ବାଲିଗୁଡ଼ା ଅନାଥାଶ୍ରମ ପିଲା ଏବେ ଖେଳିପାରିବେ ହକି ! କାନାଡ଼ା ଟିମର ଦାନ ଆଣିଲା ସମ୍ଭାବନା ।

ଉଦାହରଣ ପାଲଟିଲା କାନାଡ଼ା ହକି ଟିମ୍ । ଗତ ନଭେମ୍ବର ୨୮ ତାରିଖରେ ବେଲଜିୟମ ବନାମ କାନାଡ଼ା ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ ।

764

କନକ ବ୍ୟୁରୋ: ଏବେ ସାରା ରାଜ୍ୟରେ ହକି ଫିଭର ଚଢ଼ିଥିବାବେଳେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ହକି ବିଶ୍ୱକପର ଅନ୍ୟତମ କାନାଡ଼ା ଟିମ୍ । ଯାହାଙ୍କ ବଦାନ୍ୟତା ଏବେ ହକିପ୍ରେମୀଙ୍କ ସହ ରାଜ୍ୟବାସୀଙ୍କ ମନକୁ ଜିଣିପାରିଛି । ଗତ ନଭେମ୍ବର ୨୮ ତାରିଖରେ ବେଲଜିୟମ ବନାମ କାନାଡ଼ା ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଉଭୟଙ୍କ ମଧ୍ୟରେ ଟସ୍ ହେବା ସମୟରେ କାନାଡ଼ା ଟିମର ଅଧିନାୟକ ସ୍କଟ୍ ଟପ୍ପର ବେଲଜିୟମ ଟିମର ଅଧିନାୟକ ଥୋମାସ ବ୍ରିଏଲ୍ସଙ୍କୁ ପେନାଣ୍ଟ ଦେବା ପରିବର୍ତ୍ତେ ଦେଇଥିଲେ ଏକ ଚିଠି । ଯାହାକୁ ନେଇ ଷ୍ଟାଡ଼ିୟରେ ଥିବା ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

ସୂଚନା ମୁତାବକ କାନାଡ଼ିଆନ୍ ଦଳ ଏହି ଚିଠିରେ କନ୍ଧମାଳ ବାଲିଗୁଡ଼ାରେ ଥିବା ଅନାଥ ଆଶ୍ରମକୁ ଡୋନେସନ୍ ଦେଇଛନ୍ତି । କାରଣ ଅନାଥ ଆଶ୍ରମର ପିଲାମାନେ ସେମାନଙ୍କ ଫିଲ୍ଡ ହକି କାର୍ଯ୍ୟକ୍ରମକୁ ଜାରି ରଖିବା ସହ ହକି ବିଶ୍ୱକପକୁ ଦେଖିବା ପାଇଁ ସହାଯ୍ୟ କରିବ ବୋଲି କହିଛନ୍ତି କାନାଡ଼ା ହକି ଅଧିନାୟକ ସ୍କଟ୍ ଟପ୍ପର । ତେବେ କୁନି କୁନି ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇ କାନାଡ଼ିଆନ୍ ଟିମ୍ ଅନ୍ୟ ଦଳ ପାଇଁ ବା ବିଶ୍ୱରେ ଏକ ଉଦାହରଣ ପାଲଟିଛନ୍ତି ବୋଲି ପ୍ରଶଂସକମାନେ ମତ ପ୍ରକାଶ କରିଛନ୍ତି । 

ଅନ୍ୟପଟେ କାନାଡ଼ାର ଏହି ଡୋନେସନକୁ ଜର୍ମାନୀର ପୂର୍ବତନ ହକି ଖେଳାଳୀ ଆଣ୍ଡ୍ରିଆ ଥୁମସ୍ରିନଙ୍କ  ସ୍ୱେଚ୍ଛାସେବୀ ସଂସ୍ଥା ପ୍ରଶଂସା କରିଛନ୍ତି । ତେବେ ଏନେଇ ଆଣ୍ଡ୍ର୍ରିଆ କହିଛନ୍ତି ଯେ, କନ୍ଧମାଳ ବାଲିଗୁଡ଼ା ଠାରେ ହେବାକୁଥିବା କୁନି କୁନି ପିଲାଙ୍କ ହକି କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କୁ ଉତ୍ସାହିତ କରିବେ । ତେବେ ଏହି ଉଦ୍ୟମକୁ ସଫଳ କରାଇବାରେ ‘କାଟାଲିଷ୍ଟ ଫର୍ ସୋସିଆଲ ଆକ୍ସନ’ ଅନାଥାଶ୍ରମ ସଂସ୍ଥା ଜରିଆରେ ହେବ ବୋଲି କାନାଡ଼ା ହକି ଟିମ୍ ଅଧିନାୟକ ସ୍କଟ୍ ଟପ୍ପର ଚିଠିରେ ଉଲ୍ଲେଖ କରିଛନ୍ତି ।