ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ : ଜଳଭଣ୍ଡାରରେ ଅଧିକ ପାଣି ହେଲେ ପୁଣିଥରେ ଜଳ ନିଷ୍କାସନ କରାଯିବ ବୋଲି କହିଲେ ବିଭାଗୀୟ କର୍ତ୍ତୃପକ୍ଷ !

66

କନକ ବ୍ୟୁରୋ : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ସାରା ଓଡିଶାରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା କାରଣରୁ ରାଜ୍ୟର ସମସ୍ତ ନଦୀର ଜଳସ୍ତର ମଧ୍ୟ ବଢିଥିଲା । ତେବେ ହୀରାକୁଦର ଉପରମୁଣ୍ଡରେ ପ୍ରବଳବର୍ଷା ହେବାରୁ ଜଳଭଣ୍ଡାର ମଧ୍ୟରେ ପାଣି ବଢିଥିଲା । ପୂର୍ଣ୍ଣମା କାରଣରୁ ହୀରାକୁଦର ଜଳସ୍ତରକୁ କମାଇବା ଲାଗି ମଧ୍ୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ପାଣି ଆସିବା ଫଳରେ ମହାନଦୀରେ ଜଳସ୍ତର ବଢଥିଲା । ତେବେ ରବିବାର ହୀରାକୁଦ ଡ୍ୟାମ ସମସ୍ତ ଗେଟ୍ ବନ୍ଦ ହୋଇଛି। ଶନିବାର ୨ଟି ସୁଇସ ଗେଟ୍ ଖୋଲା ଥିଲାବେଳେ ରବିବାର ଦିନ ୧୧ଟାରେ ଗୋଟିଏ ଓ ୪ଟାରେ ଗୋଟିଏ ଗେଟ୍ ବନ୍ଦ କରା ଯାଇଥିଲା। ରବିବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦.୨୭ ଫୁଟ୍ ଥିଲା।

 

ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୨୮,୯୩୨ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ୧୫,୯୯୯ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ପାଓ୍ଵାର ଚାନେଲରେ ୧୧,୩୦୦ କ୍ୟୁସେକ୍, ବରଗଡ଼ କେନାଲରେ ୩,୭୫୧ କ୍ୟୁସେକ୍, ଶାସନ କେନାଲ ଦେଇ ୫୦୦ ଓ ସମ୍ବଲପୁର କେନାଲ ଦେଇ ୯୮ କ୍ୟୁସେକ ପାଣି ଛଡ଼ା ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୪.୯୩ ଓ ତଳ ମୁଣ୍ଡରେ ୨.୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ତେଣୁ ଯଦି ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଅଧିକ ପାଣି ପ୍ରବେଶ କରିବ ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦରକାର ପଡିଲେ ପାଣି ଛଡାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।