ହକି ପାଇଁ ବଢୁଛି ହୃତ୍ ସ୍ପନ୍ଦନ : ଦିନ ୨ଟାରେ ପ୍ରବେଶ, ସାଢ଼େ ୫ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ପଡ଼ିଆ ଭିତରକୁ ପାଣି ବୋତଲ ମନା

ଉଦଘାଟନୀ ଉତ୍ସବ ପାଇଁ କଳିଙ୍ଗ ଷ୍ଟାଡିଅମରେ ଅଭ୍ୟାସ କଲେ ମାଧୁରୀ ଦିକ୍ଷୀତ

123

କନକ ବ୍ୟୁରୋ: ମଞ୍ଚ ପ୍ରସ୍ତୁତ। ମନୋରଂଜନ କରିବା ପାଇଁ କଳାକାର ପ୍ରସ୍ତୁତ। ଦେଖିବାକୁ ଦର୍ଶକ ବି ପ୍ରସ୍ତୁତ। ଆଉ ମାତ୍ର କେଇ କ୍ଷଣର ପ୍ରତୀକ୍ଷା। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଞ୍ଚ ଉପରେ ମାୟା ଲଗାଇ ମନ ଟାଣିବାକୁ ମନୋରଂଜନରେ ନୂଆ କିଛି ଦେଖାଇବା ପାଇଁ ଉଦ୍ୟମ କରାଯାଇଛି। ଉଦ୍ଘାଟନୀ ପର୍ବର ଆଡ଼ମ୍ବରକୁ ଦୁନିଆ ଆଖିରେ ସ୍ମରଣୀୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ହୋଇଛି। ସରକାର ଏହି ଦିନରେ ଭୁବନେଶ୍ବରର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି। ହକି ଉଦଘାଟନୀକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଆଜି ସଂଧ୍ୟା ସାଢ଼େ ୫ଟା ବେଳେ ଉଦ୍ଘାଟନ ପର୍ବ ଆରମ୍ଭ ହେବାକୁ ଯାଉଛି। ମାତ୍ର ଏହାର ସାଢ଼େ ୩ ଘଣ୍ଟା ପୂର୍ବରୁ ଅର୍ଥାତ ଦିନ ୨ଟାରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଛି।

କେଉଁ ଗେଟରେ ପ୍ରବେଶ କରିବେ

କଳିଙ୍ଗ ଷ୍ଟାଡିୟମ୍ରେ ପ୍ରବେଶ ପାଇଁ ୯ଟି ଗେଟ୍ ରହିଛି। ତେବେ ସମସ୍ତ ଗେଟ୍ ଦେଇ ଦର୍ଶକମାନେ ପ୍ରବେଶ କରିପାରିବେ ନାହିଁ। ୯ ନମ୍ବର ଗେଟ୍ ବାଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ପ୍ରବେଶର ବନ୍ଦୋବସ୍ତ କରାଯାଇଛି। ସେହିଭଳି ୨ ନମ୍ବର ଗେଟରେ ପାସଧାରି, ଗଣମାଧ୍ୟମ ପ୍ରତିନିଧି ଏବଂ ମ୍ୟାଚ୍ ଅଫିସିଆଲ୍ମାନେ ପ୍ରବେଶ କରିବେ। ୪ ନମ୍ବର ଗେଟରେ କେବଳ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ଯିବେ। ୨, ୪ ଓ ୯ ନମ୍ବର ଗେଟକୁ ଛାଡ଼ି ଅନ୍ୟ ୬ଟି ଗେଟରେ ଦର୍ଶକମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଶାହରୁଖଙ୍କୁ ଭ୍ୟାନିଟି ଭ୍ୟାନ୍

କିଙ୍ଗ୍ ଖାନ୍ ଶାହରୁଖ୍ ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍ ସହ ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିବେ। ଆପାତତଃ ଦିନ ୨ଟା ବେଳେ ସେ ବିମାନବନ୍ଦରରେ ପହଞ୍ଚିବେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରିହର୍ସାଲ୍ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବେ। ରିହର୍ସାଲ୍ ପରେ ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ସେଇ ଭ୍ୟାନିଟ୍ ଭ୍ୟାନ୍ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟରେ ଫେରିଯିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତେଣୁ ଓଡ଼ିଶାରେ ସେ କୌଣସି ହୋଟେଲରେ ରହିବେ ନାହିଁ। ଶାହରୁଖ୍‌ଙ୍କୁ ଦେଖିବା ପାଇଁ ଅନେକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ମଞ୍ଚ ଉପରେ ତାଙ୍କର ସର୍ପ୍ରାଇଜ୍ ପ୍ରବେଶ ହେବ।

ପଡ଼ିଆ ଭିତରକୁ ପାଣି ବୋତଲ ମନା

କଳିଙ୍ଗ ଷ୍ଟାଡିୟମ୍ ଭିତରକୁ କେତେକ ଜିନିଷ ନେବାକୁ ବାରଣ କରାଯାଇଛି। ପାଣି ବୋତଲ, ଦିଆସିଲି, ରେଜା ପଇସା, ଛୋଟ ଛୁରି ଓ ଲାଇଟର୍ ଆଦି ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ବି ଏସବୁ ଜିନିଷ ନେଇ ପ୍ରବେଶ କରିବେ ସେଗୁଡ଼ିକୁ ପ୍ରବେଶ ଗେଟ୍ ନିକଟରେ ଯାଞ୍ଚ୍ ପରେ ବାହାର କରିଦିଆଯିବ।

ଷ୍ଟାଡିୟମ ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା

ହକି ଉଦ୍ଘାଟନୀ ପର୍ବ ଡ୍ରୋନ୍ କ୍ୟାମେରା ନଜରରେ ରହିବ। ଉଦଘାଟନୀ ସମେତ ଖେଳ ସମୟରେ ଡ୍ରୋନ୍ କ୍ୟାମେରା କଳିଙ୍ଗ ଷ୍ଟାଡିୟମ ଚାରିପଟରେ ଚକ୍କର ଲଗାଇବ। ଏହି କ୍ୟାମେରାଗୁଡ଼ିକୁ କଣ୍ଟ୍ରୋଲ୍ ରୁମରୁ ନିୟନ୍ତ୍ରିତ କରାଯିବ। ଏହି କ୍ୟାମେରା ଜରିଆରେ ଉତ୍ତୋଳିତ ସମସ୍ତ ଚିତ୍ର ପୁଲିସ୍ କଣ୍ଟ୍ରୋଲ୍ ରମରେ ପହଞ୍ଚିବ। କମିସନରେଟ୍ ପୁଲିସର ବରିଷ୍ଠ ଅଧକାରୀମାନେ ଏହା ଉପରେ ନଜର ରଖିବେ।

ଶାହରୁଖ୍‌ଙ୍କୁ ବିରୋଧ କରିବନି କଳିଙ୍ଗ ସେନା

ହକି ବିଶ୍ବକପ୍ ଉଦଘାଟନୀରେ ଶାହରୁଖ୍ ଓଡ଼ିଶାକୁ ଆସୁଥିବା ସୂଚନା ପାଇବା ପରେ ‘କଳିଙ୍ଗ ସେନା’ ଶାହରୁଖଙ୍କୁ ବିରୋଧ କରିବ ବୋଲି ସୂଚନା ଦେଇଥିଲା। ‘ଅଶୋକା’ ଚଳଚ୍ଚିତ୍ରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାର ଇତିହାସକୁ ବିକୃତ କରିଥିବା ଅଭିଯୋଗ କରି ବିରୋଧ କରିବା ନେଇ ଘୋଷଣା କରିଥିଲା। ତେବେ ହକି ଇଣ୍ଡିଆ କର୍ତୃପକ୍ଷ ଏନେଇ କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥଙ୍କ ସହ ଆଲୋଚନା କରିଥିଲା। କର୍ତୃପକ୍ଷଙ୍କ ଅନୁରୋଧ ପରେ କଳିଙ୍ଗ ସେନା ବିରୋଧ ନକରିବାକୁ ନିଷ୍ପତ୍ତି ନେଇଛି।

ମାଧୁରୀଙ୍କ ସ୍ବତନ୍ତ୍ର ପୋଷାକ

ଉଦଘାଟନୀ ପର୍ବରେ ନୃତ୍ୟ ପାଇଁ ଧକଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ପାଇଁ ସ୍ବତନ୍ତ୍ର ଶୈଳୀରେ ପୋଷାକ ପ୍ରସ୍ତୁତ ହୋଇଛି। ଏହି ଅବସରରେ ମାଧୁରୀ ଭୂ ଦେବୀ ଭୂମିକାରେ ଅବତୀର୍ଣ୍ଣ ହେବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ତାଙ୍କ ପାଇଁ କଳା ଓ ଧଳା ରଙ୍ଗର ସ୍ବତନ୍ତ୍ର ପୋଷାକ ପ୍ରସ୍ତୁତ କରାଯାଇଛି। ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ଡିଜାଇନର୍ ସ୍ବପ୍ନିଳ ସିନ୍ଧେ।