ଆଜି ରସଗୋଲା ଦିବସ: ବଜାରରେ ରକମ ରକମର ମିଠା ଉପଲବ୍ଧ କିନ୍ତୁ ମିଠା ଭିତରେ ଏବେ ବି ରାଜା ରସଗୋଲା..

106

କନକ ବ୍ୟୁରୋ: ରସଗୋଲା..। ବାସ୍ ଏତିକି ଶବ୍ଦ କାନରେ ପଡ଼ିଗଲେ ଜିଭ ସମ୍ଭାଳ ପଡ଼େନି। ନଜର ପଡ଼ିଲେ ନଖାଇ ଲେଉଟି ହୁଏନି। ବଜାରରେ ରକମ ରକମର ମିଠା ଉପଲବ୍ଧ। ମାତ୍ର ମିଠା ଭିତରେ ଏବେ ବି ରାଜା ରସଗୋଲା..। ଗୁଲାପ ଜାମୁନ, ଅନାରକଲି, ହୀରାମଣି, ମଲାଇ ଚପ୍, କେଶର ପେଡ଼ା, ସନ୍ଦେଶ ଆଦି ଶତାଧିକ ମିଠା ରହିଛି। ମାତ୍ର ମିଠା କଥା ପଡ଼ିଲେ ମନ ଆଗେ ଖୋଜେ ରସଗୋଲା। ମିଠା ରଙ୍କୁଣାଙ୍କ ମନ ଚାହିଁ ପାହାଳରେ ଖୋଲିଛି ବୃହତ୍ ରସଗୋଲା ବଜାର। ଆଜି ନୀଳାଦ୍ରି ବିଜେକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସଜେଇ ହେଉଛି ରାଜଧାନୀର ରସଗୋଲା ବଜାର।

ସୁଗାର୍ଫ୍ରି ଓ ଗୁଡ଼ ରସଗୋଲା

ମଧୁମେହ ରୋଗୀଙ୍କ ସଂଖ୍ୟାର ଅନୁପାତ ଏତେ ପରିମାଣରେ ବଢ଼ୁଛି ଯେ, ରସଗୋଲା ଖାଇବାକୁ ମନ ଲୋଡ଼ୁଥିଲେ ବି ଖାଇପାରୁନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁଗାର ଫ୍ରି ଲିକୁଇଡ୍ ମିଶାଇ ସୁଗାର ଫ୍ରି ପ୍ରସ୍ତୁତ ହେଉଛି। ସେହିଭଳି ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିଙ୍କୁ ରସଗୋଲା ପ୍ରତି ଆକର୍ଷଣ ଜନ୍ମେଇବା ପାଇଁ ଗୁଡ଼ରେ ନିର୍ମିତ ରସଗୋଲା ପ୍ରସ୍ତୁତ ।

ରସଗୋଲାରେ ଫ୍ଲେଭର

ରସଗୋଲାରେ ରୁଚି ରଖୁଥିବା ଲୋକଙ୍କ ସ୍ୱାଦକୁ ଦୃଷ୍ଟିରେ ରଖି ଉପଲବ୍ଧ ହେଲାଣି ଫ୍ଲେଭର୍ ରସଗୋଲା। ରାଜଭୋଗ, ବ୍ରାଉନ୍ ରସଗୋଲା ପ୍ରାୟ ସବୁବେଳେ ଉପଲବ୍ଧ ହୁଏ। କିନ୍ତୁ ଅର୍ଡର ଦେଲେ ନଚେତ୍ ରସଗୋଲା ଦିବସ ଆସିଲେ କିଛି ନିର୍ଦିଷ୍ଟ ମିଠା ଦୋକାନରେ ଫ୍ଲେଭର୍ ରସଗୋଲା ସଂଖ୍ୟା ବଢ଼ିଯାଏ। ପୁଦିନା, ତୁଳସୀ, ଆମ୍ବ, ଭାନିଲା, ପାଲକ, ଗାଜର, ଷ୍ଟ୍ରବେରି ଓ ଆଇସକ୍ରିମ୍ ରସଗୋଲା ମଧ୍ୟ ଉପଲବ୍ଧ । ଏହାର ଦର ୧୨ରୁ ୧୫ ଟଙ୍କା ରହୁଥିବା ବେଳେ ଷ୍ଟ୍ରବେରି ଓ ଆଇସକ୍ରିମ୍ ରସଗୋଲା ଦର ୨୦ ଟଙ୍କା ରୁହେ। କଳ୍ପନାରୁ ରବି ଟକିଜ୍ ଦିଗରେ ଯାଇଥିବା ରାସ୍ତା କଡ଼ ଭାଇ ଭାଇ ରସଗୋଲା ଦୋକାନରେ ୫୦ରୁ ୫୦୦ ଟଙ୍କିଆ ରସଗୋଲା ବି ଉପଲବ୍ଧ ।

ରାଜ୍ୟ ବାହାରେ ବି ଓଡ଼ିଶା ରସଗୋଲା ଚାହିଦା

ସାଲେପୁରର ବିକଳାନନ୍ଦ ରସଗୋଲା କେବଳ ଓଡ଼ିଶାରେ ସୀମିତ ନାହିଁ ବରଂ ରାଜ୍ୟ ବାହାରକୁ ରପ୍ତାନୀ ହେଉଛି । ଭୁବନେଶ୍ୱରରେ ସ୍ୱିଟସ ଷ୍ଟୋରରେ ବ୍ରାଉନ୍ ରସଗୋଲା, କମଳା ରସଗୋଲା ଓ କେଶର ରସଗୋଲା ୯ପ୍ରକାରର ଦିନକୁ ୨ଲକ୍ଷରୁ ଊର୍ଧ୍ୱ ଟଙ୍କାର ରସଗୋଲା ବିକ୍ରି ହୁଏ। ବ୍ରାଉନି ରସଗୋଲାର ଚାହିଦା ବଢ଼ୁଥିବା ବେଳେ ରପ୍ତାନୀ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ ।

କେବେଠାରୁ ଆରମ୍ଭ ହୋଇଛି ଏହି ରସଗୋଲା ଦିବସ

୨୦୧୫ ଜୁଲାଇ ୪ ତାରିଖ ( ନିଳାଦ୍ରୀ ବିଜେ ଦିନ) ଏହା ପ୍ରଥମେ ଆରମ୍ଭ ହୋଇଥିଲା । ସୋସିଆଲ ମିଡ଼ିଆରେ ପ୍ରଥମେ ରସଗୋଲା ଦିବସକୁ ଗୁରୁତ୍ୱ ଦିଆଗଲା । ପରେ ପରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରସଗୋଲା ଦିବସ ପାଳନ ହେଲା ।

ଓଡ଼ିଶାର ପୁରୀ ସହରରେ ପ୍ରଥମେ ରସଗୋଲା ତିଆରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା କଟକର ସାଲେପୁର ଓ ଭୁବନେଶ୍ୱର ପାହଳ ଠାରେ ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ପ୍ରମାଣର ଅଭାବ ହେତୁ ରସଗୋଲା ବିଷୟରେ ସଠିକ ମସିହା ଲିପିବଦ୍ଧ ହୋଇପାରିନାହି । ଜଗନ୍ନାଥ ମନ୍ଦିରର ରୋଷଘରେ ତିଆରି ହେଉଥିଲା କ୍ଷୀରମୋହନ (ରସଗୋଲା) ।

୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର କରିବାର ଯୋଜନା ହୋଇଥିଲା । ଯେଉଁଥିରେ ସୋସିଆଲ ମିଡ଼ିଆ ଏକ ଗୁରତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା ।

ଏବେ ବି ଅନିଶ୍ଚିତତା ମଧ୍ୟରେ ଜିଆଇ ମାନ୍ୟତା

ରସଗୋଲାକୁ ବିଶ୍ୱସ୍ତରରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଏକ ପ୍ରକାର ଶୀଥଳ ହୋଇଯାଇଛି । ନୀଳାଦ୍ରୀ ବିଜେ ପରେ ନୀଳାଦ୍ରୀ ବିଜେ ଚାଲିଯାଉଛି ମାତ୍ର ରାଜ୍ୟ ସରକାର ରସଗୋଲାକୁ ଭୋ÷ଗଳିକ ଉତ୍ପତି ବା ଜିଆଇ ଟ୍ୟାଗ୍ ଦେବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନାହାନ୍ତି । ଯଦିଓ ଜିଆଇ କାର୍ଯ୍ୟାଳୟରେ ଓଡିଶାର ରସଗୋଲା ନାଁରେ ଆବେଦନ ହୋଇଛି ତଥାପି ଏଥିପାଇଁ ଆବଶ୍ୟକ କାଗଜ ପତ୍ର ଦାଖଲ ହୋଇନଥିବାରୁ ଜିଆଇ ମାନ୍ୟତା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।