ଆଜି ଜାପାନରେ ପାଳିତ ହେଉଛି ହିରୋସୀମା ଦିବସ । ୭୩ ବର୍ଷ ପୂର୍ବେ ଆମେରିକା ଜାପାନ ଉପରେ କରିଥିଲା ପରମାଣୁ ବୋମା ଆକ୍ରମଣ

145

କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ଉପରେ ହୋଇଥିବା ପରମାଣୁ ଆକ୍ରମଣକୁ ଆଜି ପୁରିଛି ୭୩ ବର୍ଷ । ୧୯୪୫ ମସିହା ଅଗଷ୍ଟ ୬ରେ ରାତି ୮ଟାରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଥିଲା । ହିରୋସିମାରେ ପରମାଣୁ ବୋମା ପଡିଲା ପରେ ସେଠାରେ ତତ୍କାଳ ୩୦ ପ୍ରତିଶତ ଲୋକ ପ୍ରାଣତ୍ୟାଗ କରିଥିଲେ । ପରମାଣୁ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଯୁଦ୍ଧ ସରିଲାପରେ ସେଠାର ଅନେକ ଲୋକ ବିକଳାଙ୍ଗ ହୋଇ ପଡିଥିଲେ । କେବଳ ଏତିକିରେ ମୃତ୍ୟୁର ବିଭିଷିକା ସରିନଥିଲା ଏହାର ୩ ଦିନ ପରେ ଅର୍ଥାତ ଅଗଷ୍ଟ ୯ ରେ ପୁଣି ଥରେ ଜାପାନର ନାଗାସାକି ସହରରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା ।

 

ସେତେବେଳେ ଯେଉଁ ବୋମା ଜାପାନର ଏହି ଦୁଇ ସହର ଉପରେ ପକାଯାଇଥିଲା ତାହାର ଓଜନ ପାଖାପାଖି ୯୭୦୦ ପାଉଣ୍ଡ ଅର୍ଥାତ ୪୪୦୦ କିଲୋଗ୍ରାମ ଥିଲା । ତାହାର ଲମ୍ବା ୧୦ ଫୁଟ ଓ ଚଉଡା ୨୮ ଇଞ୍ଚ ଥିଲା । ତେବେ ଏହି ପରମାଣୁ ବୋମାକୁ ଯେଉଁ ସ୍ଥାନରେ ପକାଯିବାର କଥା ଥିଲା ସେଠାରେ ପଡିନଥିଲା ବୋଲି କୁହାଯାଏ । ବୋମା ପଡିବା ସମୟରେ ପବନ ବହୁଥିବାରୁ ଏହାର ଲକ୍ଷ୍ୟରେ ପରିବର୍ତ୍ତନ ହୋଇଥିଲା । ପରମାଣୁ ଆକ୍ରମଣରେ ଆଜି ବି ଜାପାନର ୨ ଲକ୍ଷ ଲୋକଙ୍କ ଦେହରେ ପରମାଣୁ ବିକିରଣ ହେଉଥିବା ଜଣାଯାଏ । ତେବେ ମିଳିଥିବା ସୂଚନା ଅନୁସାରେ ପରମାଣୁ ବୋମା ପଡିବା ପୂର୍ବରୁ ଆମେରିକା ସେନା ପକ୍ଷରୁ ଲୋକମାନଙ୍କୁ ଆକାଶମାର୍ଗରୁ କାଗଜରେ ଲେଖାଯାଇ ପକାଯାଇଥିଲା । ତେବେ ଏହି ସମୟରେ ସେଠାରେ କେତେକ ପୋଲିସ ମାଟିତଳେ ପଶି ନିଜର ଜୀବନ ରକ୍ଷା କରିଥିଲେ ଓ ପରେ ନାଗାସାଖିରେ ଯାଇ ଲୋକମାନଙ୍କୁ ସଚେତନ ମଧ୍ୟ କରାଇଥିଲେ । ତେଣୁ ସେଠାରେ ହୋଇଥିବା ଆକ୍ରମଣରୁ ଅନେକ ଲୋକ ନିଜର ଜୀବନ ବଞ୍ଚାଇଥିଲେ ।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପରମାଣୁ ଆକ୍ରମଣରେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ଚିକିତ୍ସା କରାଇବା ପାଇଁ ସହରରେ ଡାକ୍ତର ମଧ୍ୟ ନଥିଲେ । କାରଣ ପରମାଣୁ ଆକ୍ରମଣରେ ସେଠାରେ ୯୦ ପ୍ରତିଶତ ଡାକ୍ତର ପ୍ରାଣ ତ୍ୟାଗ କରିଥିଲେ । ବୋମା ପଡିବା ସମୟରେ ସେଠାରେ ତାପମାତ୍ରା ୩୯୦୦ ଡିଗ୍ରୀ ହୋଇଥିଲା । ହିରୋସିମାପରେ ନାଗାସାକିରେ ଅଗଷ୍ଟ ୯ ରେ ଆମେରିକା ପୁଣି ଥରେ ବୋମା ପକାଇଥିଲା ସେହି ଆକ୍ରମଣରେ ପାଖାପାଖି ୭୪ ହଜାର ଲୋକ ପ୍ରାଣତ୍ୟାଗ କରିଥିଲେ । ତେବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ସେଠାକାର ଲୋକମାନଙ୍କୁ କହିଥିଲେ ଯେ, ଜାପାନୀ ମାନଙ୍କୁ ବର୍ତ୍ତମାନ ପରମାଣୁ ବୋମା ବିଷୟରେ ଜାଣିଥିବେ ବର୍ତ୍ତମାନ ସମୟରେ ସେମାନେ ଆତ୍ମସମର୍ପଣ ନକଲେ ଆକ୍ରମଣକୁ ଆହୁରି ତୀବ୍ର କରାଯିବ ବୋଲି ଆମେରିକା କହିଥିଲା । ତେବେ ଏହି ଆକ୍ରମଣକୁ ଭାରତ ସମେତ ଅନେକ ଦେଶ ନିନ୍ଦା କରିବା ସହ ଜାପାନକି ସହାୟତାର ହାତ ବଢାଇଥିଲେ ।