ଭାରତୀୟ କ୍ରୀଡା ପାଇଁ ଐତିହାସିକ ଦିନ । ଇଂଲଣ୍ଡକୁ ମାତ ଦେଇ ସିରିଜକୁ କମବ୍ୟାକ କଲା ବିରାଟ ବାହିନୀ, ହକିରେ ୨୬ଟି ଗୋଲ ଦେଇ ରେକର୍ଡ ଭାଙ୍ଗିଲା ଭାରତ, ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଆଣିଲେ ସୁନା ଝିଅ

40

କନକ ବ୍ୟୁରୋ : ଭାରତୀୟ କ୍ରୀଡ଼ା ପାଇଁ ଆଜି ଦିନଟି ବେଶ ଶୁଭଙ୍କର । ଇଂଲଣ୍ଡରେ ଭାରତ ତୃତୀୟ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିବା ବେଳେ ଭାରତୀୟ ହକି ଦଳ ୮୬ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆଉ ଇଣ୍ଡୋନେସିଆରେ ଚାଲିଥିବା ଏସିଆଡ୍ ଖେଳରେ ଭାରତୀୟ ଆଥଲେଟ୍ ଆଣିଛନ୍ତି ଆଉ ଗୋଟିଏ ସ୍ୱର୍ଣ୍ଣପଦକ । ଆଉ ଏସବୁ ଭିତରେ ଭାରତୀୟ ଅଧିନାୟକ ବିରାଟ କୋହଲି ରଖିଥିବା ବୟାନ୍ ଏକ ବଡ ବାର୍ତା ରଖୁଛନ୍ତି । ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ବିଜୟ ହେବା ପରେ ବିରାଟ୍ କହିଛନ୍ତି- କ୍ରମାଗତ ଦୁଇଟି ପରାଜୟ ପରେ ସମର୍ଥକମାନେ ଦଳ ଉପରେ ବିଶ୍ୱାସ ତୁଟାଇ ଦେଇଥିଲେ । କିନ୍ତୁ ଦଳ ନିଜ ଦକ୍ଷତା ଉପରେ ଭରସା ବଜାୟ ରଖିଥିଲା ।

ଆଉ ଏହି ଭରସା ଦଳକୁ ୨-୦ ସ୍ଥିତିରେ ଥିବା ସିରିଜକୁ ୧-୨କୁ ନେଇ ଆସିଛି । ଖେଳାଳିମାନେ ନିଜ ଉପରେ ବିଶ୍ୱାସ ରଖିଥିବାରୁ ଏହା ସମ୍ଭବ ହେଲା ବୋଲି କହିଛନ୍ତି ବିରାଟ୍ କୋହଲି । ଡ୍ରେସିଂ ରୁମ୍ ବାହାରେ କ’ଣ ଚାଲିଛି, ଲୋକ କେମିତି ପରାଜୟକୁ ଗ୍ରହଣ କରୁଛନ୍ତି ଏଥିରେ ବିବ୍ରତ ନହୋଇ ଦଳ ଡ୍ରେସିଂ ରୁମରେ ହେଉଥିବା ନିଷ୍ପତି ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଯାହାର ଫଳ ସ୍ୱରୁପ- ଘରୋଇ ମାଟିରେ ଇଂଲଣ୍ଡକୁ ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିବାରେ ସଫଳ ହେବ ବୋଲି ଭାରତୀୟ ଅଧିନାୟକ କହିଛନ୍ତି । ଦଳ ବିଶ୍ୱାସ ରଖିଛି ସିରିଜ୍ ବିଜୟୀ ହେବ । ଆଉ ସେହି ଲକ୍ଷ୍ୟରେ ଦଳ ମୈଦାନକୁ ଓହ୍ଲାଇବ ବୋଲି କହିଛନ୍ତି କ୍ୟାପଟେନ କୋହଲି ।

ନଟିଂହାମ୍ ଟେଷ୍ଟରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୨୦୩ ରନ୍ରେ ହରାଇ ସିରିଜକୁ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇ ଇଂଲଣ୍ଡ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ଯଶପ୍ରୀତ ବୁମରାହ । ପ୍ରଥମ ଇନିଂସରେ ୨ ୱିକେଟ୍ ନେଇଥିବା ବୁମରାହ ନଟିଂହାମ୍ ଟେଷ୍ଟରେ ମୋଟ ୭ ୱିକେଟ୍ ଦଖଲ କରିଛନ୍ତି । ନଟିଂହାମ୍ ଟ୍ରେଂଟବ୍ରିଜରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲଡିଂ କରିଥିଲା । ତେବେ ପ୍ରଥମେ ଦମଦାର ବ୍ୟାଟିଂ କରି ଇଂଲଣ୍ଡର ଆକଳନକୁ ଭୁଲ ପ୍ରମାଣିତ କରିଥିଲା ଭାରତ ।

ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ କରି ଆଲଆଉଟ୍ ହୋଇଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୬୧ ରନ୍ରେ ଆଲଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ୭ ୱିକେଟରେ ୩୫୨ ରନ୍ କରି ପାଳି ଘୋଷଣା କରିଥିଲା । ୫୨୧ ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୩୧୭ ରନରେ ଅଲଆଉଟ୍ ହୋଇଥିଲା । ଗତକାଲି ୯ ୱିକେଟ୍ ହରାଇଥିବା ଘରୋଇ ଦଳ ଆଜି ଗୋଟିଏ ୱିକେଟ୍ ହରାଇ ତୃତୀୟ ଟେଷ୍ଟରେ ପରାଜୟ ବରଣ କରିଛି । ଲଗାତର ଦୁଇଟି ଟେଷ୍ଟ ହାରିବା ପରେ ତୃତୀୟ ଟେଷ୍ଟ ଜିତି ସମାଲୋଚକଙ୍କ ମୁହଁ ବନ୍ଦ କରିଛି ବିରାଟ ବାହିନୀ । ଏହି ବିଜୟ ସହ ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୨ରେ ପଛୁଆ ରହିଛି ଭାରତ । ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ବିଜୟକୁ କେରଳ ବନ୍ୟା ପ୍ରପୀଡିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଅଧିନାୟକ ବିରାଟ କୋହଲି ।

ଅନ୍ୟପଟେ ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆ କ୍ରୀଡାରେ ମଧ୍ୟ ଚମକ୍ରାର ଖେଳ ପ୍ରଦର୍ଶନ କରିଛନ୍ତି ଭାରତୀୟ ପୁରୁଷ ହକି ଦଳ । ଦୀର୍ଘ ୮୬ ବର୍ଷର ରେକର୍ଡ ଭାଙ୍ଗିଛି ଭାରତ । ଆଜି ହଂକଂ ବିରୋଧରେ ଖେଳାଯାଇଥିବା ମ୍ୟାଚକୁ ୨୬-୦ ଗୋଲରେ ଜିତିଛି ଭାରତ ହକି ଦଳ । ଏତେ ସଂଖ୍ୟାରେ ଗୋଲ ଦେଇ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଖେଳାଳୀ । ସେପଟେ ୨୫ ମିଟର ପିସ୍ତଲରେ ଦେଶ ପାଇଁ ସ୍ୱର୍ଣ୍ଣ ପଦ ଆଣିଛନ୍ତି ଭାରତୀୟ ମହିଳା ସୁଟର ରାହି ସରନୋବତ୍ । ଏହା ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଏସିଆଡ ପଦକ ହୋଇଥିବା ବେଳେ ପ୍ରଥମ ସ୍ୱର୍ଣ୍ଣ ପଦକ । ଏହି ପଦକ ଜିତିବା ସହ ରାହୀ ଏସିଆଡ୍ ସ୍ୱର୍ଣ୍ଣ ପଦକ ଜିତିବାରେ ଦେଶର ପ୍ରଥମ ମହିଳା ସୁଟର ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ କ୍ରୀଡାବିତ୍ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି ।