ବିଚାରପତିଙ୍କ ବିଚାର ବଦଳାଇଦେବ କି ଦୁଇ ବାଳ ଅପରାଧୀଙ୍କ ଜୀବନ ! ୧୫ ଦିନରେ ୨ଟି ଦୃଷ୍ଟାନ୍ତମୂଳକ ରାୟକୁ ନେଇ ଚର୍ଚ୍ଚା

74

କନକ ବ୍ୟୁରୋ : ଧୀରେ ଧୀରେ ରାଜ୍ୟରେ ବାଳ ଅପରାଧୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ଅପରାଧ ସହ ଏବେ ବାଳ ଅପରାଧୀ ଜଡିତ ରହୁଛନ୍ତି । ତେବେ ଏହି ବାଳ ଅପରାଧୀଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟର ଏକ ବିଚାରପତି ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛନ୍ତି । । ଅପରାଧ ପାଇଁ ଦେଇଛନ୍ତି ସେବା ଦଣ୍ଡ । ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେମାନଙ୍କୁ ଜଡିତ କରାଇ ସେମାନଙ୍କ ଚିନ୍ତାଧାରାକୁ ପରିବର୍ତନ କରାଇବାକୁ ଏବେ ଲାଗିପଡିଛନ୍ତି ବିଚାରପତି ଅଭିଜିତ ପଲେଇ । ଗତ ୧୫ ଦିନ ମଧ୍ୟରେ ବିଚାରପତି ଦୃଷ୍ଟାନ୍ତମୁଳକ ରାୟ ଶୁଣାଇଥିବାରୁ ଏହାକୁ ନେଇ ଏବେ ଚର୍ଚା ଜୋରଧରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଫୁଲବାଣୀରେ ।

ସେପଟେମ୍ବର ୧ । ଫୁଲବାଣୀ ଜୁଭେନାଇଲ ଜଷ୍ଟିସ ବୋର୍ଡର ବିଚାରପତି ଅସଦାଚରଣ ମାମଲାରେ ବ୍ରହ୍ମପୁର ବାଳ କାରାଗାରରେ ବିଚାରଧୀନ ଭାବେ ଥିବା ଏକ ନାବାଳକକୁ ବିଚାରପତି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଥିଲେ । କୋର୍ଟଙ୍କ ରାୟ ମୁତାବକ ଏହି ବାଳ ଅପରାଧୀକୁ ନିଜ ଭୁଲ ସୁଧାରିବାକୁ ଏକବର୍ଷ ପର୍ଯ୍ୟନ୍ତ ଫୁଲବାଣୀସ୍ଥିତ ଗୋପବନ୍ଧୁ ବାଳାଶ୍ରମରେ ରହି ଅନ୍ତେବାସୀଙ୍କର ସେବା କରିବାକୁ ନିର୍ଦେଶ ଦେଇଥିଲେ । ଆଉ ରାୟ ମିଳିବା ପରେ ଏହି ବାଳଅପରାଧୀ ଜଣକ ସେବାଶ୍ରମରେ ଅନ୍ତେବାସୀଙ୍କର ସେବା କରିବାରେ ଲାଗି ପଡିଛି ।

ନାବାଳକ ଜଣକ ବାଳାଶ୍ରମରେ ଥିବା ଛୋଟଛୋଟ ପିିଲାଙ୍କୁ ଖାଇବା ପରଷୁଛନ୍ତି ।ଖାଇବା ପରଷିବାପରେ ଅନ୍ତେବାସୀଙ୍କ ରୁମ ଝାଡୁ କରିବା ସହ ସେମାନଙ୍କ ଶୋଇବା ପାଇଁ ବିଛଣା ପ୍ରସ୍ତୁତ କରିଦେଉଛନ୍ତି । ୧୦ ଶ୍ରେଣୀରେ ପାଠ ପଢୁଥିବା ନାବାଳକ ଜଣଙ୍କୁ ଚରିତ୍ର ସୁଧାରିବାକୁ କୋର୍ଟ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି । ଏହା ଛଡା ବାଳାଶ୍ରମର ସୁପରିଟେନଣ୍ଟଙ୍କ କହିବା ଅନୁଯାୟୀ, , କୋର୍ଟ ରାୟ ଅନୁଯାୟୀ ଏହି ନାବାଳକକୁ ଏଭଳି ସଜା ଦିଆ ଯାଇଛି ତା ଛଡା ପିଲାଟିର କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଇ ପ୍ରତିମାସରେ ଏକ ରିର୍ପୋଟ କୋର୍ଟକୁ ପଠାଯିବ ।

ସେହିଭଳି ବିଚାରପତି ଅନ୍ୟ ଏକ ନାବାଳକଙ୍କ ବିରୋଧରେ ମଧ୍ୟ ଠିକ୍ ସେହିଭଳି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଦ୍ୱିତୀୟ ଦୃଷ୍ଟାନ୍ତମୂଳକ ରାୟ ଅନୁଯାୟୀ, ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଆଶୁ ଚିକିତ୍ସା ବିଭାଗରେ ଆଟେଣ୍ଡାଂଟ ଭାବେ କାମ କରିବେ ଅନ୍ୟ ଜଣେ ନାବାଳକ । ୧୭ବର୍ଷର ଏହି ନାବାଳକ ରୋଗୀଙ୍କ ଅବସ୍ଥା ବାବଦରେ ପଚାରିବୁଝିବା ସହ ଡାକ୍ତରଖାନା କର୍ମଚାରୀଙ୍କୁ ସାହାଯ୍ୟ କରିବେ । ଏଥିସହ ଦୁଇ ନାବାଳକ କିଭଳି ପାଠ ପଢି ନିଜ ଗୋଡରେ ଛିଡା ହୋଇପାରିବେ ସେ ନେଇ ବ୍ୟବସ୍ଥା କରିବାକୁ କୋର୍ଟ ଦେଇଛନ୍ତି ନିର୍ଦେଶ ।

ଅପରାଧ କରିବା ପରେ ମଧ୍ୟ ଚରିତ୍ର ସୁଧାରିବାକୁ ଆଉ ଏକ ସୁଯୋଗ ଦେଇଛନ୍ତି ବିଚାରପତି । ପୁଣି ଥରେ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ସହ ନିଜ ଭୁଲକୁ ନେଇ ସେମାନେ ବେଶ ଅନୁତପ୍ତ । ତେବେ ବିଚାରପତିଙ୍କ ଏଭଳି ରାୟକୁ ନେଇ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।