ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା ! ଆଜି ଖଣ୍ଡଗିରି ଥାନାରେ ପକ୍ଷ ରଖିବ ସିଦ୍ଧାର୍ଥ କନଷ୍ଟ୍ରକସନ୍

47

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲାରେ ସିଦ୍ଧାର୍ଥ କନଷ୍ଟ୍ରକସନକୁ ନୋଟିସ । ଆଜି ଖଣ୍ଡଗିରି ଥାନାରେ ହାଜର ହେବେ ସିଦ୍ଧାର୍ଥ କନଷ୍ଟ୍ରକସନ କଂପାନୀ କର୍ତୃପକ୍ଷ । ଏ ନେଇ ଗତକାଲି ଖଣ୍ଡଗିରି ଥାନା ପକ୍ଷରୁ ନୋଟିସ କରାଯାଇଥିଲା ।

ରବିବାର ରାତିରେଏକ ସଫାରୀ ଗାଡି ଓୟୁଏଟି ଛାତ୍ରୀ ସୁଚିସ୍ମିତା ବିଶ୍ୱାଳଙ୍କ ଉପରକୁ ମାଡିଯାଇଥିଲା । ଏହି ଘଟଣାରେ ସୁଚିସ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ପ୍ରଜ୍ଞା ତିୱାରୀ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସେପଟେ ମୃତ ଛାତ୍ରୀ ସୁଚିସ୍ମିତା ବିଶ୍ୱାଳଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି ।

ପାରିପାଶ୍ୱିର୍କ ସୂଚନା ଅନୁସାରେ ସଫାରୀରେ ବସିଥିବା ଯୁବକମାନେ ମଦ ପିଇଥିଲେ ଏବଂ ମଦ ନିଶାରେ ସେମାନେ ଏହି ଦୁର୍ଘଟଣା ଘଟାଇଥିବା କୁହାଯାଉଛି । ଘଟଣାକୁ ନେଇ ଓୟୁଏଟି ପରିସରରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏହି ଗାଡିଟି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାରିବାରିକ କଂପାନୀ ସିଦ୍ଧାର୍ଥ କନଷ୍ଟ୍ରକସନ୍ ନାଁରେ ରହିଥିବା ଅଭିଯୋଗ ହୋଇଛି ।

ତେବେ ଏହି ଗାଡିଟିକୁ ଦୀର୍ଘ ୮ ବର୍ଷ ହେଲା ପୂର୍ବତନ ବାଚସ୍ପତି ତଥା ବିଜେଡି ନେତା କିଶୋର ମହାନ୍ତିଙ୍କ ପରିବାର ଲୋକେ ବ୍ୟବହାର କରୁଛନ୍ତି । ଦୁର୍ଘଟଣା ଘଟାଇବା ପରେ ଗାଡିଟି ଉଭାନ ହୋଇଯାଇଥିଲା । କିଏ ଚଳାଉଥିଲା ଏବଂ କେଉଁମାନେ ବସିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଗାଡିଟି ଜବତ ହୋଇଛି । କମିଶନରେଟ ପୁଲିସ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଘରେ ପଂହଚି ଛାନଭିନ୍ କରିଛି ।