ହକିକୁ ନେଇ ରାଜନୀତି । ବିଶ୍ୱକପ୍ ଆୟୋଜନ ପାଇଁ ଟଙ୍କାଟିଏ ଦେଇନି କେନ୍ଦ୍ର, ରାଜ୍ୟ ଉଠାଇଲା ପ୍ରଶ୍ନ

37

କନକ ବ୍ୟୁରୋ: ପୁରୁଷ ହକି ୱାର୍ଲ୍ଡ କପ୍ ୨୦୧୮ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିଶ୍ୱକପ ଅନୁଦାନ ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗିଛି ଟଣାଓଟରା । ଗତକାଲି ଲୋକସଭାରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ପ୍ରଶ୍ନ ପଚାରିଥିଲେ କୋରାପୁଟ ସାଂସଦ ଝିନ୍ନ ହିକକ୍କା । ଓଡିଶାରେ ଆୟୋଜତି ହେବାକୁଥିବା ହକି ବିଶ୍ୱକପ ପାଣ୍ଠି ବାବଦରେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ସାଂସଦ ଝିନ୍ନ ହିକକ୍କା ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କୌଣସି ଅନୁଦାନ ଦିଆଯାଇନଥିବା କହିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ । ଯାହାକୁ ନେଇ ଉଠିଛି ନୂଆ ବିବାଦ ।

ଅନ୍ୟପଟେ ଏହି ପ୍ରସଙ୍ଗରେ ରାଜ୍ୟ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ପରୋକ୍ଷରେ କେନ୍ଦ୍ର ସରକାରଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରର ନୈତିକତା ଜ୍ଞାନ ଉଦ୍ରେକ ହେବା ଆବଶ୍ୟକ । କାରଣ କୌଣସି ରାଜ୍ୟ ଯଦି ବିଶ୍ୱକପ୍ ଆୟୋଜନ କରିଥାଏ, ଏନେଇ କେନ୍ଦ୍ର ଭାରତୀୟ ଅଲମ୍ପିକ୍ ସଂଘ ସହାୟତାରେ ସଂପୃକ୍ତ ରାଜ୍ୟକୁ ଅନୁଦାନ ଦିଆଯାଇଥାଏ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ।

ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ବୟାନକୁ ପାଲଟା ଆକ୍ରମଣ କରିଛି ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ହକି ୱାର୍ଲ୍ଡକପ୍ ଆଗକୁ ପ୍ଲପ୍ ସୋ ହେବ ବୋଲି ଆଗରୁ ଏଭଳି ମନ୍ତବ୍ୟ ଦେଉଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ ଆସନ୍ତା ନଭେମ୍ବର ମାସରୁ ଡିସେମ୍ବର ମାସ ଯାଏଁ ଓଡିଶାରେ ହକି ୱାଲ୍ଡକପ୍ ହେବାକୁ ଯାଉଅଛି ଯେଉଁଥିରେ ବିଶ୍ୱର ୧୬ଟି ଦେଶ ଭାଗନେବେ । ହେଲେ ରାଜନୈତିକ କଳିରେ ବିଶ୍ୱ ଦରବାରରେ ବଳି ପଡିବନି ତ ଦେଶର ଗୌରବ? ଯାହା କି ସାଧାରଣ ଲୋକମାନଙ୍କ ମନରେ ଆନ୍ଦୋଳିତ କରୁଛି ।