ନବୀନଙ୍କ ‘କରନ-ଅର୍ଜୁନ’ ପ୍ରେମ ! ମଞ୍ଚରେ ସମ୍ମାନିତ କଲେ, ସୁପରଷ୍ଟାରଙ୍କୁ କୁଣ୍ଢାଇଲେ ।

ନବୀନଙ୍କୁ ପ୍ରଶଂସାରେ ପୋତିଲେ ଶାହରୁଖ ସଲମାନ୍ ।

395

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଶାହରୁଖ୍ ଏବଂ ବାରବାଟୀରେ ସଲମାନ୍ । ହକି ବିଶ୍ୱକପ ୨୦୧୮ ଉଦଘାଟନୀ ସମାରୋହ ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଟ୍ୱିନ୍ ସିଟି । ବଲିଉଡର ଏହି ଦୁଇ ସୁପରଷ୍ଟାରଙ୍କୁ ଦେଖିବା ପାଇଁ ଜମିଥିଲା ପ୍ରବଳ ଭିଡ । ଗତ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ କିଙ୍ଗ୍ ଖାନ୍ ଶାହରୁଖ ଖାନଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ଗତକାଲି କଟକ ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ ମନ କିଣି ନେଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍ ।

ଗତ ୨୭ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହକି ବିଶ୍ୱକପ ୨୦୧୮କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଗତକାଲି ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ ସେଲିବ୍ରେସନରେ ମଧ୍ୟ ନବୀନ ଯୋଗ ଦେଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ଦୁଇଠି ସମାରୋହରେ ମୁଖ୍ୟ ଆକର୍ଷଣ ଥିବା ବଲିଉଡର କରନ-ଅର୍ଜୁନ ତଥା ସଲମାନ ଖାନ୍ ଏବଂ ଶାହରୁଖ ଖାନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ।

କଳିଙ୍ଗ ଷ୍ଟାଡିୟମରେ ନବୀନ ଶାହରୁଖଙ୍କୁ କୁଣ୍ଢାଇବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଗତକାଲି ମଧ୍ୟ ସଲମାନ ଖାନଙ୍କୁ କୁଣ୍ଢାଇଥିଲେ ମୁଖ୍ୟମନ୍ତ୍ରୀ । ଏପରିକି ସୁପରଷ୍ଟାର ସଲମାନ ଖାନ ନବୀନଙ୍କ ହାତ ଧରି ତାଙ୍କୁ ମଞ୍ଚ ମଧ୍ୟକୁ ଆଣିଥିଲେ । ଏବଂ କହିବା ପାଇଁ ତାଙ୍କ ହାତକୁ ମାଇକ୍ରୋ ଫୋନ୍ ବଢାଇ ଦେଇଥିଲେ । ସେହିପରି କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଶାହରୁଖ ଖାନ୍ ନବୀନଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ । ଏବଂ ହକି ବିଶ୍ୱକପ ଆୟୋଜନ ପାଇଁ ଏବଂ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଓଡିଆରେ ସେ ଧନ୍ୟବାଦ ଜଣାଇଥିଲେ ।

ଗତକାଲି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ ସେଲିବ୍ରେସନରେ ଯୋଗ ଦେବା ଅବସରରେ ସୁପରଷ୍ଟାର ସଲମାନଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯେଉଁଥିରେ ସଲମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନଜର ଆସିଛନ୍ତି । ଏବଂ ଏଥିରେ ସଲମାନ ନବୀନଙ୍କ ପଛପଟେ ରହି ତାଙ୍କୁ ଧରିଥିବାର ଦେଖିବାକୁ ମିଳିଛି । ଏପରିକି ମଞ୍ଚକୁ ଆସିବା ବେଳେ ଏବଂ ମଞ୍ଚରୁ ବିଦାୟ ନେବା ବେଳେ ସୁପରଷ୍ଟାର ସଲମାନ ନବୀନଙ୍କ ହାତ ଧରି ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଲିଥିଲା । ଉଭୟ କଳିଙ୍ଗ ଷ୍ଟାଡିୟମ୍ ଏବଂ ବାରବାଟୀରେ ସୁପରଷ୍ଟାର ଶାହରୁଖ ଏବଂ ସଲମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ।