ଆଜି ହକି ବିଶ୍ୱ ଲିଗର ଫାଇନାଲ ଫାଇଟ୍ ! ବିଶ୍ୱର ନମ୍ବର ୱାନ ଆର୍ଜେଂଟିନାକୁ ଭେଟିବ ଅଷ୍ଟ୍ରେଲିଆ

47

କନକ ବ୍ୟୁରୋ: ବିଶ୍ୱ ହକି ଲିଗ ଫାଇନାଲରେ ମୁହାଁମୁହିଁ ହେବେ ଆର୍ଜେଂଟିନା ଓ ଅଷ୍ଟ୍ରେଲିଆ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ସେମି ଫାଇନାଲରେ ଜର୍ମୀନିକୁ ୩-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଖେଳି ଅଷ୍ଟ୍ରେଲିଆ ଜର୍ମାନୀକୁ ବ୍ୟାକଫୁଟକୁ ଟେଲି ଦେଇଥିଲା । ବାରମ୍ବାର ଜର୍ମାନୀ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଚାଲିଥିଲା କଙ୍ଗାରୁ ବାହିନୀ । ଏହାସହ ନିଜର ମଜଭୂତ ପ୍ରତିରକ୍ଷା ପାଇଁ ଜର୍ମାନୀକୁ କୌଣସି ସୁଯୋଗ ଦେଇନଥିଲା । ପୂର୍ବରୁ ପ୍ରଥମ ସେମିରେ ଭାରତକୁ ୧-୦ରେ ହରାଇ ଫାଇନାଲରେ ପ୍ରବେଶ କରିସାରିଛି ଆର୍ଜେଂଟିନା । ଆଜି ସଂଧ୍ୟାରେ ଫାଇନାଲ ଲଢେଇରେ ମୁହାଁମୁହିଁ ହେବେ ଆର୍ଜେଂଟିନା ଓ ଅଷ୍ଟ୍ରେଲିଆ । ସେହିପରି ବ୍ରୋଞ୍ଜ ମେଡାଲ ପାଇଁ ଭାରତ ଓ ଜର୍ମୀନୀ ମଧ୍ୟରେ ମୁକାବିଲା ହେବ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ହକି ବିଶ୍ୱ ଲିଗ୍ ଫାଇନାଲରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା ଗତଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ । ଏହି ମହା ମୁକାବିଲା ଆଜି ସଂଧ୍ୟାରେ ଖେଳାଯିବ । ଶୁକ୍ରବାର ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା ଆୟୋଜକ ଭାରତକୁ ୧-୦ ଗୋଲରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଶନିବାର ରାଏପୁରରେ ଆୟୋଜିତ ଦ୍ୱିତୀୟ ସଂସ୍କରଣର ବିଜେତା ଅଷ୍ଟ୍ରେଲିଆ ଏକତରଫା ଭାବେ ୟୁରୋପୀୟ ଦଳ ତଥା ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଜର୍ମାନିକୁ ୩-୦ ଗୋଲରେ ପରାସ୍ତ କରି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବା ଲାଗି ଯୋଗ୍ୟତା ଅର୍ଜନ କରିଛି ।

ଆଜି ମେଗା ଫାଇନାଲରେ ଏହି ଦୁଇ ଦଳ ମୁହାଁ ମୁହିଁ ହେବେ । ତା’ ସହ ହକି ବିଶ୍ୱ ଲିଗ୍ରେ ନୂଆ ଇତିହାସ ଲେଖାହେବ । ଅଷ୍ଟ୍ରେଲିଆ ବିଜୟୀ ହେଲେ ଏକମାତ୍ର ଦଳ ଭାବେ ଏହି ବହୁଦେଶୀୟ ପ୍ରତିଯୋଗିତାରେ ଦୁଇ ଥର ବିଜେତା ହେବାର ଗୌରବ ଅର୍ଜନ କରିବ । ଆର୍ଜେଣ୍ଟିନା ଜିତିଲେ ପ୍ରଥମ ଥର ପାଇଁ ହକି ବିଶ୍ୱ ଲିଗ୍ ମୁକୁଟ ପିନ୍ଧିବାର ସମ୍ମାନ ଲାଭ କରିବ । ହକି ବିଶ୍ୱ ଲିଗ୍ ଚଳିତ ବର୍ଷ ପରେ ବନ୍ଦ ହୋଇ ଯିବାକୁ ଥିବାରୁ ଉଭୟ ଦେଶର କୀର୍ତ୍ତିମାନ ଭାଙ୍ଗିବା ଲାଗି ଅନ୍ୟ କୌଣସି ଦେଶକୁ ସୁଯୋଗ ମିଳିବନି । ନୂଆଦିଲ୍ଲୀରେ ଆୟୋଜିତ ହକି ବିଶ୍ୱ ଲିଗର ପ୍ରଥମ ସଂସ୍କରଣରେ ନେଦରଲାଣ୍ଡ ବିଜୟୀ ହୋଇଥିଲା । ଅନ୍ୟ ପକ୍ଷରେ ରାୟପୁରରେ ଖେଳା ଯାଇଥିବା ଦ୍ୱିତୀୟ ସଂସ୍କରଣରେ ଅଷ୍ଟ୍ରେଲିଆ ବାଜି ମାରି ନେଇଥିଲା ।

ଶନିବାର ରାତିରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ-ଜର୍ମାନି ମ୍ୟାଚ୍ ଆରମ୍ଭରୁ ଅଷ୍ଟ୍ରେଲିଆ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା । ଜର୍ମାନି ଅବଶ୍ୟ ୪୧ ମିନିଟ୍ ପର୍ଯ୍ୟନ୍ତ ଏହି ଦଳର ଆକ୍ରମଣକୁ ପ୍ରତିହତ କରି ପାରିଥିଲା । ତେବେ ୪୨ ମିନିଟରେ ଡାଏଲନ ଉଦରସ୍ପୁନ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ ବଳରେ କଙ୍ଗାରୁ ଦଳକୁ ଆଗୁଆ କରି ଦେଇଥିଲେ । ଏହା ପରେ ଅଷ୍ଟ୍ରେଲିଆ ଆଉ ପଛକୁ ଫେରି ଚାହିଁ ନଥିଲା । ୬ ମିନିଟରେ ଜେରମି ହେଓ୍ଵାର୍ଡ ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତର କରି ସ୍ଥିତି ୨-୦ କରି ନେଇଥିଲେ । ସେହିଭଳି ଶେଷ ମିନିଟରେ ଟମ୍ ଓ୍ଵିକାମ ଆଉ ଏକ ଫିଲ୍ଡ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୩-୦ ବିଜୟ ଊପହାର ଦେଇଥିଲେ । ଅଷ୍ଟ୍ରେଲିଆର ୧୯ ବର୍ଷୀୟ ଖେଳାଳି ସାର୍ପ ଲାଚଲନ ମ୍ୟାଚର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଜର୍ମାନିର ୫ ନମ୍ବର ଖେଳାଳି ଫିଲିପ ହୁବର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ ।

ଅନ୍ୟପଟେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ ବିଶ୍ୱ ହକି ଲିଗର ଫାଇନାଲ ମ୍ୟାଚରେ ସାମିଲ ହେବାକୁ ଓଡିଶା ଆସିଛନ୍ତିି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂ ରାଠୋର । କେନ୍ଦ୍ରମନ୍ତ୍ରୀ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ହକି ପାଇଁ ଓଡିଶାର ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଓଡିଶା ହେଉଛି ହକିର ଗଡ । ଓଡିଶାରୁ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରୁ ଥିବାରୁ ହକିର ମାନକୁ କିପରି ଆହୁରି ଅଧିକ ବୃଦ୍ଧି କରିହେବ ସେନେଇ ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ଆଗକୁ ପଦକ୍ଷେପ ନେବେ । ଏଥିସହ ଖେଳାଳିଙ୍କୁ କିପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ ସେନେଇ ଧ୍ୟାନ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ।