ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ ! ନିର୍ବାଚନ ଆଚରଣ ବିଧି ଲାଗୁ ପରେ ରାସ୍ତାକଡରୁ ହଟିଲା ପୋଷ୍ଟର ଆଉ ବ୍ୟାନର । 

194

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଲାଗୁ ହୋଇଛି ଆଚରଣ ସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ଶାସକ ଦଳ ବିଜେଡି ଏବଂ ବିଜେପି ପକ୍ଷରୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଳିତ ପୋଷ୍ଟର ଓ ହୋର୍ଡିିଂ ପ୍ରମୁଖ ଛକ ସ୍ଥାନମାନଙ୍କରେ ଲାଗି ରହିଥିଲା । ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁ ହୋଡିଂ ଓ ପୋଷ୍ଟରକୁ ହଟାଇ ଦିଆଯାଇଛି ।

ଆସନ୍ତା ବିଧାନସଭା ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ପରେ ଆକ୍ସନ ମୁଡରେ ରାୟଗଡା ଜିଲ୍ଲା ପ୍ରଶାସନ । ରାୟଗଡା ଓ ଗୁଣୁପୁର ସହର ମୁଖ୍ୟ ରାସ୍ତା କଡରୁ ହଟିଲା ସରକାରୀ ପୋଷ୍ଟର, ବ୍ୟାନର ଓ ହୋଡିଂ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ଲାଗିଥିବା ପୋଷ୍ଟରକୁ ରବିବାର ସଂଧ୍ୟାରୁ ହଟାଇବା କାମ ଜାରି ରଖିଛି ରାୟଗଡା ଜିଲ୍ଲା ପ୍ରଶାସନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଂଟା ଭିତରେ ଏସବୁକୁ ହଟେଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ଏପ୍ରିଲ ୧୧ ତାରିଖରେ ରାୟଗଡା ଜିଲ୍ଲାର ରାୟଗଡା, ବିଷମକଟକ ଓ ଗୁଣୁପୁର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

ଯାଜପୁରରେ ହୋଡିଂ ଭାଙ୍ଗିବା ପାଇଁ ତତ୍ପର ହୋଇ ଉଠିଛି ପ୍ରଶାସନ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ବିଭିନ୍ନ ଅଂଚଳରେ ଲାଗିଥିବା ହୋଡିଂ ଗୁଡିକୁ ହଟାଇ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଉପସ୍ଥିତିରେ ବ୍ୟାସନଗର ପୌରପରିଷଦର କାର୍ଯ୍ୟନିର୍ବାହି ଅଧିକାରୀ ସପନ କୁମାର ନନ୍ଦ ଏବଂ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ହୋଡିଂ ଗୁଡିକ କଢାଯାଇଛିି । ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ କୌଣସି ରାଜନୈତିକ ଦଳର ପୋଷ୍ଟର ଏବଂ ବ୍ୟାନର ସରକାରୀ ସ୍ଥାନ ବା ସରକାରୀ କାନ୍ଥରେ ଲଗାଯାଇ ପାରିବ ନାହିଁ । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ ।