ବୁର୍ଲା ମେଡିକାଲରେ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ । ଏଚଆଇଭି ସଂକ୍ରମିତ ଉପକରଣରେ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗ, ଡାକ୍ତର କହିଲେ ଅଭିଯୋଗ ଭିତ୍ତିହୀନ

405

କନକ ବ୍ୟୁରୋ : ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ । କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନକରି ଏଚଆଇଭି ବା ଏଡସ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଉପକରଣରେ ଅନ୍ୟ ରୋଗୀଙ୍କ ଚିକିତ୍ସା କରାଯାଇଛି । ଏହି କଥା ପ୍ରଘଟ ହେବା ପରେ ଭିମସାର ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ଏପଟେ ଘଟଣାର ତଦନ୍ତ ପାଇଁ ମେଡିକାଲ ସୁପରିଟେଣ୍ଡେଂଟଙ୍କୁ ନିର୍ଦେଶ ପରେ ୫ ଜଣିଆ ଟିମ ଗଠନ ହୋଇଛି ।

ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିଦେବ । ଅଭିଯୋଗ ଏତେ ଗମ୍ଭୀର ଯେ, ଜଣେ ଭୟଭୀତ ହୋଇଯିବାର ଅନେକ ସମ୍ଭାବନା ରହିଛି । ଗତ ୨୮ ତାରିଖରେ ଜଣେ ଏଚଆଇଭି ଆକ୍ରାନ୍ତ ରୋଗୀଙ୍କୁ ଅପରେସନ୍ କରିବା ପରେ ସେହି ସମାନ ଉପକରଣରେ ଅନ୍ୟ ରୋଗୀଙ୍କ ଦାନ୍ତ ଓପଡା ଯାଇଥିବା ଅଭିଯୋଗ ହୋଇଛି । ଭିମସାରର ଦାନ୍ତ ବିଭାଗର ମୁଖ୍ୟ ନିଜ ବିଭାଗକୁ ନେଇ ଏହି କଥା ସାମ୍ନାକୁ ଆଣିଛନ୍ତି ।

ପ୍ରୋଟୋକଲ କିମ୍ବା ନିୟମ ଅନୁସାରେ ଏଚଆଇଭି ବା ଏଡସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ଦାନ୍ତ ଅପରେସନ ପରେ । ଆବଶ୍ୟକୀୟ ବିଶୋଧନ କରାଯିବାର ଆବଶ୍ୟକତା ରହିଛି । କିନ୍ତୁ ଅଭିଯୋଗ ଅନୁସାରେ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନକରି ଦାନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଶାନ୍ତ ସ୍ୱାଇଁ ଜଣେ ଏଚଆଇଭି ରୋଗୀଙ୍କ ଦାନ୍ତ ଅପରେସନ ପରେ ଅନ୍ୟ ୨ ଜଣ ରୋଗୀଙ୍କ ଦାନ୍ତ ଓପାଡିଛନ୍ତି । ଏନେଇ ଡିନଙ୍କୁ ଲିଖିତ ଭାବେ ଜଣାଯାଇଛି ।

ସେପଟେ ଦାନ୍ତ ଅପରେସନ କରିଥିବା ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ କନକ ନ୍ୟୁଜରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରୋଟୋକଲ କିମ୍ବା ନିୟମ ଅନୁସାରେ ସବୁ କାମ ହୋଇଛି । ଅନ୍ୟ ରୋଗୀଙ୍କର ଦାନ୍ତ ଓପଡା ଅନ୍ୟ ରୁମରେ କରିବା ସହିତ ଅନ୍ୟ ଉପକରଣରେ କରିଥିବା ସଂପୃକ୍ତ ଡାକ୍ତର କହିଛନ୍ତି । ଘଟଣାକୁ ଗୁରୁତର ସହ ନେଇ ଭିମସାର ଡିନ୍ ବ୍ରଜମୋହନ ମିଶ୍ର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ସୁପରିଟେଣ୍ଡଂଟଙ୍କ ନେତୃତ୍ୱରେ ଏକ ପାଂଚ ଜଣିଆ ଟିମ୍ ଗଠନ କରାଯାଇଛି ।ବ୍ରୁ୍ଲା ମେଡିକାଲର ଏହି ଘଟଣା ଯେତିକି ଗୁରୁତର ସେତିକି ସମ୍ବେଦନଶୀଳ ମଧ୍ୟ । ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।