କ୍ରିକେଟ୍ କ୍ରେଜକୁ ପଛରେ ପକାଇଲା ହକି ! ବିଶ୍ୱକପ୍ ଟିକେଟ୍ ପାଇଁ ଘଂଟାଘଂଟା ଧାଡିରେ ଛିଡା ହେଲେ କ୍ରୀଡାପ୍ରେମୀ ।

111

କନକ ବ୍ୟୁରୋ : ହକି ପାଇଁ କ୍ରିକେଟ୍ ଭଳି କ୍ରେଜ୍ । ରାଜଧାନୀରେ ବିଶ୍ୱକପ୍ ହକିର ଉତ୍ସାହ । ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ହୋଇସାରିଥିବା ବେଳେ ଆଜିଠୁ କାଉଁଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ବହୁ ଦୂରରୁ ଶହ ଶହ ହକି ପ୍ରେମୀ ଆସି ଘଂଟା ଘଂଟା ଧରି ଲାଇନରେ ଠିଆ ହୋଇ ଟିକେଟ୍ କିଣିଛନ୍ତି । ବର୍ତ୍ତମାନ ପୁଲ୍ ଓ ନକ୍ ଆଉଟ୍ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହେଉଥିବା ବେଳେ ଉଦଘାଟନୀ ସମାରୋହ ପାଇଁ ଆସନ୍ତା ୧୫ ତାରିଖରେ ଟିକେଟ୍ ବିକ୍ରି ହେବ ।

ରାଜଧାନୀକୁ ହକି ଫିଭର । ହକି ପାଇଁ କ୍ରିକେଟ୍ର କ୍ରେଜ୍ । କାଉଂଟର ଆଗରେ ଲମ୍ବାଧାଡି । ଟିକେଟ୍ ପାଇଁ ଘଂଟା ଘଂଟା ଧରି ଅପେକ୍ଷା । କିଏ ଅନୁଗୁଳ ତ ଆଉ କିଏ ଆସିଛି କେନ୍ଦ୍ରାପଡାରୁ । ସମସ୍ତଙ୍କୁ ଘାରିଛି ହକି ନିଶା । ଓଡିଶାବାସୀଙ୍କ ମଧ୍ୟରେ ହକିର ଏଭଳି କ୍ରେଜ୍ ବୋଧହୁଏ ପୂର୍ବରୁ ଦେଖାଯାଇନଥିଲା । କଳିଙ୍ଗ ଷ୍ଟାଡିଅମରେ ହକି ବିଶ୍ୱକପ୍ ମ୍ୟାଚ୍ ଦେଖିବାକୁ ଚାତକ ପରି ଚାହିଁରହିଛନ୍ତି ହକିପ୍ରେମୀ ।

କାଉଂଟରରେ ମିଳିଲା ଟିକେଟ୍ । ଟ୍ୱିନସିଟିର ୨୦ଟି ସ୍ଥାନରେ ଆଉଟଲେଟ୍ । ହକି ବିଶ୍ୱକପ ପାଇଁ ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇସାରିଥିବା ବେଳେ ଏବେ ଅଫଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇସାରିଛି । କଳିଙ୍ଗ ଷ୍ଟାଡିଅମର ଗେଟ୍ ନମ୍ବର-୯ ବକ୍ସ ସମେତ ଭୁବନେଶ୍ୱରରେ ୧୮ଟି ଏବଂ କଟକରେ ଦୁଇଟି ଆଉଟଲେଟ୍ ଖୋଲାଯାଇଛି । ପୁଲ୍ ଓ ନକଆଉଟ୍ ପର୍ଯ୍ୟାୟରେ ଟିକେଟ୍ ମୂଲ୍ୟ ଅଲଗା ଅଲଗା ରହିଛି । ୧୦୦ ଟଙ୍କାରୁ ୨୫୦ ଟଙ୍କା ଯାଏଁ ବିକ୍ରି ହେଉଛି ଟିକେଟ୍ ।

ବିଶ୍ୱକପର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିଅମରେ ହେବ ଉଦଘାଟନୀ ଉତ୍ସବ । ଏହି ରଂଗାରଂଗ କାର୍ଯ୍ୟକ୍ରମ ପାଇଁ ହୋଇଛି ସ୍ୱତନ୍ତ୍ର ଟିକେଟ୍ ବ୍ୟବସ୍ଥା । ଯାହାର ମୂଲ୍ୟ ୫୦୦ଟଙ୍କା ରଖାଯାଇଛି । ଆସନ୍ତା ୧୫ ତାରିଖରୁ ଉଭୟ ଅନଲାଇନ ଓ ଅଫଲାଇନରେ ଉଦଘାଟନୀ ସମାରୋହର ଟିକେଟ୍ ମିଳିବ । ହକି ବିଶ୍ୱକପର ଆୟୋଜକ ହେଉଛି ଓଡିଶା । ବିଶ୍ୱକପର ପୁଲ୍ ପର୍ଯ୍ୟାୟ ନଭେମ୍ବର ୨୮ରୁ ଡିସେମ୍ବର ୯ ଯାଏଁ ଖେଳାଯିବ । ଏହାପରେ ହେବ ନକ୍ ଆଉଟ୍ ମ୍ୟାଚ୍ । ଟୁର୍ଣ୍ଣାମେଂଟର ଟାଇଟଲ୍ ଟକ୍କର ହେବ ଡିସେମ୍ବର ୧୬ ତାରିଖରେ ।