ହୋଲି, ଦୀପାବଳି, ରକ୍ଷାବନ୍ଧନ ଆଦି ଭାରତୀୟ ପର୍ବପର୍ବାଣି ସବୁର ବିଶ୍ୱରେ ରହିଛି ଏକ ଭିନ୍ନ ପରିଚିତି । ଲୋକେ ବଡ଼ ହର୍ଷ ଉଲ୍ଲାସର ପାଳନ କରୁଥିବା ଏହି ପର୍ବପର୍ବାଣି ଗୁଡ଼ିକର ରହିଛି ପୃଥକ୍‌ ପୃଥକ୍‌ କିମ୍ବଦନ୍ତୀ । ଅଧିକଂଶ କିମ୍ବଦନ୍ତୀ ଛଳରେ କୁହାଯାଇଛି କିଛି ନା କିଛି ମହତ ଉପଲବଧି । ଏଥର ଦୀପାବଳି ଅବସରରେ ପଢ଼ନ୍ତୁ କେତୋଟି କାହାଣୀ ସମ୍ବନ୍ଧରେ ।

ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ –
ଶ୍ରୀରାମଚନ୍ଦ୍ର ବନବାସ ଶେଷ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବା ଆନନ୍ଦରେ ଦୀପାବଳି ପାଳନ କରାଯାଏ ବୋଲି ଊଣା ଅଧିକେ ସମସ୍ତ ଭାରତୀୟଙ୍କୁ ଜଣା । ମନ୍ଥରାର କୁପରାମର୍ଶରେ ପ୍ରଭାବିତ ହୋଇ ଭରତଙ୍କ ମାଆ କୈକେଇ ରାମଚନ୍ଦ୍ରଙ୍କୁ ବନବାସ ପଠାଇବାକୁ ରାଜା ଦଶରଥଙ୍କୁ ସତ୍ୟ କରାଇ ଥିଲେ । ପିତୃ ସତ୍ୟ ପାଳି ରାମଚନ୍ଦ୍ର ପତ୍ନୀ ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ସହ ୧୪ ବର୍ଷ ବନବାସ କାଟିବାକୁ ବାହାରି ଯାଇଥିଲେ। ବନବାସ କାଳରେ ରାବଣ କପଟରେ ସୀତାଙ୍କୁ ଅପହରଣ କରି ନେଇଥିଲେ । ଶ୍ରୀରାମ ସୁଗ୍ରୀବଙ୍କ ବାନର ସେନା ଏବଂ ହନୁମାନଙ୍କ ସହ ମିଶି ରାବଣଙ୍କୁ ବଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ । ସେ ଦିନକୁ ଦଶହରା ରୂପେ ପାଳନ କରାଯାଏ । ଲଙ୍କାରୁ ଶ୍ରୀରାମ ଅଯୋଧ୍ୟା ବାହୁଡ଼ିବା ରାତିରେ ଲୋକେ ଆନନ୍ଦରେ ଦୀପାଳି ପ୍ରଜ୍ଜ୍ୱଳନ କଲେ । ସେବେଠାରୁ ସେ ଦିନକୁ ଦୀପାବଳି ଭାବେ ପାଳନ କରାଯାଉଛି ।

ପଞ୍ଚୁ ପାଣ୍ଡବଙ୍କ ଇନ୍ଦ୍ରପ୍ରସ୍ଥ ପ୍ରତ୍ୟାବର୍ତ୍ତନ –
ଶକୁନି ମାମୁଙ୍କ ସହାୟତାରେ ପଶା ଖେଳି କୌରବମାନେ ପାଣ୍ଡବମାନଙ୍କୁ ସର୍ବଶାନ୍ତ୍ୱ କରି ପକାଇଥିଲେ। ସେମାନେ ଆପଣା ରାଜ୍ୟ ଛାଡ଼ି ୧୩ ବର୍ଷ ସକାଶ ବନବାସ କରିଥିଲେ । ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଏବଂ ସହଦେବ ଆଦି ପଞ୍ଚୁ ପାଣ୍ଡବ ୧୩ ବର୍ଷ ବନବାସ ଉପରାନ୍ତେ କାର୍ତ୍ତିକ ଅମାବାସ୍ୟା ଦିନ ନିଜ ରାଜ୍ୟକୁ ଫେରି ଥିଲେ । ସେମାନଙ୍କ ବାହୁଡ଼ା ଅବସରରେ ତାଙ୍କ ରାଜ୍ୟର ଲୋକେ ଦୀପାଳି ଜାଳି ଆନନ୍ଦିତ ହୋଇଥିଲେ । ଏହା ମଧ୍ୟ ଦୀପାବଳି ପାଳନର ଅନ୍ୟତମ କାରଣ ।

ରାଜା ବିକ୍ରମାଦିତ୍ୟଙ୍କ ଅଭିଷେକ –
ଉଦାରତା, ସାହସ ଏବଂ ଜଣେ ବିଦ୍ୱାନ୍‌ କାରଣରୁ ପ୍ରାଚୀନ ଭାରତର ଜଣେ ମହାନ୍‌ ସମ୍ରାଟ୍‌ ଭାବେ ରାଜା ବିକ୍ରମାଦିତ୍ୟ ସର୍ବଜନ ବିଦିତ । କାର୍ତ୍ତିକ ଅମାବାସ୍ୟା ଦିନ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ତାଙ୍କୁ ସ୍ମରଣ କରିବାକୁ ଲୋକେ ଦୀପାବଳି ପାଳନ କରି ଥାଆନ୍ତି ବୋଲି କଥିତ ଅଛି ।

ଲକ୍ଷ୍ମୀ ଦେବୀଙ୍କ ଆବିର୍ଭାବ –
ଧନଧାନ୍ୟ ଏବଂ ସମୃଦ୍ଧିର ଦେବୀ ରୂପେ ବିଖ୍ୟାତ ମାତା ଲକ୍ଷ୍ମୀ କାର୍ତ୍ତିକ ଅମାବାସ୍ୟା ଦିନ ସମୁଦ୍ର ମନ୍ଥନରୁ ପ୍ରକଟ ହୋଇଥିଲେ । ସେହି କାରଣରୁ ପ୍ରତ୍ୟେକ ଘରେ ଦୀପାଳି ଜଳାଯିବା ସହ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ ଏବଂ ଦୀପାବଳିକୁ ହିନ୍ଦୀ ପଞ୍ଜିକାର ପ୍ରଥମ ଦିନ ଭାବେ ବିବେଚନା କରାଯାଏ ।

ଶିଖ୍‌ ଗୁରୁଙ୍କ ମୁକ୍ତି –
ମୋଗଲ ସମ୍ରାଟ୍‌ ଜହାଙ୍ଗୀରଙ୍କ କାରାଗାରରେ ବନ୍ଦୀ ଥିବା ଶିଖ୍‌ମାନଙ୍କର ୬ଷ୍ଠ ଗୁରୁ ଶ୍ରୀ ହରଗୋବିନ୍ଦ ସିଂହ କାର୍ତ୍ତିକ ଅମାବାସ୍ୟା ଦିନ ମୁକ୍ତ ହୋଇଥିଲେ । ତାଙ୍କର ମୁକ୍ତିର ଆନନ୍ଦରେ ଶିଖ୍‌ ସମ୍ପ୍ରଦାୟ ଲୋକେ ଦୀପାବଳି ପର୍ବ ପାଳନ କରି ଥାଆନ୍ତି ।

ନରକାସୁର ସଂହାର –
କାର୍ତ୍ତିକ ଅମାବାସ୍ୟା ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁର ନାମକ ଗୋଟାଏ ରାକ୍ଷସକୁ ବଧ କରିଥିଲେ । ସେ କାଳରେ ନରକାରସୁର ଥିଲା ପ୍ରାଗଜ୍ୟୋତିଷପୁର (ଆଜିର ଦକ୍ଷିଣ ନେପାଳ ଏକ ଅଂଶ)ର ରାଜା । କ୍ରୁର ନରକାସୁର ଦେବମାତା ଅଦିତିଙ୍କ ସୁଶ୍ରୀ କନ୍ୟାମାନଙ୍କୁ ହରଣ କରିଥିଲା । ଅଦିତି ଥିଲେ ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମାଙ୍କର ସମ୍ପର୍କୀୟା । ନରକାସୁର ସମୁଦାୟ ଷୋହଳ ଦେବତାଙ୍କର କନ୍ୟାଙ୍କୁ ବନ୍ଦିନୀ କରି ରଖିଥିଲା  । ଶ୍ରୀକୃଷ୍ଣଙ୍କ ସହାୟତାରେ ସତ୍ୟଭାମା ନକରାସୁରକୁ ବଧ କରି ଦେବକନ୍ୟାମାନଙ୍କୁ ଉଦ୍ଧାର କରିଥିଲେ । ଏହା ମଧ୍ୟ ଦୀପାବଳି ପାଳନର ଅନ୍ୟତମ ପ୍ରମୁଖ କାରଣ ।