ହକିର ଏନ୍ତୁଡିଶାଳ ସୁନ୍ଦରଗଡ । ଯେଉଁଠି ଲୋକଙ୍କ ରକ୍ତରେ ରହିଛି ହକି, ଶିଶୁଟିଏ ଚାଲିବା ସହ ଧରିଥାଏ ହକି ଷ୍ଟିକ୍

493

କନକ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଏବେ ଉଠୁଛି ପଡୁଛି ପୂରା ଓଡିଶା । ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁହଁରେ ଏବେ ହକିକୁ ନେଇ ଚର୍ଚ୍ଚା । ରାଜ୍ୟବାସୀଙ୍କୁ ସତେ ଯେମିତି କିମିଆ କରିଛି ହକି । ଏହି ସର୍ମ୍ପକ ଏବେକାର ନୁହେଁ କାହିଁ କେଉଁ କାଳରୁ ହକିକୁ ମନ ଦେଇ ବସିଛନ୍ତି ଓଡିଶା ବାସୀ । ଖାସ୍ କରି ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ରକ୍ତରେ ରହିଛି ହକି । ଏଠି ମାଟିରୁ ବାସି ଉଠେ ହକିର ବାସ୍ନା । ପବନ କହେ ହକିର କାହାଣୀ । ଆମ କହୁଛି ହକିର ଏନ୍ତୁଡିଶାଳ ସୁନ୍ଦରଗଡର କଥା । ଯେଉଁ ସୁନ୍ଦରଗଡ ଦିନେ ଅପହଞ୍ଚ ଇଲାକାର ପରିଚୟ ନେଇ ବଞ୍ଚୁଥିଲା ତାହା ଏବେ ହକି ପାଇଁ ଅର୍ନ୍ତଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି । କାରଣ ଏବେ ହକିର ଗଡ ପାଲଟି ସାରିଛି ସୁନ୍ଦରଗଡ । ବର୍ଷ ବର୍ଷ ଧରି ହକି ପ୍ରତିଭା ମାନଙ୍କୁ ଜନ୍ମ ଦେଇଛି ଏହି ମାଟି ।

ହକିର ଗଡ ସୁନ୍ଦରଗଡ । ଯେତେବେଳେ ସାରା ଦେଶରେ ହକିର କଥା ଉଠେ ସେତେବେଳେ ଆପଣାଛାଏଁ  ସାମ୍ନାକୁ ଆସିଯାଏ ଓଡିଶାର ଅପହଞ୍ଚ ଇଲାକା କୁହାଯାଉଥିବା ସୁନ୍ଦରଗଡ ନାଁ । କାରଣ ଏହି ଅପହଞ୍ଚ ଇଲାକାର ଆଦିବାସୀଙ୍କ ରକ୍ତରେ ରହିଛି ହକି ଖେଳର କଳା । କାହିଁ କେଉଁ କାଳରୁ ଏଠି ଆଦିବାସୀ ମାନେ ଏକ ପରମ୍ପରା ଭାବରେ ହକି ଖେଳି ଆସୁଛନ୍ତି । ଆଉ ପୁରୁଖାଙ୍କ ଏହି ଖେଳ ଆଜି ଅପହଞ୍ଚ ଇଲାକାର ଯୁବକ ମାନଙ୍କୁ ଅର୍ନ୍ତଜାତୀୟ ସ୍ତରରେ ସୁପରଷ୍ଟାରର ପରିଚୟ ଦେଇଛି । ଦିଲ୍ଲୀପ ତିର୍କୀ, ପ୍ରବୋଧ ତିର୍କୀ , ଇଗ୍ନେଶ ତିର୍କୀ, ଲାଜୁରସ ବାର୍ଲାଙ୍କ ଭଳି ଅନେକ ଆର୍ନ୍ତଜାତୀୟ ହକି ପ୍ରତିଭା ମାନଙ୍କୁ ଜନ୍ମ ଦେଇଛି ଏ ମାଟି ।  ଯେଉଁମାନେ ଦେଶ ପାଇଁ ଖେଳିବା ସହ  ନିଜର ଖେଳ ଚାତୁରୀ ବଳରେ ରାଜ୍ୟକୁ ଅର୍ନ୍ତଜାତୀୟ ସ୍ତରରେ ଗର୍ବିତ କରିଛନ୍ତି ।

କେବଳ ପୁରୁଷ ନୁହେଁ ମହିଳା ମାନେ ମଧ୍ୟ ଏଠାରେ ହକି ପାଇଁ ପାଗଳ । ସୁଭଦ୍ରା ପ୍ରଧାନ, ଦୀପଗ୍ରେସ ଏକ୍କା , ସୁନିତ୍ରା ଲାକ୍ରା ,ନମିତା ମିଞ୍ଜଙ୍କ ଭଳି ମହିଳା ହକି ଖେଳାଳି ଅପହଞ୍ଚ ଇଲାକାରୁ ବାହାରି ଅର୍ନ୍ତଜାତୀୟ ସ୍ତରରେ ନିଜର ଜଲୱା ଦେଖାଇଛନ୍ତି । କିନ୍ତୁ ଏତେ ସହଜରେ ଏମାନଙ୍କୁ ମିଳିନି ସଫଳତା । ଏଠାରେ ରାତି ପାହିଲେ ଆରମ୍ଭ ହୁଏ ହକି  । ଭୋକ ଶୋଷ ଭୁଲି ହକି ଖେଳରେ ମାତିଯାନ୍ତି ଆଦିବାସୀ ଯୁବକ ଓ ଯୁବତୀ । ଅର୍ଥାଭାବରୁ ହକି ଷ୍ଟିକ କିଣିବା ଯେତେବେଳେ କାଠିକର ପାଠ ହୋଇଯାଏ ସେତେବେଲେ ଏମାନେ ଜଙ୍ଗଲରୁ ବାଉଁଶ ବାଡି ଆଣି ସେଥିରେ ହକି ଷ୍ଟିକ ତିଆରି କରି ଖେଳିଥାଏ । କୁହାଯାଏ,  ହକିର ଗଡ ସୁନ୍ଦରଗଡ କୁନି କୁନି ପିଲା ଯେତେ ବେଳେ ଜନ୍ମ ନେଇ ଚାଲିବା ଆରମ୍ଭ କରିଥାଏ ଠିକ୍ ସେତିକିବେଳେ ସେମାନଙ୍କ ହାତରେ ହକି ଷ୍ଟିକ୍ ଦେଖିବାକୁ ମିଳିଥାଏ ।

କୁନି କୁନି ପିଲା ଯେତେ ବେଳେ ଚାଲିବା ଆରମ୍ଭ କରିଥାନ୍ତି ସେତେ ବେଳ ଠାରୁ ନିଜ ପରିବାର ର ବରିଷ୍ଠ  ସଦସ୍ୟ ମାନଙ୍କୁ ଦେଖି ଆରମ୍ଭ କରି ଦେଇଥାନ୍ତି ହକି ଖେଳର ଅଭ୍ୟାସ । ପିଲା ଯେତିକି ବଡ ହେଉଥାନ୍ତି  ଅଭ୍ୟାସ  ସେତିକି ବଢି ଚାଲିଥାଏ । ଆଉ ଏହିଠାରୁ ଆରମ୍ଭ ହୋଇଥାଏ ସରକାରଙ୍କ ଦାୟିତ୍ୱ  । ଅପହଞ୍ଚ ଇଲାକାରୁ ଅର୍ନ୍ତଜାତୀୟ ସ୍ତରକୁ ଯାତ୍ରା ସ୍ୱପ୍ନକୁ ଗଢି ତୋଳିଥାନ୍ତି ସରକାର । ଆଉ ଖାସ୍ ସେଥିପାଇଁ  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଦ୍ୱାରା ସୁନ୍ଦରଗଡରେ ପ୍ରତିଷ୍ଠା ହୋଇଛି ଦୁଇଟି କ୍ରୀଡା ଛାତ୍ରାବାସ । ଏଠି ପ୍ରତି ବର୍ଷ  ଜିଲ୍ଲାର କୋଣ ଅନୁକୋଣରୁ ଚୟନ ଶିବିର କରାଯାଇ ପ୍ରତିଭାବାନ ଖେଳାଳୀ ମାନଙ୍କୁ  ଛାତ୍ରାବାସ ରେ ଗ୍ରହଣ କରାଯାଇଥାଏ ।

ଗାଁ ପଡିଆରୁ ସିଧାସଳଖ ଆଷ୍ଟ୍ରୋଟର୍ଫରେ ପାଦ ଦିଅନ୍ତି ଖେଳାଳି ।  ଖେଳକୁ କିଭଳି ଆହୁରି ଉନ୍ନତି କରାଯାଇ ପାରିବ ସେ ନେଇ  ଏମାନଙ୍କୁ  ଅଷ୍ଟ୍ରୋଟର୍ଫ ରେ ଖେଳିବାର ଅଭ୍ୟାସ ଦିଆଯାଇଥାଏ । ଜାତୀୟ ଆର୍ନ୍ତଜାତୀୟ ସ୍ତରର ନିୟମ ବିଷୟରେ ଦିନ ରାତି ତାଙ୍କୁ ଏଠି ଶିକ୍ଷା ଦିଆଯାଇଥାଏ । ଆଉ କୋଚଙ୍କ କହିବା ଅନୁଯାୟୀ ଏଠାରେ ପିଲାଙ୍କ ରକ୍ତରେ ରହିଛି ହକି ଖେଳ ସେଥିପାଇଁ  କୋଚ ମାନଙ୍କୁ ମଧ୍ୟ ବେଶି ପରିଶ୍ରମ କରିବାକୁ ପଡିନଥାଏ । ଆଉ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏମାନେ ପହଚିଂ ଯାଇଥାନ୍ତି ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ।

ଅନ୍ୟ ପଟେ ରାଜ୍ୟ ସରକାର ପୂରା ମିଶନ ମୋଡରେ ହକିର ଏନ୍ତୁଡିଶାଳକୁ ଗୁରୁତ୍ୱ ଦେଇ ଆସିଛନ୍ତି । ରାଜ୍ୟ ସରାକାରଙ୍କ ପ୍ରଚେଷ୍ଟା ବଳରେ ଏବେ ଜିଲ୍ଲାର ପ୍ରତି ବ୍ଲକରେ ଆଷ୍ଟ୍ରୋଟଫ ତିଆରି କରାଯିବା ସହ । କ୍ରୀଡା ପ୍ରତିଭା ମାନଙ୍କୁ କିଭଳି ଆଗକୁ ନିଆଯିବ ସେଇ ନେଇ ସରାକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।