ଅଯୋଧ୍ୟା ରାୟ: କାହାର ହୋଇନି ଜୟ କି ପରାଜୟ । ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ଫୈସଲା, ମନ୍ଦିର ହେବ ଆଉ ମସଜିଦ୍ ବି ହେବ ।

1,108

କନକ ବ୍ୟୁରୋ: ଦୀର୍ଘ ବର୍ଷର ବିବାଦର ବାଟ ଫିଟିଲା । ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ଆସିଛି ଅଯୋଧ୍ୟା ରାୟ । ଆଉ ଏହି ଐତିହାସିକ ରାୟ ପରେ ସାରାଦେଶରେ ଖୁସିର ଲହରି ଖେଳିଯାଇଛି । ଅଯୋଧ୍ୟାରେ ରାମଲଲ୍ଲାଙ୍କ ପାଇଁ ଚାଲିଛି ଉତ୍ସବ ।

ସୁପ୍ରିମକୋର୍ଟଙ୍କ ଏହି ସୁପ୍ରିମ ଫୈସଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କ ଦଲିଲକୁ ବିଚାର କରାଯାଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ । ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ କି, ବାବରଙ୍କ ସମୟରେ ମସଜିଦ୍ ନିର୍ମାଣ କରାଯାଇଥିଲା ହେଲେ , ଖାଲିଥିବା ସ୍ଥାନରେ ମସଜିଦ୍ ଥିବା ନେଇ କୌଣସି ତଥ୍ୟ ପ୍ରମାଣ ନାହିଁ । ଦ୍ୱାଦଶ ଓ ଷୋଡଶ ଶତାବ୍ଦୀରେ ଏଠାରେ କ’ଣ ଥିଲା ତାହାର ପ୍ରମାଣ ନାହିଁ , ହିନ୍ଦୁମାନଙ୍କର ବିଶ୍ୱାସ ଯେ ସେହିଠାରେ ରାମଙ୍କର ଜନ୍ମ ହୋଇଥିଲା

ସେହିପରି ସୁନ୍ନୀ ବୋର୍ଡ ବିରୋଧରେ ସିହା ୱାକଫ୍ ବୋର୍ଡର ଆବେଦନ ଖାରଜ କରାଯାଇଛି । ଏପରିକି ନିର୍ମୋହୀ ଆଖଡ଼ା ଉପରେ ସେବାୟତଙ୍କ ଅଧିକାର ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଆଉ ରାଜସ୍ୱ ବିଭାଗ ରେକର୍ଡରେ ବିବାଦୀୟ ଜମି ଉପରେ ସରକାରଙ୍କ ସ୍ୱତାଧିକାର ରହିଛି । ଅଯୋଧ୍ୟାରେ ରାମଙ୍କ ଜନ୍ମଭୂମିକୁ ନେଇ ବିବାଦ ନାହିଁ , ବିବାଦୀୟ ଜମି ଉପରେ ଅଧିକାର ସାବ୍ୟସ୍ତ କରିବା ନେଇ ବିଫଳ ହୋଇଛନ୍ତି ମୁସଲିମ୍ ପକ୍ଷ ।

ଅନ୍ୟପଟେ ଅଯୋଧ୍ୟାରେ ରାମଙ୍କ ଜନ୍ମକୁ ନେଇ କେହି ବିରୋଧ କରି ନଥିବାବେଳେ ଐତିହାସିକ ରାୟ ଶୁଣାଇ ମୁସଲମାନ ପକ୍ଷଙ୍କୁ ବିକଳ୍ପ ସ୍ଥାନ ଯୋଗାଇ ଦେବାକୁ ସୁପ୍ରିମ୍ ଫୈସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁନ୍ନୀ ୱାକଫ୍ ବୋର୍ଡକୁ ବିକଳ୍ପ ୫ ଏକର ଜମି ଅଯୋଧ୍ୟାରେ ଦିଆଯିବ । ସୁପ୍ରିମକୋର୍ଟ ସାମ୍ବିଧାନ ଖଣ୍ଡପୀଠର ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅଯୋଧ୍ୟା ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ତିଆରି ପାଇଁ ଗଠନ ଏକ ଟ୍ରଷ୍ଟ ଗଠନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ଭିତରେ ଏକ ବୋର୍ଡ ତିଆରି କରିବେ କେନ୍ଦ୍ର ସରକାର । ଆଉ ଏହି ଟ୍ରଷ୍ଟ ବୋର୍ଡରେ ନିର୍ମୋହୀ ଆଖଡ଼ା ପକ୍ଷର ପ୍ରତିନିଧିମାନେ ରହିବେ ଏବଂ ଟ୍ରଷ୍ଟ ବୋର୍ଡକୁ ବିବାଦୀୟ ଜମି ହସ୍ତାନ୍ତର କରିବେ କେନ୍ଦ୍ର ସରକାର ।