ଆଜି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ରୁକୁଣାର ଅପାସୋରା ଅତୀତ

ଗଡ଼ିବ ରୁକୁଣା ରଥ। ଜମିବ ଅଶୋକା ଭିଡ଼

68
କନକ ବ୍ୟୁରୋ : ଗଡ଼ିବ ରୁକୁଣା ରଥ। ଜମିବ ଅଶୋକା ଭିଡ଼। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତେବେ ରୁକୁଣା ରଥଯାତ୍ରାର ସେଇ ତିକ୍ତ ଓ ମିଠା ଅନୁଭୂତି ଅନେକଙ୍କ ସ୍ମୃତିରେ ଆଜି ବି ଅପାସୋରା। ରୁକୁଣା ରଥଯାତ୍ରାର ଅତୀତକୁ ଫେରି ଚାହିଁଲେ ଆଜି ବି ଚକିତ ହୁଅନ୍ତି ଅନେକ। ଷାଠିଏ ସତୁରି ଦଶକରେ ରଥଯାତ୍ରା ପାଇଁ ବାଟ ସୁଗମ ନଥିଲା। ବଢ଼େଇବାଙ୍କରୁ ମାଉସୀମା ମନ୍ଦିରକୁ ଯାଇଥିବା ରଥ ରୋଡ୍ ମଝିରେ ଥିଲା ଏକ କର୍ଦମାକ୍ତ ଅସୁର ଗହୀର। ରଥଯାତ୍ରା ଆସିଲେ ଏହି ଗହୀରରେ ଅସ୍ଥାୟୀ ରାସ୍ତା ତିଆରି ହେଉଥିଲା। ରଥ ଗଢ଼ାଠୁ ନେଇ ଫେରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରୁଥିଲେ ଭୋଇ (ବାଉରୀ) ମାନେ। ତେବେ ଏମିତି ବି ଦିନ ଥିଲା, ବାଲିଅନ୍ତାରୁ ସେକାଳର ସାମନ୍ତ ରାଜା ନଆସିବା ପର୍ଯ୍ୟନ୍ତ ରଥ ଚାଲୁ ନଥିଲା। ବାସ୍ତବରେ ଗଜପତି ଶାସନ ପରେ ବାଲିଅନ୍ତାର ସାମନ୍ତରାଜାମାନେ ଜମିଦାର ଭାବେ ସ୍ବୀକୃତି ପାଇଥିଲେ। ବାଲିଅନ୍ତାରୁ ଘୋଡ଼ା ଓ ପାଲିଙ୍କିରେ ବସି ଜମିଦାର ରଥଯାତ୍ରାକୁ ଆସୁଥିଲେ।
ରଥ ଚଳା ବେଳେ ଅସୁରଗହୀର ନିକଟରେ ରଥ ଚକ ଦବିଯାଉଥିଲା। ତେଣୁ ରଥ ଗଡ଼େଇବାକୁ ନାକେଦମ ହେବାକୁ ପଡ଼ୁଥିଲା। ଏହି ସମୟରେ ବାଲିଅନ୍ତାରୁ ଆସୁଥିବା ଜମିଦାର ନିଜ ସାଥିରେ ରଥ ଗଡ଼ିବାରେ ସହଯୋଗ କରିବା ପାଇଁ ସାଙ୍ଗରେ କଳା ବେଠିଆମାନଙ୍କୁ ନେଇ ଆସୁଥିଲେ। ସେମାନେ ହିଁ ନିଜର ବାହୁ ବଳରେ ଦବିଯାଉଥିବା ରଥ ଚକାକୁ ଉଠାଇ ମାଉସୀମା ମନ୍ଦିର ନିକଟରେ ପହଞ୍ଚାଇବାରେ ସହଯୋଗ କରୁଥିଲେ। ନହରକଣ୍ଟା ଜମିଦାର, ଭିଙ୍ଗାରପୁର ବ୍ରାହ୍ମଣ ବଂଶୀୟ ଜମିଦାର, ବାଳକାଟିର ମକଦ୍ଦମ ଶାସନ ମଧ୍ୟ ରଥ ଚଳାରେ ସହଯୋଗ କରୁଥିଲେ ବୋଲି କୁହନ୍ତି ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ। ଏହା ପୂର୍ବରୁ ବଡ଼ଗଡ଼ର ସାମନ୍ତ ରାଜାମାନେ ଏହି ଦାୟିତ୍ବ ତୁଲାଉଥିଲେ।
ରଥୋତ୍ସବ ଦେଖିବା ଓ ଶ୍ରୀଲିଙ୍ଗରାଜଙ୍କ ସେବା ପାଇଁ ରାଜ ପରିବାର ଆସିଲେ ମନ୍ଦିର ପଛପଟେ ଥିବା ରାଜ ନଅରରେ ରହୁଥିଲେ। ବର୍ତମାନ ମନ୍ଦିର ପଛ ପାଖରେ ଥିବା ଦକ୍ଷିଣ ଚଣ୍ଡୀ ଓ ଗଣେଶ ବିଗ୍ରହ ସେତେବେଳର ରାଜପୂଜିତ ବିଗ୍ରହ। ତାହା ନଅର ପରିସର ମଧ୍ୟରେ ରହିଥିଲା। ସେଠାରେ ଥିବା ସୁଡ଼ଙ୍ଗ ଓ ଭଗ୍ନ ରାଜପ୍ରାସାଦର ପଥର ଗଦାମାନ ଏବେ ଦୃଷ୍ଟିକୁ ଆସେ। ମାତ୍ର ଦୁଇଟି ପୂଜିତ ବିଗ୍ରହ ବ୍ୟତୀତ ଆଉ ତାହାର କୌଣସି ଚିହ୍ନ ନାହିଁ। ସେ ସ୍ଥାନରେ ଏବେ ସୁରମ୍ୟ ଅଟ୍ଟାଳିକାମାନ ଛିଡ଼ା ହୋଇଛି। ଏକଦା ଏହି ଅଶୋକାଷ୍ଟମୀ ରଥଯାତ୍ରା ଭୁବନେଶ୍ବର ସବଡିଭିଜନ ଅନ୍ତର୍ଗତ ସମସ୍ତ ଜନପଦରେ ଏକ ଗଣଯାତ୍ରା ଥିଲା। ଯାତ୍ରା ଦେଖିବାକୁ ଲୋକେ ଶଗଡ଼, ପାଲିଙ୍କି, ଘୋଡ଼ା, ଏମିତିକି ପାଦରେ ଚାଲିଚାଲି ପଳେଇ ଆସୁଥିଲେ। ସୀମିତ ରାସ୍ତାରେ ରଥଟଣା ଯୋଗୁଁ ପ୍ରବଳ ଭିଡ଼ ହେଉଥିଲା। ତେଣୁ ଏହାକୁ ଅଶୋକା ଭିଡ଼ କୁହାଯାଉଥିଲା।
ଏହି ଯାତ୍ରାରୁ ଚାଷୀମାନେ ଚାଷ ଉପକରଣ କିଣୁଥିଲେ। ବିବାହ ପ୍ରସ୍ତାବ ପଡ଼ିବା ସହ ବୋହୁ ଦେଖା ଓ ନିର୍ବନ୍ଧମାନ ମଧ୍ୟ ଏହିଦିନ ଅନୁଷ୍ଠିତ ହେଉଥିଲା। ବସନ୍ତ ଋତୁର ମନମୁଗ୍ଧକର ରାତିରେ ଦଳବଦ୍ଧ ହୋଇ ଗାଁ’କୁ ଫେରିବାର ଦୃଶ୍ୟ ଆଜି ବି ଅନେକଙ୍କ ଅବିସ୍ମୃତ ବୋଲି କୁହନ୍ତି ଶ୍ରୀ ତ୍ରିପାଠୀ। ଚଳଚଞ୍ଚଳ ବର୍ତମାନକୁ ନେଇ ମଣିଷ ହୁଏତ ସନ୍ତୁଷ୍ଟ। ଅପେକ୍ଷା କରିଥିବା ଭବିଷ୍ୟତ ପାଇଁ ହୁଏତ ସ୍ବପ୍ନରେ ବିଭୋର। କିନ୍ତୁ ଅତୀତକୁ ଫେରି ନଚାହିଁଲେ ଭବିଷ୍ୟତର ପାହାଚ ଚଢ଼ିବା ବେଳେ ମଣିଷ ଯେ, ଝୁଣ୍ଟେ ଏଥିରେ ଦ୍ବିମତ ନାହିଁ। ଏଇ ଦୃଷ୍ଟିରୁ ଅତୀତ ସ୍ମୃତିକୁ ଅବଲୋକନ କରିବା ପାଇଁ ଏହି ଆଲେଖ୍ୟର ପରିକଳ୍ପନା।

Comments are closed.