ଆସନ୍ତାକାଲି ବନ୍ଧୁତା ଦିବସ । ‘ଫ୍ରେଣ୍ଡସିପ୍ ଡେ’: ଇତିହାସରୁ ବର୍ତ୍ତମାନ, ଜାଣନ୍ତୁ ଏହି ଦିବସ ପାଳନର ବିଶେଷତ୍ତ୍ୱ ।

819

କନକ ବ୍ୟୁରୋ : ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ଼’ ରୂପରେ ପାଳନ କରାଯାଏ । ଏହି ଦିନକୁ ସାଙ୍ଗମାନେ ପରସ୍ପରକୁ ଚକଲେଟ, ଗ୍ରିଟିଙ୍ଗସ କାର୍ଡ଼ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି । ଏହି ଦିନରେ ନିଜର ବନ୍ଧୁତ୍ୱ ଜଣାଇବା ପାଇଁ ଜଣେ ଜଣକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ତେବେ ଏବର୍ଷ ଅଗଷ୍ଟ ୪ ତାରିଖ ଅର୍ଥାତ ଆସନ୍ତାକାଲି ପାଳନ ହେବ ବନ୍ଧୁତ୍ୱ ଦିବସ । ଆସନ୍ତୁ ଜାଣିବା ‘ଫ୍ରେଣ୍ଡସିପ ଡେ’ର ଇତିହାସ ।

‘ଫ୍ରେଣ୍ଡସିପ ଡେ’ର ଇତିହାସ :

ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହେଉଥିବା ଫ୍ରେଣ୍ଡସିପ ଡ଼େ’ ଭାରତରେ କିଛି ବର୍ଷ ମଧ୍ୟରେ ହିଁ ବହୁତ ଲୋକପ୍ରିୟ ହୋଇଯାଇଛି । ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳନ ହେଉଛି ଫ୍ରେଣ୍ଡସିପ ଡ଼େ । ଛୋଟ ଠାରୁ ବଡ଼ ଯାଏଁ ସମସ୍ତେ ବନ୍ଧୁତା ଦିବସକୁ ପାଳନ କରୁଛନ୍ତି । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ଦେଶ ପାରାଗୁୱେରେ ବହୁତ ଜୋରସୋରରେ ଏହି ଦିବସ ପାଳନ ହେଉଥିଲା । ଏଠାରେ ୧୯୫୮ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ପରେ ଏହି ଦିନରେ ବନ୍ଧୁମାନଙ୍କୁ ଗ୍ରିଟିଙ୍ଗସ କାର୍ଡ଼ ଦେବାର ପ୍ରଥା ଆରମ୍ଭ ହେଲା ।

ଆନ୍ତର୍ଜାତିକ ବନ୍ଧୁତା ଦିବସ :

ଭାରତ ସହ ଅନେକ ଦକ୍ଷିଣ ଏସିଆର ଦେଶରେ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ରୂପରେ ପାଳନ କରାଯାଉଛି । କିନ୍ତୁ କିଛି ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ । ଓହାୟୋର ଅର୍ବଲିନରେ ୮ ଅପ୍ରେଲରେ ବନ୍ଧୁତା ଦିବସ ପାଳନ ହୁଏ । ଏହା ବ୍ୟତୀତ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ବନ୍ଧୁତା ଦିବସର ତାରିଖ ଅଲଗା । ସୂଚନାଯୋଗ୍ୟ ୨୭ ଅପ୍ରେଲ ୨୦୧୧ରେ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ୩୦ ଜୁଲାଇକୁ ଆନ୍ତର୍ଜାତିକ ବନ୍ଧୁତା ଦିବସ ଘୋଷିତ କରାଗଲା ।

friendship dayବନ୍ଧୁତା ଦିବସରେ ବନ୍ଧୁଙ୍କୁ କ’ଣ ଉପହାର ଦେବେ :

ଆପଣ ନିଜ ବନ୍ଧୁର ରୁଚି ତଥା ପସନ୍ଦକୁ ଭଲ ଭାବରେ ଜାଣିଥିବେ ନିଶ୍ଚୟ । ତେଣୁ ବନ୍ଧୁର ପସନ୍ଦକୁ ଦୃଷ୍ଟିରେ ରଖି ଆପଣ କିଛି ବି ଉପହାର ଦେଇପାରିବେ । ଆଉ ଗୋଟିଏ କଥା ଧ୍ୟାନରେ ରଖନ୍ତୁ, ଏହି ଦିନ ଯଦି କେହି ଆପଣଙ୍କୁ ଉପହାର ସ୍ୱରୂପ କିଛି ଦେଉଛନ୍ତି ତେବେ ମନା ନକରି ଆନନ୍ଦ ସହକାରେ ଗ୍ରହଣ କରନ୍ତୁ । ଏହି ଦିନ ଆପଣ ବନ୍ଧୁଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ, ଚକୋଲେଟ୍, ଗ୍ରିଟିଙ୍ଗସ କାର୍ଡ଼, ରିଙ୍ଗ୍, ଟେଡ଼ି ଉପହାର ଦେଇ ପାରିବେ । ଯଦି ଆପଣଙ୍କ ବନ୍ଧୁଙ୍କୁ ଖାଇବା ପସନ୍ଦ ତେବେ ନିଜ ହାତରେ କିଛି ନୂଆ ପ୍ରକାର ବ୍ୟଞ୍ଜନ ତିଆରି କରି ବନ୍ଧୁଙ୍କୁ ଖୁଆନ୍ତୁ । ଏହା ବ୍ୟତୀତ ବଜାରରେ ମିଳୁଥିବା କାର୍ଡ଼ ଅପେକ୍ଷା ନିଜେ କାର୍ଡ଼ ତିଆରି କରି ମଧ୍ୟ ଉପହାର ଦେଇପାରିବେ ।