ଅନୁଗୁଳରେ ଏନକାଉଂଟର: କୁଖ୍ୟାତ ଅପରାଧୀ ଦିଲୁ ଖାନଙ୍କୁ ଗୁଳି କଲା ପୁଲିସ, ଗୁରୁତର ଅବସ୍ଥାରେ କଟକରେ ଭର୍ତ୍ତି

ଦିଲୁ ନାଁରେ ରହିଛି ଏକାଧିକ ମାମଲା

136

କନକ ବ୍ୟୁରୋ: ଗତକାଲି ରାତିରେ ଅନୁଗୁଳ ଜିଲ୍ଲା ଡେରଜଙ୍ଗ ପ୍ରୋଜେକ୍ଟ ନିକଟରେ ପୁଲିସ ଏନକାଉଣ୍ଟରେ ଜଣେ ଅପରାଧୀ ଗୁରୁତର ଭାବେ ଆହତ ହୋଇଛି। ଅଭିଯୁକ୍ତର ବାମଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଡେରଜଙ୍ଗ ପ୍ରୋଜେକ୍ଟ ନିକଟରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଥିବା ଜଣେ ଯବାନଙ୍କୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଯବାନଙ୍କ ବାଇକ ଚକାରେ ଆସି ବାଜିବାରୁ ଯବାନମାନେ ସତର୍କ ହୋଇ ଉଠିଥିଲେ। ପରେ ସେମାନେ ପାଲଟା ଗୁଳି ଚଳାଇବାରୁ ବାଇକ୍ ଯୋଗେ ଖସି ପଳାଉଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପଛରେ ବସିଥିବା ଦିଲୁ ଖାନର ବାମ ଗାଡ଼ରେ ଗୁଳି ବାଜିଥିଲା।

ଅନ୍ୟ ଦୁଇ ଅଭିଯୁକ୍ତ ରାଜା ଓ ବୁଲା ଫେରାର ହୋଇ ଯାଇଥିବା ବେଳେ ଦିଲୁ ଖାନ ପୁଲିସ ହାତରେ ଧରାପଡ଼ିଥିଲା। ଅଭିଯୁକ୍ତମାନେ ତାଳଚେର ଅଞ୍ଚଳର ହୋଇଥିବା ବେଳେ ସେମାନେ ରନ୍ତଳେଇ ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା କରୁଥିଲେ। ମାତ୍ର ପୁଲିସ ପଇଁତରା ଦେଖି ନିଜ ଯୋଜନାରେ ସଫଳ ନ ହେବାରୁ ପୁଲିସ ଉପରକୁ ଗୁଳି ଚଳଇଥିବା ଆଶଙ୍କା କରାଯାଉଛି। ପୁଲିସ ଏନକାଉଣ୍ଟରରେ ଗୁରୁତର ଦିଲୁ ଖାନ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି।