋଳି ଖେଳିବା ବେଳେ ଅନ୍ୟ ପାର୍ଶ୍ୱରେ ଶ୍ରୀବାସୁଦେବ ଦୋଳି ଖେଳିଛନ୍ତି । ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ସାଧାରଣ ଭକ୍ତମାନେ ଫଗୁ ଲାଗି କରିଛନ୍ତି ।

ଭଙ୍ଗା ହେବ ଦହି ହାଣ୍ଡି

ହୋଲି ଦିନ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ହେବ । ରାମାୟଣୀ ଯୁବ ପରିଷଦ ପକ୍ଷରୁ ହୋଲି ମିଳନ ଉତ୍ସବରେ ବିଭିନ୍ନ ଯୁବ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ହେବ । ଏଥିସହ ମେଲୋଡି ଓ ଆଧୁନିକ ନୃତ୍ୟ ପରିବେଷଣ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ସେହିପରି ଭାରତୀ ମଠ ସାହି, ପାଟଣା ସାହି, ଡାକ ବଙ୍ଗଳା ଛକରେ ଦହି ହାଣ୍ଡି ଭଙ୍ଗାଯିବ ।

ରାମକୃଷ୍ଣ ମଠରେ ନାମ ସଂକୀର୍ତନ

ପ୍ରବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାମକୃଷ୍ଣ ମିଶନ ପକ୍ଷରୁ ରାମକୃଷ୍ଣ ମଠ ପରିସରରେ ସଂକୀର୍ତନ କରାଯିବ । ଏଥିସହ ରାମକୃଷ୍ଣ ଛାତ୍ରାବାସର ପିଲାମାନେ ଅଭିରରେ ରଙ୍ଗ ଖେଳି ଦୋଳ ପର୍ବ ପାଳନ କରାଯିବ ।

ପାର୍କରେ ହୋଲି ପାଳିବେ ମୁରବି

ହୋଲି ଦିନ ଫରେଷ୍ଟ୍ ପାର୍କରେ ବିଭିନ୍ନ ମୁରବିଙ୍କ ଦ୍ଵାରା ହୋଲି ପର୍ବ ପାଳନ ହେବ । ବିଭିନ୍ନ ହର୍ବାଲ ରଙ୍ଗ ଓ ଫଗୁରେ ରଙ୍ଗ ଖେଳ ହେବ ବୋଲି ନିୟୁ ଫରେଷ୍ଟ ପାର୍କ ମର୍ଣ୍ଣିଂୱାକ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।

ଶ୍ରୀ ଲିଙ୍ଗରାଜଙ୍କ ଅଗ୍ନି ଉତ୍ସବ ସମ୍ପନ୍ନ

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ଗତକାଲି ରାତିରେ ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ମା ପାର୍ବତୀ, ମା ରୁକ୍ମିଣୀ, ଶ୍ରୀ ବସୁଦେବ ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ଜମଶ୍ୱେର ମନ୍ଦିର ନିକଟରେ ଭାରତୀ ମଠକୁ ଭୋଗ ଖାଇବାକୁ ଆସିଥିଲେ । ସେଠାରେ ଶତାଧିକ ଶ୍ରଦ୍ଧାଳୁ ଭୋଗ ଲାଗି କରାଯିବା ସହ ଠାକୁରଙ୍କୁ ଅବିର ଲାଗି କରିଥିଲେ । ଏହାପରେ ଜମେଶ୍ୱର ପାଟଣା ସାହି ମଧ୍ୟ ଦେଇ ପରକରଣ ସାହିକୁ ଭୋଗ ଖାଇବାକୁ ଯାଇଥିଲେ । ସେହିପରି ଠାକୁର ରାତିରେ ବାଟ କୂଅମୁହଁ ବଡ଼ୁ ସାହିଠାରେ ଭୋଗ ଖାଇଥିଲେ । ସେଠାରୁ ଫେରିବା ପରେ ଅଗ୍ନି ଉତ୍ସବ ସମ୍ପନ୍ନ ହୋଇଛି । ସ୍ଥାନୀୟ ରଥଗଡ଼ା ଛକ ମହାଖଳାଠାରେ ପ୍ରଥମେ ଖଟୁଲିରେ ବସିବା ପରେ ନୀତି ପୂଜା, ହୋମ କରାଯାଇଥିଲା । ମହାପ୍ରଭୁ ସେଠାରେ ୭ଥର ପରିକ୍ରମା କରିବା ପରେ ଆଳତି କରାଯାଇ ଅଗ୍ନି ସଂଯୋଗ ହୋଇ ଏହି ଉତ୍ସବ ପାଳନ ହୋଇଥିଲା । ମହାଖଳାଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥବା ନଡ଼ା ଓ କାଠର ଗଦାରେ ଆଳତି ଦ୍ଵାରା ଅଗ୍ନି ସଂଯୋଗ ହୋଇଥିଲା । ବିଭିନ୍ନ ଭକ୍ତମାନେ ଶ୍ରୀଫଳ, ବିଭିନ୍ନ ଫଳ ଓ ପରିବା ଅର୍ପଣ କରିଥିଲେ ।

କପିଳନାଥଙ୍କ ଗଡ଼ ଯାତ୍ରା

ମହାପ୍ରଭୁ ଶ୍ରୀ କପିଳନାଥ ଓ ଦୋଳ ଗୋବିନ୍ଦଙ୍କ ଗଡ଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକାଲି ରାତି ପ୍ରାୟ ୧୨ଟାରେ ସେବାୟତମାନେ ଠାକୁରଙ୍କୁ ସୁସଜ୍ଜିତ କରି ବିମାନରେ ସୁନ୍ଦରପଦା ଓ କପିଳେଶ୍ୱର ଗ୍ରାମକୁ ନେଇଥିଲେ । ସେଠାରେ ଠାକୁରଙ୍କୁ ବିଭିନ୍ନ ସାହିରେ ଭୋଗ ଲାଗି କରଯାଇଥିଲା । ଏନେଇ କପିଳେଶ୍ୱର ଓ ସୁନ୍ଦରପଦା ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା । ଠାକୁରଙ୍କ ବିଜେ ପାଇଁ ଘର ଆଗରେ ପାଞ୍ଚ ରଙ୍ଗର ମୁରୁଜ ପକାଇ ସ୍ୱାଗତ କରିଥିଲେ । ଏହି ଅବସରରେ ନାମ ସଂକୀର୍ତନ ଓ ଆତସବାଜୀ କରାଯାଇଥିଲା । ରାତି ତମାମ ଠାକୁର ଭୋଗ ଖାଇ କପିଳେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଦୋଳ ବେଦୀକୁ ପ୍ରତ୍ୟାବର୍ତନ କରିଥିଲେ । ସେଠାରେ ହୋମ ପୂଜା ହୋଇ ଦୋଳ ବେଦୀ ଚାରିପଟେ ଠାକୁର ୩ଘେରା ବୁଲିବା ପରେ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ ।