ବନ୍ଦେ ଉତ୍କଳ ଜନନୀ ପାଇଁ ସମୟ ନେଲେ ସରକାର ! କିନ୍ତୁ ହକିକୁ ନେଇ କେନ୍ଦ୍ରଠାରୁ ମିଳୁନି ସକରାତ୍ମକ ଜବାବ

47

କନକ ବ୍ୟୁରୋ : ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଙ୍ଗୀତ ମାନ୍ୟତା ଦେବା ନେଇ ଦାବି ଜୋର ଧରିବାରେ ଲାଗିଛି । ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରାଯିବ ଏବଂ ବିଚାରବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆଜି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେପଟେ ଏହି ଗୀତର ଲେଖକଙ୍କ ପରିବାର ସଦସ୍ୟ କହିଛନ୍ତି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନି । ଅନ୍ୟପକ୍ଷରେ ହକିକୁ ଜାତୀୟ ଖେଳର ମାନ୍ୟତା ଦାବି ନେଇ ବିବାଦ ତେଜିବାରେ ଲାଗିଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠିବ ।

ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଙ୍ଗୀତ ମାନ୍ୟତା ଦେବା ପ୍ରସଙ୍ଗକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଅନ୍ୟ ରାଜ୍ୟମାନେ କିଭଳି ରାଜ୍ୟ ସଙ୍ଗୀତକୁ ମାନ୍ୟତା ଦେଇଛନ୍ତି ସେ ନେଇ ଅନୁଧ୍ୟାନ କରାଯିବ । ତାପରେ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଙ୍ଗୀତ ମାନ୍ୟତା ଦେବା ପ୍ରସଙ୍ଗରେ ଏହି ଗୀତର ଲେଖକ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପରିବାରର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି ବାଚସ୍ପତିଙ୍କ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦୁଇ ଥର ଏନେଇ ତର୍ଜମା କରିସାରିଛିି । ତେଣୁ ଆଇନସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସଚିବସ୍ତରୀୟ କମିଟି କାହିଁକି ଏହାର ଯାଂଚ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସରକାର ଚାହିଁଲେ ୩ଟି ଉପାୟରେ ଏହାକୁ କାର୍ଯ୍ୟକାରୀ କରିପାରିବେ । ଆଇନ ପ୍ରଣୟନ, ରାଜପତ୍ର ବା ଗେଜେଟ ନୋଟିଫିକେସନ କିମ୍ବା ସରକାରୀ ନିର୍ଦ୍ଦେଶନାମା । ତେବେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ହକିକୁ ଜାତୀୟ ଖେଳର ମାନ୍ୟତା ନେଇ ବିଜେଡି ତାର ଦାବିକୁ ଅଧିକ ଜୋରଦାର କରିଛି । ଆଗାମୀ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ବେଶ ଦୃଢ଼ତାର ସହିତ କହିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭଲ ଉଦ୍ଦେଶ୍ୟ ରଖି ହକିକୁ ଜାତୀୟ ଖେଳର ମାନ୍ୟତା ପ୍ରସ୍ତାବ ରଖିଥିଲେ । ତେଣୁ ଏହାର ରାଜନୀତିକରଣ ନକରାଯାଉ ।