ପରମାଣୁ ଆକ୍ରମଣ ପାଇଁ ଉତ୍ତର କୋରିଆର ହିଟଲିଷ୍ଟ ପ୍ରସ୍ତୁତ ! ଜାଣନ୍ତୁ ଟାର୍ଗେଟରେ ରହିଛି କେଉଁ ଦେଶ ?

41

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ ପୁଣିଥରେ ପରମାଣୁ ଯୁଦ୍ଧ ପାଇଁ ଅଣ୍ଟା ଭିଡିଲେଣି । ଏଥିପାଇଁ ଏକ ହିଟ୍ ଲିଷ୍ଟ ପ୍ରସ୍ତୁତ କରିଛନ୍ତି ଏହି ତାନାଶାହ ଶାସକ । କେଉଁ କେଉଁ ସହରରେ ପରାମାଣୁ ଆକ୍ରମଣ ହେବ ସେନେଇ ଏକ ଲିଷ୍ଟ ପ୍ରସ୍ତୁତ କରିଛନ୍ତି କିମ ଜଙ୍ଗ ।ୟୁରୋପର ଥିଙ୍କ୍ ଟ୍ୟାଙ୍କ ୟୁରୋପିୟାନ କମିଶନ ଅଫ ଫରେନ ରିଲେସନର ରିପୋର୍ଟରେ କିମ୍ ଜଙ୍ଗ ଉନର ଚାଲାଖିକୁ ନେଇ ଏକ ବଡ ଖୁଲାସା ହୋଇଛି । କିମ ଜଙ୍ଗ ଉନ୍ ପ୍ରସ୍ତୁତ କରିଥିବା ହିଟଲିଷ୍ଟରେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆର ୧୫ଟି ବଡ ସହର ରହିଛି ।

ଆମେରିକାର ହ୍ୱାଇଟହାଉସ, ପେଣ୍ଟାଗନ ଓ ଏୟାରବେସ ଗୁଆମ ଦ୍ୱୀପକୁ କିମ୍ ଜଙ୍ଗ ନିଜ ହିଟଲିଷ୍ଟରେ ସବୁଠାରୁ ଉପରେ ରଖିଛନ୍ତି । ସେହିଭଳି ଜାପାନର ରାଜଧାନୀ ଟୋକିଓ, ଓସାକା ଭଳି ସହରକୁ ଉପରେ ମଧ୍ୟ କିମ ଜଙ୍ଗର ନଜର ରହିଛି । ଚିରଶତ୍ରୁ ଦକ୍ଷିଣ କୋରିଆର ରାଜଧାନୀ ସିଓଲକୁ ମଧ୍ୟ ଟାର୍ଗେଟରେ ରଖିଛନ୍ତି କିମ୍ ଜଙ୍ଗ । ନର୍ଥ କୋରିଆର ଏଭଳି ପ୍ରସ୍ତୁତି ଏବେ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ପୂରା ବିଶ୍ୱ ଉପରେ ପରାମାଣୁ ଯୁଦ୍ଧର କଳାବାଦଲ ଘୂରି ବୁଲୁଛି । କେଉଁ ମୂହୂର୍ତ୍ତରେ ଯୁଦ୍ଧ ହୋଇଯିବ ତାହା କେହି କହି ପାରିବେ ନାହିଁ ।

ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନର୍ଥ କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନଙ୍କୁ ବାରମ୍ବାର ଚେତାବନୀ ଦେଇ ଆସିଛନ୍ତି । କିନ୍ତୁ ଏହାର କାଣିଚାଏ ପ୍ରଭାବ ମଧ୍ୟ ନର୍ଥ କୋରିଆ ଉପରେ ପଡିନଥିଲା । ଏହାସହ ଆମେରିକା ମଧ୍ୟ ପୂର୍ବରୁ ଉତ୍ତର କୋରିଆ ଆକାଶରେ ନିଜ ଯୁଦ୍ଧ ବିମାନକୁ ଉଡାଇ ସାରିଛି । ଯାହା ଉତ୍ତର କୋରିଆକୁ ଅଧିକ ଉତ୍ତକ୍ଷିପ୍ତ କରିଛି । ତେବେ ଟ୍ରମ୍ପ ଓ କିମଙ୍କ ଲଢେଇ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ଯେ ନ ହେବ ତାହା କହିବା ଅସମ୍ଭବ ।