ବିଶ୍ୱ ହକି ଲିଗ୍ ସେମିଫାଇନାଲରେ ଭାରତ ନିରାଶ ! ଆଜି ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ

39

କନକ ବ୍ୟୁରୋ: ବିଶ୍ୱ ହକି ଲିଗ ଫାଇନାଲର ପ୍ରଥମ ସେମିଫାଇନାଲ ଭାରତକୁ ନିରାଶ ହେବାକୁ ପଡିଛି । ଏହି ମ୍ୟାଚରେ ଭାରତକୁ ୧-୦ ଗୋଲରେ ପରାସ୍ତ କରି ଆର୍ଜେଂଟିନା ଫାଇନାଲକୁ ପ୍ରବେଶ କରିଛି । ଆର୍ଜେଂଟିନାର ଗଜାଂଲୋ ପିଲାଟ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଏହି ଗୋଲ ଦେଇଥିଲେ । ଟିମ ଇଣ୍ଡିଆ ହାତରେ ବଲ ଦୀର୍ଘ ସମୟ ରହିଥିଲେ ମଧ୍ୟ ୪ ଟି ପେନାଲ୍ଟି କର୍ଣ୍ଣର ଗୋଲ ସୁଯୋଗରୁ ବଂଚିତ ହୋଇଥିଲା । ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅଷ୍ଟେଲିଆ ଏବଂ ଜର୍ମାନୀ ମଧ୍ୟରେ ହେଉଥିବା ବେଳେ ପଂଚମ ସ୍ଥାନ ପାଇଁ ସ୍ପେନ ଏବଂ ବେଲଜିୟମ ମଧ୍ୟରେ ଅନ୍ୟ ଏକ ମ୍ୟାଚ ଅନୁଷ୍ଠିତ ହେବ । ଏବଂ ଆଜିର ବିଜେତା ଫାଇନାଲରେ ଆର୍ଜେଂଟିନାକୁ ଭେଟିବ ।

ଉଲ୍ଲେଖଯୋଗ୍ୟ ଯେ,  ହକି ବିଶ୍ୱ ଲିଗର ଶେଷ ସଂସ୍କରଣରେ ଭାରତର ବିଜେତା ହେବା ଆଶା ମଉଳି ଯାଇଛି । ଶୁକ୍ରବାର କୋହଲା ପାଗ ଏବଂ ଲଗାଣ ବର୍ଷାରେ ଖେଳିଥିବା ପ୍ରଥମ ସେମିଫାଇନାଲରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ଟାଣୁଆ ଟକ୍କର ଦେବା ସତ୍ତ୍ୱେ ୦-୧ ଗୋଲରେ ହାରି ଭାରତ ଟ୍ରଫି ଦୌଡ଼ରୁ ବାଦ ପଡ଼ିଛି । ତା’ ସହ ରବିବାରର ମେଗା ଫାଇନାଲ୍ ଖେଳିବାରୁ ବି ବଞ୍ଚିତ ହୋଇଛି । ଭାରତକୁ ଗତକାଲି ଆର୍ଜେଣ୍ଟିନା ଏବଂ ବର୍ଷା ମିଳିତ ଭାବେ ହରାଇଛନ୍ତି। ବର୍ଷା ପାଇଁ ଘରୋଇ ଖେଳାଳିଙ୍କ ଗତି କମି ଯିବା ସହ ଅଧିନାୟକ ମନପ୍ରୀତ ସିଂହ ଠିକଣା ସମୟରେ ହଳଦିଆ କାର୍ଡ ପାଇ ୧୦ ମିନିଟ୍ କାଳ ପଡ଼ିଆ ବାହାରେ ରହିବା ମଧ୍ୟ ଭାରତ ପରାଜୟର ଅନ୍ୟତମ କାରଣ ହୋଇଛି ।

ସେପଟେ ବିଜୟୀ ଆର୍ଜେଣ୍ଟିନା ପ୍ରଥମ ଥର ଟ୍ରଫି ତୋଳି ଧରିବାର ନିକଟତର ହୋଇଛି । ରବିବାର ଫାଇନାଲରେ ଏହି ଦଳ ଶନିବାର ଜର୍ମାନି ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ। ଅନ୍ୟ ପକ୍ଷରେ ରାଏପୁରରେ ୨୦୧୪ରେ ଆୟୋଜିତ ଗତ ସଂସ୍କରଣରେ ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତ ଚଳିତ ଥର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ସେମିଫାଇନାଲ୍ ପରାଜିତ ଦଳକୁ ଭେଟିବ। ଏହି ମ୍ୟାଚ୍ ମଧ୍ୟ ରବିବାର ଖେଳାଯିବ । ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତ ହାରିଥିଲା। ଶୁକ୍ରବାର ସେହି ଘଟଣାର ପୁନରାବୃତି ହୋଇଥିଲା । ଭାରତ ଆଉ ଥରେ ଏକ ବଡ଼ ପ୍ରତିଯୋଗିତାର ଫାଇନାଲକୁ ଯାଇ ପାରି ନଥିଲା । ଗତକାଲି ମ୍ୟାଚରେ ଭାରତର ହରମନପ୍ରୀତ ସିଂହ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ ।