ଗୁରୁପ୍ରିୟା ସେତୁର ପୂରା ଇତିହାସ ! ୧୯୭୨ରୁ ୨୦୧୮, ଜାଣନ୍ତୁ କେମିତି ହୋଇଥିଲା ଗୁରୁପ୍ରିୟା ସେତୁର ନିର୍ମାଣ?

72

କନକ ବ୍ୟୁରୋ : ୧୯୭୨ରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ ହୋଇଥିଲା । ଅନ୍ୟକୁ ବିକାଶର ଆଲୋକ ଦେଖାଇବାକୁ ଯାଇ ଅନ୍ଧାରୀ ମୁଲକରେ ଠେଲି ହୋଇ ପଡିଥିଲେ ୧୫୧ଟି ଗାଁର ଲୋକେ । ଜଳବନ୍ଦୀ ହୋଇପଡିଥିଲେ ୩୫ ହଜାର ଲୋକେ । ନା ହେଲା ଥଇଥାନ, ନା ମିଳିଲା ସରକାରୀ ସୁବିଧା । କେବଳ ମିଳିଥିଲା ଦୁଇଟି ମୋଟର ଲଂଚ ଓ ସମୟ କ୍ରମେ କିଛି ମୋଟର ବୋଟ ।

ନିତିଦିନ ଦେଶୀ କିମ୍ବା ମୋଟର ଡଙ୍ଗାରେ ଅତି ବିପଦସଙ୍କୁଳ ଅବସ୍ଥାରେ ନଇପାରି ହୋଇ ଆସୁଥିଲେ ଚିତ୍ରକୋଣ୍ଡା । ଦୈନନ୍ଦିନ ସାମଗ୍ରୀ ଠାରୁ ସ୍ୱାସ୍ଥ୍ୟ ସେବା ଲାଗି ମୃତ୍ୟୁ ସହ ସଂଗ୍ରାମ କରିବାକୁ ପଡୁଥିଲା ଏମାନଙ୍କୁ । ଯୋଡାମ୍ବା, ଯନ୍ତ୍ରୀ, ଗୁରାସେତୁ, ପଣସପୁଟ, ଅଣ୍ଡ୍ରାପାଲି, ଗାଜଲମାମୁଡି ପଂଚାୟତର ଲୋକେ ଏହି ମୋଟର ଲଂଚ ଯୋଗେ ଦିନ ତମାମ ଯାତ୍ରା କରି ନିଜ ଗାଁ କୁ ପହଁଚୁଥିଲେ । ସେପଟେ ବଡପଡା, ପାପେରମେଟଲାର ଲୋକେ ନିର୍ଭର କରୁଥିଲେ ଦେଶୀ ଡଙ୍ଗା ଉପରେ । ତା ପରେ ପୁଣି ମାଇଲ ମାଇଲ ପାଦ ଚଲାରାସ୍ତା । ପିଲାଛୁଆ ଗର୍ଭବତୀଙ୍କ ଯନ୍ତ୍ରଣା ଯିଏ ଦେଖିଛି ସେ ଜାଣିଛି ବିଚ୍ଛିନ୍ନାଂଚଳ ବାସୀଙ୍କ ଦୁଖ ।

ପିଡିଏସ ଚାଉଳ ଠାରୁ ଆରମ୍ଭ କରି ସମସ୍ତ ସର୍ବନିମ୍ନ ସରକାରୀ ଯୋଜନା ବିଚ୍ଛିନ୍ନାଂଚଳ ବାସୀଙ୍କ ପାଇଁ ଥିଲା ସାତ ସପନ । ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଉନ୍ନୟନ କାମ ଚାଲୁଥାଏ କେବଳ କାଗଜ ପତ୍ରରେ । ପିଲା ଠାରୁ ବୁଢା ଯାଏଁ, ଅସୁସ୍ଥ ହେଲେ କେବଳ ଭଗବାନ ହିଁ ଭରସା ନଚେତ ଟୋକେଇରେ ବୁହାହୋଇ ଗୁରୁପ୍ରୀୟା ନଇକୁଳରୁ ପୁଣି ଦେଶୀ ଡଙ୍ଗା ପାରି ହୋଇ ଚିତ୍ରକୋଣ୍ଡା ଯିବାକୁ ପଡୁଥିଲା । ଆଉ ଦିନ କେଇଟାରେ ବିଚ୍ଛିନ୍ନାଂଚଳକୁ ଗଡିବ ୧୦୮ ଓ ୧୦୨ ଆମ୍ବୁଲାନ୍ସ । ପ୍ରତିଶୃତି ପରେ ପ୍ରତିଶୃତି, ଅନେକ ଥର ସେତୁର ଶିଳାନ୍ୟାସ ମଧ୍ୟ ଦେଖି ଥିଲେ ବିଚ୍ଛିନ୍ନାଂଚଳ ବାସିନ୍ଦା । ହେଲେ ସେତୁ କିନ୍ତୁ ନିର୍ମାଣ ହୋଇ ପାରୁନଥିଲା । ପ୍ରଥମେ ୧୯୮୨ରେ ଗୁରୁପ୍ରିୟା ନଇ ଉପରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଝୁଲା ପୋଲ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ଏଥିପାଇଁ ଶିଳାନ୍ୟାସ ମଧ୍ୟ କରି ଥିଲେ । ହେଲେ ଏହା ବାସ୍ତବତାର ରୂପ ନେଇନଥିଲା ।

୨୦୦୫ରେ ଗାମୋନ ଇଣ୍ଡିଆ କମ୍ପାନୀ ୪୭ କୋଟି ଟଙ୍କାରେ କାମ ନେଇଥିଲା । ହେଲେ ମାଓବାଦୀଙ୍କ ଧମକ ଓ ବିସ୍ଫୋରଣ ଯୋଗୁ କାମ ଅଧାରେ ଛାଡି ଦେଇଥିଲା କଂପାନୀ । ୧୯୮୨ ଠାରୁ ଆଜି ଯାଏଁ ୧୧ ଥର ଟେଣ୍ଡର ଆହ୍ୱାନ ହୋଇଥିବାବେଳେ ପୋଲର ବ୍ୟୟ ଅଟକଳ ୭ କୋଟିରୁ ବଢି ହୋଇଥିଲା ୧୭୨ କୋଟି । ୧୯୮୨ରୁ ଗୁରୁପ୍ରିୟା ସେତୁ ରାଜ୍ୟ ସରକାରଙ୍କ ଲାଗି ବିଫଳତା ତାଲିକାର ଅଂଶ ହୋଇଥିବା ବେଳେ ଏଥର କିନ୍ତୁ ସେତୁ ନିର୍ମାଣ ଲାଗି ସରକାରଙ୍କ ରଣନୀତି ଥିଲା କିଛିଟା ଭିନ୍ନ । ଯାନବାଇ ଘାଟର ଉଭୟ ପାଶ୍ୱର୍ରେ ୨ଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇ ପୋଲ ନିର୍ମାଣ କାମକୁ ସୁରକ୍ଷା ଯୋଗାଇବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ସରକାର । କାମ ଦାୟିତ୍ୱ ପାଇଥିଲା କୋଲକାତାର ରୋୟାଲ ଇନଫ୍ରା କାମ୍ପାନୀ ।

ଗୁରୁପ୍ରୀୟା ସେତୁକୁ ନେଇ ଅନେକ ଥର ସରକାର ଚେଷ୍ଟା କରି ଆସି ଥିଲେ ହେଁ ମାଓବାଦୀଙ୍କ ଉପଦ୍ରବ ଆଗରେ ମୁଣ୍ଡ ନୁଆଇ ଥିଲା ପୁରା ବ୍ୟବସ୍ଥା । ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ସମଗ୍ର ବିଚ୍ଛିନ୍ନାଂଚଳ ରେ ଭୟର ବାତାବରଣ ସୃଷ୍ଟି କରି ରଖି ଥିଲେ ମାଓବାଦୀ । କାରଣ ନିଜ ଗଡ ରେ ସରକାରୀ ବ୍ୟବସ୍ଥା ର ଅନୁପ୍ରବେଶ ଚାହୁଁ ନାହାନ୍ତି ମାଓବାଦୀ । ଏପରି କି ଜିଲ୍ଲାପାଳଙ୍କ ଅପହରଣ ପରେ ଆଉ ବୁଡି ଅଂଚଳରେ ପାଦ ପକାଇଲେ ନାହିଁ କୌଣସି ସରକାରୀ ବାବୁ । ତେଣୁ ଭିନିଲ କ୍ରୀଷ୍ଣାଙ୍କ ଅପହରଣ ଘଟଣା ପରେ ପୋଲ ନିର୍ମାଣ କାମ ରାଜ୍ୟ ସରକାରଙ୍କ ପାଇଁ ଏକ ନୁଆ ଚ୍ୟାଲେଂଜ ହୋଇ ଛିଡା ହୋଇ ଥିଲା । ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଂ ପ୍ରସ୍ତୁତ ହୋଇଥିବାବେଳେ ରଣନୀତି ମୁତାବକ ସେତୁ ନିର୍ମାଣ କାମ ଆରମ୍ଭ ପୁର୍ବରୁ ହିଁ ଗୁରୁପ୍ରୀୟା ଓ ଯାନବାଇ ଅଂଚଳକୁ ନିଜ କବଜାକୁ ନେଇଥିଲେ ବିଏସଏଫ ଯବାନ ।

୨୦୧୪ ସେପ୍ଟେମ୍ବ ମାସରେ କାମ ଆରମ୍ଭ କରିଥିଲା କୋଲକାତାର ରୋୟାଲ ଇନଫ୍ରା କନଷ୍ଟ୍ରକସନ୍ ନାମକ ଏକ ଘରୋଇ କମ୍ପାନୀ ।
– ୯୧୦ ମିଟର ଲମ୍ବ ସେତୁ ପାଇଁ ଗଭୀର ପାଣିରେ ୧୦୨ଟି ପାଇଲ ଉପରେ ୨୩ଟି ପିଲାର ନିର୍ମାଣ ଲାଗି ସ୍ଥିର ହୋଇଥିଲା
– ଏଥିରେ ୬୬ଟି କଂକ୍ରିଟ ଗାଡାର ଓ ୨୨ଟି କଂକ୍ରିଟ ସ୍ଲାବ ନିର୍ମାଣ ଲାଗି ଡିଜାଇନ ପ୍ରସ୍ତୁତ କରିଥିଲା ରୋୟାଲ କମ୍ପାନି
– ଏଥିପାଇଁ ବ୍ୟୟ ବରାଦ ହୋଇଥିଲା ୧୭୨ କୋଟି ୫୮ଲକ୍ଷ ଟଙ୍କା

ସେତୁ ନିର୍ମାଣ କାମ ୩ ବର୍ଷ ମଧ୍ୟରେ ଶେଷ କରିବା ଲାଗି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲା କମ୍ପାନି । ହେଲେ ସେତୁ ଆରମ୍ଭରୁ ବହୁ ପ୍ରତିବନ୍ଧକର ସମନା କରିବାକୁ ପଡିଥିଲା । ଏମିତିକି ଅନେକ ସୁରକ୍ଷା କର୍ମୀଙ୍କୁ ଏଥିପାଇଁ ଜୀବନ ହରାଇବାକୁ ମଧ୍ୟ ପଡିଥିଲା ।
– ୨୦୧୨ରେ ଯାବନବାଇରେ ଏକ ବିଏସଏଫ କ୍ୟାମ୍ପ ସ୍ଥାପନ ଲାଗି ପରିକକଳ୍ପନା କରାଯାଇ ଥିଲା
– ହେଲେ କ୍ୟାମ୍ପ ଅନୁଧ୍ୟାନ କରି ଫେରବା ସମୟରେ ବିଏସଏଫ କମାଣ୍ଡଙ୍କ ସମେତ ୪ଜଣ ଅଧିକାରୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଲେ
– କାମ ଆରମ୍ଭ ହବା ପରେ ୨୦୧୫ ଅଗଷ୍ଟ ମାସରେ ପାଲଙ୍ଗରାଏରେ ମାଓବାଦୀଙ୍କ ଆକ୍ରମଣରେ ୩ ବିଏସଏଫ ଯବାନ ପ୍ରାଣ ହରାଇଥିଲେ
– ୨୦୧୬ ଏପ୍ରିଲ ୩ରେ ଗୁରୁପ୍ରୀୟା ନଦୀର ଗଭୀର ସ୍ରୋତ ଭିତରେ ନିର୍ମାଣ ହୋଉଥିବା ୩ଟି ପାଇଲ ଢଳି ପଡିଥିଲା
– ନିମ୍ନମାନର କାମ ହୋଉଥିବା ନେଇ ଚର୍ଚ୍ଚା ଯୋର ଧରିବାରୁ ଡିଜାଇନରେ ଅଣା ଯାଇଥିଲା ଅନେକ ପରିବର୍ତନ
– ୧୦୨ଟି ସ୍ଥାନରେ ପାଇଲ ସଂଖ୍ୟା ବଢାଇ ୧୩୮ କରି ଦିଆଗଲା, ତଥାପି ଥମି ନଥିଲା ଗୁରୁପ୍ରୀୟା ସଂକଟ
– ୨୦୧୭ ଜୁଲାଇ ୨୫ରେ ପବନ ବେଗରେ ୧୦ ଓ ୧୧ ନମ୍ବର ସ୍ପାନ ମଧ୍ୟରେ ଥିବା ୩ଟି କଂକ୍ରିଟ ଗାଡାର ଢଳି ପଡିଥିଲା
– ପୁଣି ଡିଜାଇନରେ ପରିବର୍ତନ କରାଯାଇ ୬୬ଟି କଂକ୍ରିଟ ଗାଡାର ମଧ୍ୟରେ ୧୮ଟି ଷ୍ଟିଲ ଗାଡାର ସ୍ଥାପନ କରାଗଲା ।
– ତଥାପି ଗୁରୁପ୍ରୀୟାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠିଲା କାରଣ ଏବେ ବି କିଛି ପାଇଲ ବଙ୍କା ଥିବା ଦେଖିବାକୁ ମିଳୁଛି
କିନ୍ତୁ ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଏବେ ଗୁରୁପ୍ରୀୟା ନଦୀ ଉପରେ ଦମ୍ଭଧରି ଛିଡା ହୋଇଛି ବୁଡିଅଂଚଳ ବାସୀଙ୍କ ଆଶା ଆକାଂକ୍ଷାର ପୋଲ ।