ଭୁବନେଶ୍ୱରରେ ହକି ଫିଭର ! ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡଠାରୁ ହାରିଲା ଭାରତ, ଆଜି ଖେଳାଯିବ ଦୁଇଟି ମ୍ୟାଚ

35

କନକ ବ୍ୟୁରୋ: ହକି ବିଶ୍ୱଲିଗରେ ଭାରତର ପ୍ରଥମ ପରାଜୟ । ଗତକାଲି ଇଂଲଣ୍ଡ ଠାରୁ ୩-୨ ଗୋଲରେ ପରାସ୍ତ ହୋଇଥିଲା ଭାରତୀୟ ଦଳ । ସାମୁଏଲ ୱାର୍ଡଙ୍କ ଯୁଗଳ ଗୋଲ ବଳରେ ଭାରତକୁ ହରାଇ ଏହି ଟୁର୍ଣ୍ଣାମେଂଟରେ ଇଂଲଣ୍ଡ ନିଜ ପଏଂଟ ଖାତା ଖୋଲିଛି । ମ୍ୟାଚର ପ୍ରଥମାର୍ଧରେ ଇଂଲଣ୍ଡ ଖେଳାଳି ଡେଭିଡ୍ ଗୁଡହ୍ୱିଲ ପ୍ରଥମ ଗୋଲ କରିଥିଲେ । ମ୍ୟାଚର ୪୩ ମିନିଟରେ ଦ୍ୱିତୀୟ ଗୋଲ ଦେଇଥିଲେ ସାମୁଏଲ ୱାର୍ଡ ।

ତୃତୀୟ କ୍ୱାର୍ଟର ସୁଦ୍ଧା ଇଂଲଣ୍ଡ ୨-୦ ଗୋଲରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାର୍ଟରରେ ଭାରତୀୟ ଖେଳାଳି ଆକାଶଦୀପ ସିଂହ ଓ ରୁପୀନ୍ଦର ସିଂହ ୨ଟି ଗୋଲ ଦେଇ ସ୍ଥିତି ବରାବରକୁ ନେଇ ଆସିଥିଲେ । ମ୍ୟାଚ ଡ୍ର ହେବା ଆଶା ସଂଚାର ହୋଇଥିବା ବେଳେ ସାମୁଏଲ ୱାର୍ଡ ପୁଣି ଏକ ଗୋଲ କରି ଇଂଲଣ୍ଡକୁ ବିଜୟର ସ୍ୱାଦ ଚଖାଇଥିଲେ । ନିଜ ପ୍ରଥମ ମ୍ୟାଚରେ ଜର୍ମାନୀ ଠାରୁ ୦-୨ ଗୋଲରେ ହାରିଥିଲା ଇଂଲଣ୍ଡ । ସେହିପରି ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଅଟକାଇଥିବା ଭାରତର ବିଜୟ ଅଭିଯାନରେ ବ୍ରେକ ଲଗାଇଛି ଇଂଲଣ୍ଡ ଦଳ ।

ଆଜି ହକି ବିଶ୍ୱ ଲିଗରେ ଖେଳାଯିବ ୨ଟି ମ୍ୟାଚ । ପ୍ରଥମ ମ୍ୟାଚରେ ବେଲଜିୟମ ଓ ସ୍ପେନ ମୁହାଁମୁହିଁ ହେବେ । ଆଜି ଅପରାହ୍ନ ୫ଟା ୩୦ ମିନିଟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ଓ ଆର୍ଜେଂଟିନା ମଧ୍ୟରେ ଟକ୍କର ହେବ । ଏହା ସଂଧ୍ୟା ସାଢେ ୭ଟାରେ ଖେଳାଯିବ ।