ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା । ୨ ଓଡ଼ିଆ ତାରକା ଖେଳାଳୀ ବିରେନ୍ଦ୍ର ଓ ଅମିତଙ୍କୁ ଦଳରେ ମିଳିଲା ସ୍ଥାନ ।

ହକି ବିଶ୍ୱକପରେ ନିଜ ହୋମ ଗ୍ରାଉଣ୍ଡରେ ନଜର ଆସିବେ ୨ ଓଡ଼ିଆ ପୁଅ ଅମିତ ଓ ବିରେନ୍ଦ୍ର ।

314

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ପଡ଼ିଆକୁ ଓହ୍ଲାଇବ ଦଳ । ସବୁଠାରୁ ବଡ଼ କଥା ହେଲା ଦୁଇ ଓଡ଼ିଆ ଖେଳାଳୀଙ୍କୁ ହକି ଦଳରେ ସାମିଲ କରାଯାଇଛି । ଭାରତୀୟ ହକି ଦଳର ସବୁଠାରୁ ଅନୁଭବୀ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭାରତୀୟ ହକି ଟିମରେ ସୁଯୋଗ ମିଳିଛି । ପୂର୍ବରୁ ମସକାଟ୍ ଠାରେ ଖେଳାଯାଇଥିବା ହକି ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗିତାରେ ବିରେନ୍ଦ୍ର ଖେଳି ନଥିଲେ । ଏହାସହ ଗତ ଅକ୍ଟୋବରରେ କଳିଙ୍ଗ ଷ୍ଟାଡ଼ିୟମରେ ହୋଇଥିବା ୨୫ ଜଣିଆ ପ୍ରଶିକ୍ଷଣ ଶିବିରରେ ମଧ୍ୟ ଉଭୟଙ୍କ ନାଁ ନଥିଲା । ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଓଡ଼ିଶାର ଦୁଇ ପ୍ରତିଭାବାନ୍ ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିଛି ।

ସେହିପରି ଚିଙ୍ଗଲେସନା ସିଂ କାଙ୍ଗୁଜାମ ଦଳର ଉପ-ଅଧିନାୟକ ଦାୟିତ୍ୱଭାର ଦିଆଯାଇଥିବା ବେଳେ ଭାରତୀୟ ଦଳର ଡିଫେନ୍ସ ଭାର ତୁଲାଇବେ ସୁରେନ୍ଦ୍ର କୁମାର ଏବଂ ଓଡ଼ିଆ ପୁଅ ଅମିତ୍ ରୋହିଦାସ । ଏହାସହ ଡ୍ରାଗଫ୍ଲିକର୍ସରେ ପାରଙ୍ଗମଥିବା ଭାରତୀୟ ଦଳର ଯୁବ ତାରକା ଖେଳାଳୀ କୋଠାଜିତ୍ ସିଂ, ହରମନପ୍ରୀତ୍ ସିଂ ଏବଂ ବରୁଣ କୁମାରଙ୍କୁ ସ୍ଥାନ ମିଳିଛି । ଫରୱାର୍ଡରେ ଆକାଶଦୀପ ସିଂ, ଦିଲପ୍ରୀତ ସିଂ,ଲଲିତ୍ ଉପାଧେୟ ଏବଂ ମନ୍ଦୀପ ସିଂଙ୍କ ସହ ସିମ୍ରନଜିତ୍ ସିଂଙ୍କ ଭଳି ଅଭିଜ୍ଞ ଖେଳାଳୀ । ମିଡଫିଲ୍ଡର ଦାୟିତ୍ୱ ସମ୍ଭାଳିବ ଅଧିନାୟକ ମନପ୍ରୀତ ସିଂ, ଚିଙ୍ଗଲେସନା ସିଂ କାଙ୍ଗୁଜାମ, ନୀଳକଣ୍ଠ ଶର୍ମା ଏବଂ ହାର୍ଦ୍ଦିକ ସିଂଙ୍କ ଭଳି ଯୁବ ଖେଳାଳୀ ।

ତେବେ ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡ଼ିୟରେ ଖେଳାଯିବାକୁଥିବା କୁରୁଷ ହକି ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ । କାରଣ ଯେତିକି ସମୟ ନିକଟତର ହେଉଛି ହକିପ୍ରେମୀ ଏବଂ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।