ଅଜାଣତରେ ଭିଭିଆଇପି ଲାଉଞ୍ଜରେ ପଶିଥିଲେ ବୋଲି… ! ଭାରତୀୟ ହକି ଖେଳାଳିଙ୍କୁ ଏମିତି କଟୁ ଭାଷାରେ ଗାଳି କଲେ ହକି ଇଣ୍ଡିଆ ସିଇଓ ?

1,107

କନକ ବ୍ୟୁରୋ : ଆସନ୍ତାକାଲି ହକି ବିଶ୍ୱକପର କ୍ୱାଟରଫାଇନାଲରେ ନେଦରଲାଣ୍ଡକୁ ଭେଟିବାକୁ ଯାଉଛି ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଭାରତୀୟ ହକି ଟିମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ହକି ବିଶ୍ୱକପର କ୍ରସ ଓଭର ମ୍ୟାଚ୍ ସମୟରେ ଅଜାଣତରେ ଭିଭିଆଇପି ଲାଉଞ୍ଜରେ ପଶିଯିବାରୁ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ସାଥୀ ଖେଳାଳିଙ୍କୁ ହକି ଇଣ୍ଡିଆର ସିଇଓ ଏଲେନା ନର୍ମାନ ସର୍ବସମ୍ମୁଖରେ ଗାଳି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ସୋସିଆଲ ମିଡିଆ ଓ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତକାଲି କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ ଓ କାନାଡା ମଧ୍ୟରେ କ୍ରସଓଭର ମ୍ୟାଚ ଚାଲିଥିଲା । ଏହି ମ୍ୟାଚ ଦେଖିବା ପାଇଁ ଭାରତୀୟ କ୍ୟାପଟେନଙ୍କ ସମେତ ଟିମର ଅନ୍ୟ ତିନି ସଦସ୍ୟ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ତେବେ ଏହି ଖେଳ ଦେଖିବା ସମୟରେ ଅଜାଣତରେ ଭିଭିଆଇପି ଲାଉଞ୍ଜ ମଧ୍ୟକୁ ପଶି ଯାଇଥିଲେ ଭାରତୀୟ ଦଳର ଖେଳାଳି ମାନେ । ସେଠାରେ ଖେଳ ଦେଖୁଥିବା କ୍ରୀଡାପ୍ରେମୀ ମାନେ ଭାରତୀୟ ଖେଳାଳିଙ୍କୁ ପାଖରେ ଦେଖି ସେଲଫି ଉଠାଇବା ସହ ଅଟୋଗ୍ରାଫ ନେଇଥିଲେ । ତେବେ ଖେଳାଳିଙ୍କ ପ୍ରବେଶ ପାଇଁ ସେ ସ୍ଥାନ ବାରଣ ବୋଲି ଜାଣିନଥିଲେ ଭାରତୀୟ ଖେଳାଳି । କିନ୍ତୁ ଭାରତୀୟ ଖେଳାଳିଙ୍କୁ ଭିଆଇପି ଲାଉଞ୍ଜରେ ହକି ଇଣ୍ଡିଆ ସିଇଓ ଦେଖିବା ପରେ ସେଠାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ଭିଆଇପି ଲାଉଞ୍ଜରେ ସର୍ବସମ୍ମୁଖରେ ଏଲେନା ନର୍ମାନ ଭାରତୀୟ ଖେଳାଳଳୀଙ୍କୁ ଅତି ଖରାପ ଭାଷାରେ ଗାଳି ଦେଇଥିଲେ ।

ଏପରିକି ଭିଭିଆଇପିଙ୍କ ସାମ୍ନାରେ ଏଲେନା ଭାରତୀୟ ଖେଳାଳୀଙ୍କୁ ‘ଗେଟ ଆଉଟ୍ ଫ୍ରମ୍ ହିଅର, ସଟ୍ ଅପ୍ ଆଣ୍ଡ ଗେଟ ଆଉଟ୍’ ଭଳି ଶବ୍ଦ ବ୍ୟବହାର କରିବାକୁ ପଛାଇ ନଥିବା ଅଭିଯୋଗ ହୋଇଛି । ଏଲେନାଙ୍କ ଭାରତୀୟ ଖେଳାଳୀଙ୍କ ଏଭଳି ଆଚରଣ ସେଠାରେ ଉପସ୍ଥିତ ଥିବା କ୍ରୀଡାପ୍ରେମୀଙ୍କୁ ମର୍ମାହତ କରିଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏଲେନା ନର୍ମାନଙ୍କ ଉପରେ ବର୍ଷିଛନ୍ତି ୟୁଜର୍ସ । କିନ୍ତୁ ଭାରତୀୟ ଅଧିନାୟକ ଏ ଘଟଣା ସର୍ମ୍ପକରେ ମୁହଁ ଖୋଲିବା ପରେ ନୂଆ ମୋଡ ନେଇଛି ଏହି ଘଟଣା । ଭାରତୀୟ ଅଧିନାୟକ ମନପ୍ରୀତ ସିଂହ କହିଛନ୍ତି, ସେ ଓ ତାଙ୍କ ସାଥୀ ଖେଳାଳି ଭୁଲବଶତଃ ଉକ୍ତ ଭିଭିଆଇପି ଲାଉଞ୍ଜକୁ ଯାଇଥିଲେ । ସେଠାକୁ ଖେଳାଳିଙ୍କ ପ୍ରବେଶକୁ ବାରଣ କରାଯାଇଛି । କିନ୍ତୁ ଭିଭିଆଇପି ଲାଉଞ୍ଜ ମଧ୍ୟରେ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । କେବଳ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହାକୁ ବଢାଇ ଲେଖାଯାଉଛି ବୋଲି ମନପ୍ରୀତ କହିଛନ୍ତି । ଆଉ ଏସବୁ ଭିତରେ ଆସନ୍ତାକାଲି କ୍ୱାଟର ଫାଇନାଲରେ ନେଦରଲାଣ୍ଡକୁ ଭେଟିବାକୁ ଯାଉଛି ଭାରତ ।